ଖୋର୍ଦ୍ଧା: ଜିଲ୍ଲାର ବୋଲଗଡ଼ ବ୍ଲକ ଖଙ୍ଗୁରିଆ ପଞ୍ଚାୟତର ୪ଟି ଗ୍ରାମକୁ ୪୮ଘଣ୍ଟା ପାଇଁ ସଟଡାଉନ ଘୋଷଣା କଲେ ସରପଞ୍ଚ । ମଙ୍ଗଳବାର 7 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବୁଧବାର ୪ଟି ଗ୍ରାମକୁ କୋଭିଡ-୧୯ ନିୟମ ଅନୁଯାଇ ସ୍ଥାନୀୟ ସରପଞ୍ଚ ମଞ୍ଜୁବାଳା ମହାନ୍ତି ସଟଡାଉନ ଘୋଷଣା କରିଛନ୍ତି ।
ସରପଞ୍ଚ ମଞ୍ଜୁବାଳା କହିଛନ୍ତି ଯେ, ଉକ୍ତ ଗ୍ରାମ ପଞ୍ଚାୟତର ଜୋଡାପଡା, ନୀଳକଣ୍ଠପୁର, ଗବଡିହ ପାଟଣା ଓ ହରିପୁର ଶାସନ ଆଦି ୪ଟି ଗ୍ରାମକୁ ବୁଧବାର ଅପରାହ୍ନ ୪ଟାରୁ ଶୁକ୍ରବାର ଅପରାହ୍ନ ୪ଟା ପର୍ଯ୍ୟନ୍ତ ସଟଡାଉନ କରାଯାଇଛି । କୋରୋନା ସଂକ୍ରମଣ ଠାରୁ ଦୂରେଇ ରହିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ୪୮ଘଣ୍ଟା ମଧ୍ୟରେ ଏହି ୪ଟି ଗ୍ରାମକୁ ଯାତାୟତ ବନ୍ଦ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ସମୟରେ ସମ୍ପୃକ୍ତ ଗ୍ରାମ ଗୁଡିକର ଜନସାଧାରଣଙ୍କୁ ଘରେ ରହିବା ପାଇଁ ଅନୁରୋଧ କରାଯାଇଛି ।
ସୂଚନା ଯୋଗ୍ୟ ଯେ ବୋଲଗଡ଼ ବ୍ଲକ ଅଞ୍ଚଳର ୩ଟି ସଙ୍ଗରୋଧ କେନ୍ଦ୍ରରୁ ୭ ଜଣ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ସେମାନଙ୍କୁ ମଙ୍ଗଳବାର ଭୁବନେଶ୍ବରସ୍ଥିତ କୋଭିଡ ହସ୍ପିଟାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ମଧ୍ୟରୁ ଦୁଇ ଜଣ ଖଙ୍ଗୁରିଆ ପଞ୍ଚାୟତର ହରିପୁର ସ୍ଥିତ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ୪ଜଣ ଦଳେଇସାହି ପଞ୍ଚାୟତର ମାଣିକାଗୋଡ଼ା ଆଉ ଜଣେ ପାଟପୁର ଶାସନ ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିଲେ । ଏହାକୁ ଦୃଷ୍ଟିରେ ରଖି ସରପଞ୍ଚ ଏଭଳି ପଦକ୍ଷେପ ନେଇଥିବା ଜଣାପଡିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ