ଭୁବନେଶ୍ବର: ଏକାମ୍ରକାନନରେ ଉଦ୍ଘାଟିତ ହୋଇଯାଇଛି ‘ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀ'। ଭଳିକି ଭଳି ଫୁଲରେ ଝଲସୁଛି ଏକାମ୍ର କାନନ ପାର୍କ । ଲାଲ୍, କମଳା, ନୀଳ, ହଳଦିଆ ଆଦି ରଙ୍ଗ ବେରଙ୍ଗ ଗୋଲାପ ସାଙ୍ଗକୁ ବିଦେଶୀ ଫୁଲ ଲୋକଙ୍କୁ ଆକର୍ଷିତ କରୁଛି । ଲୋକଙ୍କ ମଧ୍ୟରେ ଫୁଲ ଚାଷ ପ୍ରତି ଆଗ୍ରହ ସୃଷ୍ଟି କରିବା ତଥା ରାଜଧାନୀକୁ ଆହୁରି ସୌନ୍ଦର୍ଯ୍ୟମୟ କରିବା ଉଦ୍ଦେଶ୍ୟରେ ଏହି ‘ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀ କରାଯାଉଛି । ଯେଉଁଠି ଲୋକେ ଏକା ସାଙ୍ଗରେ ପାଇବେ ୫ଶହରୁ ଊର୍ଦ୍ଧ୍ବ ପ୍ରଜାତିର ଦେଶୀ ବିଦେଶୀ ଫୁଲ । ଏହି ଦୁଇ ଦିନିଆ ପୁଷ୍ପ ପ୍ରଦର୍ଶନୀ ଆସନ୍ତାକାଲି ଯାଏଁ ଚାଲିବ ।
କୁହାଯାଏ 'ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ'। ସେହି ସୁନ୍ଦର ତୃପ୍ତିର ସମ୍ଭାରକୁ ନେଇ ଫୁଲରେ ସଜେଇ ହୋଇଛି ଏକାମ୍ର କାନନ ପାର୍କ। ରଙ୍ଗ ବେରଙ୍ଗର ସୁଗନ୍ଧଭରା ଦେଶୀ ଓ ବିଦେଶୀ ଫୁଲର ସମ୍ଭାର ରାଜଧାନୀବାସୀଙ୍କ ମନକୁ କିଣୁଛି । ରାଜଧାନୀରେ ଥିବା ଏହି ନିଆରା ଫୁଲ ବଗିଚା ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । ଏହା ହେଉଛି 'ରିଜିଓନାଲ ପ୍ଲାଣ୍ଟ ରିସୋର୍ସ ସେଣ୍ଟର' ଓ 'ପ୍ଲାଣ୍ଟ ଲଭର୍ସ ଆସୋସିଏସନ' ପକ୍ଷରୁ ଭୁବନେଶ୍ବର ଏକାମ୍ର କାନନ ପାର୍କରେ ଆୟୋଜିତ ହୋଇଛି ରାଜ୍ୟ ସ୍ତରୀୟ ପୁଷ୍ପ ପ୍ରଦର୍ଶନୀ ।
ଗୋଲାପ, ଡାଲିଆ, ସେବତୀ, ଗେଣ୍ଡୁ, ଜିନିଆ, ଆଷ୍ଟର, କାଲେଣ୍ଡୁଲା, ଲିଲିୟମ, ଗ୍ଲାଡିଓଲି, ଆନ୍ଥୁରିୟମ, ସାଲଭିଆର ଅପୂର୍ବ ସମ୍ଭାରର ଏକ ସୁନ୍ଦର ମନଲୋଭା ବଗିଚା ଦେଖିବାକୁ ମିଳିଛି ଫୁଲତ୍ସବରେ । ଭଳିକିଭଳି ଫୁଲରେ ଝଲସି ଉଠିଛି ଏକାମ୍ର କାନନ । ଫୁଲର ବାସ୍ନାରେ ମହକି ଉଠୁଛି ସାରା ପରିବେଶ । ପିଲାଠାରୁ ବଡ ସମସ୍ତେ ଫୁଲର ପ୍ରେମରେ ହଜିଯାଉଛନ୍ତି । କିଏ ଗୋଲାପ ବଗିଚା ପାଖରେ ଠିଆ ହୋଇ ମନଭରି ଫୁଲର ସୌନ୍ଦର୍ଯ୍ୟ ଉପଭୋଗ କରୁଛି ତ ଆଉ କିଏ ଫୁଲ ସହ ଫଟୋ ଉଠାଇବାରେ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି । ସାଧାରଣ ଫୁଲଠୁ ନେଇ ବିଦେଶର ଅନେକ ନାମୀଦାମୀ ଫୁଲ ଗୋଟିଏ ଜାଗାରେ ମିଳୁଥିବାରୁ ବେଶ ଖୁସି ଦର୍ଶକ ।
ଏହା ମଧ୍ୟ ପଢନ୍ତୁ...ହଳଦୀ ଶାଢୀ ପିନ୍ଧିଛି ପ୍ରକୃତି ରାଣୀ, ଶୀତୁଆ ସକାଳେ ଅଳସ ଭାଙ୍ଗୁଛି ଅଳସୀ ଫୁଲ
ଏହି ପୁଷ୍ପ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ ଆଇଏଫଏସ ଦେବୀଦତ୍ତ ବିଶ୍ବାଳ । ଚଳିତ ବର୍ଷ ପ୍ରଦର୍ଶନୀରେ ନୂଆ ଆକର୍ଷଣ ରହିଛି ସ୍ଵତନ୍ତ୍ର ବୋନସାଇ, ଅର୍କିଡ, ସକୁଲେଣ୍ଟ ପ୍ରଦର୍ଶନୀ। ପୁଷ୍ପ ପ୍ରଦର୍ଶନୀର ଅନ୍ୟତମ ଆକର୍ଷଣ ରହିଛି ପ୍ଲାଣ୍ଟ ବଜାର । ୧୯ ଟି ନର୍ସରୀ ଓ ବଗିଚା ଉପକରଣ ବ୍ୟବସାୟୀମାନେ ୪୪ ଟି ଷ୍ଟଲ ଜରିଆରେ ସେମାନଙ୍କ ଚାରା, ମଞ୍ଜି, କଲମୀକରା ଡାଳ, ବଲବ୍ ଆଦିର ପସରା ଖୋଲିଛନ୍ତି । ୩୦ ଟଙ୍କାରୁ ୩ ହଜାର ଯାଏଁ ଫୁଲ ଗଛ ଗୁଡିକର ଦାମ ରହିଥିବାବେଳେ ଭଲ ବ୍ୟବସାୟର ଆଶା ରଖିଛନ୍ତି ବ୍ୟବସାୟୀ ।
ଇଟିଭି ଭାରତ, ଭୁବନେଶ୍ବର