ଭୁବନେଶ୍ବର: ପଦୋନ୍ନତି ଅଦାଲତରେ ପ୍ରଥମ ଦିନ ଶୁଣାଣି ଅନୁଷ୍ଠିତ ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପଦୋନ୍ନତି ଅଦାଲତର ପ୍ରଥମ ଦିନରେ 337 ଅଭିଯୋଗର ଶୁଣାଣି ହୋଇଛି । ଏଥିସହ ଅନ୍ୟ 6 ଜଣ ଅତିରିକ୍ତ ଶାସନ ସଚିବ ମଧ୍ୟ ପୃଥକ ଭାବେ 6ଟି ସ୍ଥାନରେ କର୍ମଚାରୀମାନଙ୍କ ପଦୋନ୍ନତୀ ସଂପର୍କିତ ବିଭିନ୍ନ ଅଭିଯୋଗର ଶୁଣାଣି କରିଛନ୍ତି । ପଦୋନ୍ନତି ଅଦାଲତର ସୁପାରିଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରଥମ ଦିନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଯୋଜନା ଓ ସଂଯୋଜନା, ଉଚ୍ଚଶିକ୍ଷା, ବିଜ୍ଞାନ ଓ ବୈଷୟିକ, ଶ୍ରମ ଓ ଇଏସ୍ଆଇ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା, ମତ୍ସ୍ୟ ଓ ପଶୁ ସଂପଦ ବିକାଶ, ବାଣିଜ୍ୟ ଓ ପରିବହନ, ମହିଳା ଓ ଶିଶୁ ବିକାଶ, ଅର୍ଥ, କୃଷି, ସଂସଦୀୟ ବ୍ୟାପାର, ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ଆଇନ ବିଭାଗରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀମାନଙ୍କ ପଦୋନ୍ନତି ସଂପର୍କିତ ବିଭିନ୍ନ ଆପତ୍ତି ଓ ଅଭିଯୋଗର ଶୁଣାଣି କରାଯାଇଛି ।
ଏହି ଶୁଣାଣି ନିମନ୍ତେ 396ଟି ଦରଖାସ୍ତ ଗ୍ରହଣ କରାଯାଇଥିବାବେଳେ ସେଥି ମଧ୍ୟରୁ 337ଟି ଅବେଦନର ଶୁଣାଣି କରାଯାଇଥିଲା । ତେବେ ସେଥିରୁ 308ଟି ଆବେଦନକୁ ଅଦାଲତ ପଦୋନ୍ନତି ନିମନ୍ତେ ବିବେଚନା କରିଛନ୍ତି । ପଦୋନ୍ନତି ଅଦାଲତର ସୁପାରିଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଗ୍ରେଡେସନ ତାଲିକା ପ୍ରସ୍ତୁତ କରି ବିଭାଗୀୟ ପଦୋନ୍ନତି କମିଟି ମାଧ୍ୟମରେ କର୍ମଚାରୀମାନଙ୍କ ପଦୋନ୍ନତିକୁ ବିବେଚନା କରିବାକୁ ସେ ପରାମର୍ଶ ଦେଇଛନ୍ତି ।
ପଦୋନ୍ନତି ଅଦାଲତରେ 6 ଜଣ ଅତିରିକ୍ତ ଶାସନ ସଚିବ ଡ଼ଃ ନିକୁଞ୍ଜ କିଶୋର ସୁନ୍ଦରାୟ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ, ରାଜ କୁମାର ଶର୍ମା ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ, ଦେଓରଞ୍ଜନ ସିଂ କଳିଙ୍ଗ ଷ୍ଟାଡିୟମ ସମ୍ମିଳନୀ କକ୍ଷ, ଡ଼ଃ ମୋନା ଶର୍ମା ଇଡକୋ ସମ୍ମିଳନୀ କକ୍ଷ, ଅନୁ ଗର୍ଗ କୃଷି ଭବନ ଅଡିଟୋରିୟମ ଏବଂ ସତ୍ୟବ୍ରତ ସାହୁ ଏସ୍ଆଇଆରଡି ସମ୍ମିଳନୀ କକ୍ଷରେ ଅଭିଯୋଗର ଶୁଣାଣି କରିଛନ୍ତି ।
ଏଥିରେ ଭାଗ ନେଇଥିବା କର୍ମଚାରୀମାନେ ପଦୋନ୍ନତି ଅଦାଲତ ମାଧ୍ୟମରେ ସେମାନଙ୍କ ଅଭିଯୋଗ ଗୁଡିକର ଶୁଣାଣି କରି ପଦୋନ୍ନତି ନିମନ୍ତେ ତୁରନ୍ତ ପଦକ୍ଷେପ ନେବା ବ୍ୟବସ୍ଥା ପ୍ରକଟ ଉପରେ ଆସ୍ଥା ପ୍ରକାଶ କରିବା ସହ ଅଯଥା ନ୍ୟାୟାଳୟର ଦ୍ୱାରସ୍ଥ ହେବା ଆବଶ୍ୟକତା ନଥିବା ଅନୁଭବ କରିଛନ୍ତି । ଏହିଭଳି ବ୍ୟବସ୍ଥା ଆଗାମୀ ବର୍ଷରେ ଜାରି କରିବା ନେଇ ସେମାନେ ଆଶା ପ୍ରକାଶ କରିଛନ୍ତି । ଏହି ଅଦାଲତ 3 ଦିନ ଧରି ଚାଲିବ ।
ଆଜି ଗ୍ରାମ୍ୟ ଉନ୍ନୟନ, ଇସ୍ପାତ୍ ଓ ଖଣି, ବିଦ୍ୟାଳୟ ଓ ଗଣଶିକ୍ଷା, ସାଧାରଣ ଉଦ୍ୟୋଗ, ଅବକାରୀ, ସୂଚନା ଓ ଲୋକ ସଂପର୍କ, ଜଳ ସଂପଦ, ପୂର୍ତ୍ତ, ଶକ୍ତି, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଇଲୋକଟ୍ରୋନିକ୍ସ ଓ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ଆପତ୍ତି ଅଭିଯୋଗର ଶୁଣାଣି କରାଯିବ ।
ଇଟିଭି ଭାରତ, ଭୁବନେଶ୍ବର