ଭୁବନେଶ୍ବର: ଆଜି ସୁନ୍ଦରଗଡ଼ରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସୁନ୍ଦରଗଡ଼ ଜିଲ୍ଲାର ସଦର ଥାନାର ତେଲେନଡିହି ନିକଟରେ ଏକ ଯାତ୍ରୀବାହୀ ଅଟୋକୁ ହାଇୱା ଟ୍ରକ ଧକ୍କା ଦେଇଥିଲା । ଫଳରେ ଅଟୋ ଚାଳକଙ୍କ ବ୍ୟତୀତ ୫ ଜଣ ଅଟୋଯାତ୍ରୀ ପ୍ରାଣ ହରାଇଥିଲେ । ଏଥିସହ ୨ ଜଣ ମଧ୍ୟ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏହି ଦୁର୍ଘଟଣାରେ 5 ଜଣ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକ ମାନଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତିନି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି । ସେହିପରି ଆହତଙ୍କ ପାଇଁ ମାଗଣାରେ ଉପଯୁକ୍ତ ଚିକିତ୍ସା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏଥିସହ ସେମାନଙ୍କର ଆଶୁ ଆରୋଗ୍ୟ କାମନା ମଧ୍ୟ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ ... ସୁନ୍ଦରଗଡ଼ରେ ଭୟଙ୍କର ଦୁର୍ଘଟଣା, ଅଟୋ-ଟ୍ରକ ଧକ୍କାରେ ଚାଲିଗଲା 5 ଜଣଙ୍କ ଜୀବନ
ସୂଚନାଯୋଗ୍ୟ ଯେ ସୁନ୍ଦରଗଡ଼ର ବଗିଚାପଡା ଅଞ୍ଚଳର ଏକ ପରିବାର ଆଜି ପୂର୍ବାହ୍ନରେ ତେଲେନଡିହିର ସରସ୍ବତୀ ନାଳକୁ ଭୋଜି କରିବାକୁ ଯାଇଥିଲେ । ଅପରାହ୍ନ ୩ଟା ବେଳେ ଭୋଜି ସାରି ଏହି ଦୁର୍ଘଟଣାଗ୍ରସ୍ତ ଅଟୋରେ ଯୋଗେ ଘରକୁ ଫେରିଥିଲେ । ତେବେ ଫେରିବା ବାଟରେ ଏକ ହାଇୱା ସହ ଯାତ୍ରୀବାହୀ ଅଟୋର ମୁହାଁ ମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ଉକ୍ତ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ ... ରାଉରକେଲାରେ ଡାଇରିଆ ଆତଙ୍କ: 3 ଦିନରେ 5 ମୃତ, ଏବେବି ହସ୍ପିଟାଲ ବେଡରେ 250ରୁ ଅଧିକ
ଏହି ଭୟଙ୍କର ଦୁର୍ଘଟଣାରୁ ସେହି ପରିବାରର ଜଣେ ମହିଳା ଓ ଶିଶୁ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ ସୁଦ୍ଧା ଗମ୍ଭୀର ଭାବେ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ତେବେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ୨ଟି ଗାଡି (ହାଇୱା ଏବଂ ଅଟୋ) ୧୦ ଫୁଟ ତଳକୁ ଖସି ପଡିଥିଲା । କାଦୁଅରେ ଫସିଯାଇଥିବା ଉକ୍ତ ୨ଟି ଗାଡି଼କୁ ଜେସିବି ଲଗାଇ ଉଠାଯାଇଛି । ଘଟଣାର ଖବର ପାଇ ଆଖପାଖ ଅଞ୍ଚଳର ଲୋକ ମାନେ ଉକ୍ତ ଘଟଣାସ୍ଥଳରେ ରୁଣ୍ଡ ହୋଇଥିଲେ । ତେବେ ଏହି ଦୁର୍ଘଟଣା ଫଳରେ ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।
ଇଟିଭି ଭାରତ , ଭୁବନେଶ୍ବର