ଭୁବନେଶ୍ବର: ରାଜଧାନୀର ବ୍ୟସ୍ତ ବହୁଳ ଜୀବନ ଭିତରେ ମନକୁ ଟିକେ ପ୍ରଫୁଲ୍ଲିତ ରଖିବା ପାଇଁ ଆରମ୍ଭ ହୋଇଥିବା ବର୍ଷର ପ୍ରଥମ ପଥୋତ୍ସବ ଶେଷ ହୋଇଛି । ବିଏମସି ପକ୍ଷରୁ ଏହି ପଥୋତ୍ସବ କରାଯାଉଥିବା ବେଳେ ଖୁବ ଜମିଥିଲା ୨୦୨୩-୨୪ର ଦ୍ୱିତୀୟ ତଥା 2024ର ପ୍ରଥମ ପଥ ଉତ୍ସବ । ଦ୍ୱିତୀୟ ପଥୋତ୍ସବ ରାଜଧାନୀର ଶିଖରଚଣ୍ଡୀ ଛକରୁ ଇମ୍ଫୋସିଟି ଛକ ପର୍ଯ୍ୟନ୍ତ ରାସ୍ତାରେ ହେଉଥିବା ବେଳେ କଣ୍ଠଶିଳ୍ପୀ ପ୍ରଜ୍ଞା ଓ ସତ୍ୟଜିତ୍ଙ୍କ ଗୀତରେ ମତୁଆଲ୍ଲା ହୋଇଥିଲା ଉପସ୍ଥିତ ଦର୍ଶକ ।
ଆଜି ସକାଳୁ ସକାଳୁ ଭୁବନେଶ୍ବରର ଶିଖରଚଣ୍ଡୀ ଅଞ୍ଚଳରେ ଶୀତର ପ୍ରକୋପ ଟିକିଏ ଅଧିକ ରହିଥିଲେ ମଧ୍ୟ ହଜାର ହଜାର ଦର୍ଶକଙ୍କ ଉପସ୍ଥିତି ପରିବେଶକୁ ପୁରା ସରଗରମ କରିଦେଇଥିଲା । ଶିଖରଚଣ୍ଡୀ ଛକରୁ ଇମ୍ଫୋସିଟି ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବ ଲୋକରଣ୍ୟ ହୋଇପଡିଥିଲା । ମୁଖ୍ୟ ମଞ୍ଚ ନିକଟରେ ଦିନ ପ୍ରାୟ ସାଢେ ୧୦ ପର୍ଯ୍ୟନ୍ତ ଲୋକମାନଙ୍କର ଭିଡ ଲାଗି ରହିଥିବା ବେଳେ ଦ୍ୱିତୀୟ ମଞ୍ଚ ନିକଟରେ ପ୍ରାୟ ୧୧ଟା ପର୍ଯ୍ୟନ୍ତ ଲୋକମାନେ ଜମି ରହିଥିଲେ । ଅନ୍ୟପଟେ ମୁଖ୍ୟ ମଞ୍ଚ ସମ୍ମୁଖରେ ଝୋଟି, ଭୁବନେଶ୍ୱର ଗଟ୍ ଟ୍ୟାଲେଣ୍ଟ, ଡଗ୍ ସୋ, ବିଏମ୍ସିର ପରିମଳ ସଚେତନତା ଓ ମୋ ଖତ, ପୁରାନି ୟାଦେ, ଗଜଲ, କିଡୋ କିଙ୍ଗଡମ, ଜୁମ୍ବା, ହେଲ୍ଥ କ୍ୟାମ୍ପ, ୱେଲନସ୍ କର୍ଣ୍ଣର, ସ୍ପୋର୍ଟସ, କ୍ରାଫ୍ଟ ଜୋନ୍, ଓପନ ଜିମ୍, ରାଜସ୍ୱ କେନ୍ଦ୍ର, ସାଇନ୍ ଲାଙ୍ଗୁଏଜ୍, ଯୋଗ, ଷ୍ଟ୍ରିଟ ଡ୍ୟାନ୍ସ ଓ ମ୍ୟୁଜିକ୍, ଇଲେକ୍ସନ୍ ବୁଥ୍ ଇତ୍ୟାଦି ରହିଥିଲା । ଏହା ସାଙ୍ଗକୁ ବିଟ୍ ବକ୍ସିଂ, ଗୀଟାରିଷ୍ଟ, କମେଡି, ବାସ୍କେଟ ବଲ୍, ବ୍ୟାଡ ମିଂଟନ, ସ୍ଲାଇଡ୍, ସାପ-ସିଡି ଖେଳ, ଏକ ଚକିଆ ସାଇକେଲ ଚାଳନା, ପେଣ୍ଟିଂ, ଡ୍ରଇଂ ଓ କ୍ଲେ ମଡେଲିଂ ଇତ୍ୟାଦିର ମଜ୍ଜା ନେଇଥିଲେ ଦେଖଣାହାରୀ ।
ଇମ୍ଫୋସିଟ୍ ଛକରେ ହୋଇଥିବା ଦିତ୍ୱୀୟ ମଞ୍ଚର ମାହୋଲ ପୁରା ସରଗରମ ଥିଲା । ଏଠାରେ ଦେଖଣାହାରୀଙ୍କ ପାଇଁ ଭିନ୍ନ ସ୍ବାଦର ଆସର ଜମିଥିଲା । ଭୁବନେଶ୍ୱର ଗଟ୍ ଟ୍ୟାଲେଣ୍ଟ ମଞ୍ଚ ନିକଟରେ ବିଭିନ୍ନ ବିଦ୍ୟାଳୟ ଓ ନୃତ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀ ସେମାନଙ୍କର ନୃତ୍ୟ, ଗୀତ, କମେଡି, ଏକକ ଅଭିନୟ ଆଦି ଦର୍ଶକମାନଙ୍କୁ ଦୀର୍ଘ ୩ ଘଣ୍ଟା ପର୍ଯ୍ୟନ୍ତ ବାନ୍ଧିରଖିଥିଲା । ଏହି ପଥ ଉତ୍ସବରେ କିସ୍ର ହଜାର ହଜାର ଛାତ୍ରୀ ପ୍ରାୟ ଦୁଇ କିଲୋମିଟର ବ୍ୟାପି ହୋଇଥିବା ପଥ ଉତ୍ସବ ପରିସରକୁ ସରଗରମ କରିଦେଇଥିଲେ । କଳାକାରମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କର ଗୀତ ଓ ନୃତ୍ୟକୁ ମନଭରି ଉପଭୋଗ କରିଥିଲେ ଏବଂ ଧୁମ୍ ନାଚିଥିଲେ ।
ତେବେ କର୍ମକ୍ଲାନ୍ତ ସହରୀ ଜୀବନକୁ ଟିକିଏ ହାଲକା କରିଦେବା ପାଇଁ ଶୀତୁଆ ସକାଳର ଏହି ପଥ ଉତ୍ସବ । ମହାନଗରନିଗମ ଅଞ୍ଚଳବାସୀଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମ ଜାରି ରଖିଛନ୍ତି । ଆଗାମୀ ଦିନରେ ଆହୁରି ଅନେକ ଉନ୍ନୟନମୂଳକ କାମ କରାଯିବା ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି କହିଥିଲେ ଭୁବନେଶ୍ୱର ମେୟର । ଏ ସହର ଆପଣମାନଙ୍କର ଆଉ ଏ ପଥ ଉତ୍ସବ ମଧ୍ୟ ଆପଣମାନଙ୍କର । ଆମ ସହରକୁ ଆମେ ସ୍ୱଚ୍ଛ, ସବୁଜ ଓ ସୁନ୍ଦର ରଖିବା ଏବଂ ତାହାକୁ ଉପଭୋଗ କରିବା । ନୂଆ ବର୍ଷରୁ ମୁଖ୍ୟମନ୍ତ୍ରୀ ମହାନଗର ନିଗମବାସୀଙ୍କ ପାଇଁ ମେଟ୍ରୋ ରେଳ ପ୍ରକଳ୍ପ କାମର ଶୁଭ ଦେଇ ବିକାଶର ପେଡି ଖୋଲିଛନ୍ତି । ସେହି ବିକାଶ କାର୍ଯ୍ୟକୁ ସମସ୍ତଙ୍କ ସହ ଯୋଗରେ ଆଗେଇ ନେବାକୁ ଆହ୍ୱାନ ଦେଇଥିଲେ ସୁଲୋଚନା ଦାସ । ଏହି ପଥ ଉତ୍ସବ ଆମମାନଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବାରେ ବେଶ ସହାୟକ ହୋଇପାରିଛି ଏବଂ ଆଗାମୀ ଦିନରେ ଆପଣମାନଙ୍କ ସହଯୋଗରେ ଏହି ଧାରା ଜାରି ରହିବ ବୋଲି ସେ କହିଥିଲେ ।
ଏହା ମଧ୍ୟ ପଢ଼ନ୍ତୁ.....ରାଜଧାନୀରେ ପଥୋତ୍ସବ ଆରମ୍ଭ, ବସ୍ତିପିଲାଙ୍କ ସହ ନାଚିଲେ ମେୟର
ସେହିପରି ଏହି ଅବସରରେ ବିଏମ୍ସି କମିଶନର କହିଥିଲେ ଯେ, ବିଭିନ୍ନ ବିକାଶ ମୂଲକ କାମରେ ନାଗରିକମାନଙ୍କର ଯେପରି ସହଯୋଗ କରୁଛନ୍ତି, ଆନନ୍ଦ ନେବାରେ ମଧ୍ୟ ସେମାନେ ସମପରିମାଣର ହକ୍ଦାର । ବିଏମସିର ପ୍ରତ୍ୟେକ କାମରେ ଏହିପରି ନାଗରିକମାନଙ୍କର ସହଭାଗିତା କାମନା କରିଛନ୍ତି କମିଶନର ବିଜୟ ଅମୃତା କୁଲାଙ୍ଗେ । ଏହି କାର୍ଯ୍ୟକ୍ରମ କେବଳ ଶୀତୁଆ ସକାଳର ମଜା ନେବା ପାଇଁ ନୁହେଁ ବରଂ ଏହା ଦ୍ୱାରା ପରସ୍ପର ମଧ୍ୟରେ ଭାବ ବିନିମୟ ହେବ ଓ ଗୋଷ୍ଠୀ ସହଭାଗିତା ବୃଦ୍ଧି ପାଇବ । ସାଂସ୍କୃତିକ ଭାବ ବିନିମୟ, ଲୁକ୍କାୟିତ ପ୍ରତିଭାରପରିପ୍ରକାଶ, ଲୋକକଳା, ଖେଳକୁଦ ଆଦିର ବିକାଶ କରିବା ଏହାର ଲକ୍ଷ୍ୟ ବୋଲି କୁହାଯାଇଛି । ଚଳିତ ବର୍ଷର ଶେଷ ପଥ ଉତ୍ସବ ଆସନ୍ତା ୨୧ ତାରିଖ ଦିନ ଅନୁଷ୍ଠିତ ହେବ କରାଯିବ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି ।
ଆଜିର ପଥୋତ୍ସବରେ ଅତିଥି ଭାବେ ମାନ୍ୟବର ବିଜ୍ଞାନ ଓ କାରିଗରୀ କୌଶଳ, ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ସାଂସଦ ସୁଲତା ଦେଓ, ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ, ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ମତ୍ସ୍ୟ ନିଗମର ଅଧ୍ୟକ୍ଷ ସୁବାଷ ପାତ୍ର, ଡେପୁଟି ମେୟର ମଞ୍ଜୁଲତା କହଁର, କମିଶନର ବିଜୟ ଅମୃତା କୁଲାଙ୍ଗେ, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ମିହିର କୁମାର ରାଉତ ଓ ଅଧ୍ୟକ୍ଷା ପ୍ରୀତିନନ୍ଦା ରାଉତରାୟଙ୍କ ସହ ବହୁ କର୍ପୋରେଟର ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର