ଭୁବନେଶ୍ବର: ଓଡିଶାରେ ବର୍ଷକୁ 5 ଶହ ପାଇଲଟ ନେବେ ତାଲିମ । ଏନେଇ ଆଜି ବଜେଟରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଅର୍ଥମନ୍ତ୍ରୀ କହିଛନ୍ତି ଢେଙ୍କାନାଳ ବିରସାଲ ସ୍ଥିତ ବିଜୁ ପଟ୍ଟନାୟକ ଏରୋସ୍ପେସ ଏକାଡେମୀକୁ ବିଶ୍ବସ୍ତରୀୟ ପାଇଲଟ ଟ୍ରେନିଂରେ ପରିଣତ କରାଯିବ । ଯେଉଁ ଠାରେ ବାର୍ଷିକ 5 ଶହ ପାଇଲଟ ପର୍ଯ୍ୟାୟକ୍ରମେ ତାଲିମ ନେବେ । ଏଥିପାଇଁ ଖର୍ଚ୍ଚ ହେବ 2 ଶହ 75 କୋଟି ଟଙ୍କା ।
ସେହିପରି ଅର୍ଥମନ୍ତ୍ରୀ କହିଛନ୍ତି ପୁରୀ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ, କୋରାପୁଟସ୍ଥିତ ଜୟପୁର ବିମାନ ବନ୍ଦର, କଳାହାଣ୍ଡି ଉତ୍କେଳା, ଗଞ୍ଜାମର ରଙ୍ଗେଇଲୁଣ୍ଡା ଓ ମାଲକାନଗିରି ଏୟାରଷ୍ଟ୍ରିପର ନବୀକରଣ ଓ ସମ୍ପ୍ରସାରଣ କାର୍ଯ୍ୟ ହାତକୁ ନିଆଯାଇଛି । ଏହା ବ୍ୟତୀତ 8 ଟି ଏୟାରଷ୍ଟ୍ରିପର ରକ୍ଷାଣା ବେକ୍ଷଣ ପାଇଁ ସରକାର ଯୋଜନା କରିଛନ୍ତି ।
ଅର୍ଥମନ୍ତ୍ରୀ କହିଛନ୍ତି ବିମାନ ଯୋଗାଯାଗ ବ୍ୟବସ୍ଥାକୁ ଅଧିକ ଉନ୍ନତ କରିବା ଓ ବ୍ୟବସାୟ ପାଇଁ ଅଧିକ ନିଯୁକ୍ତି ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ଓଡିଶା ବେସାମରିକ ବିମାନ ଚଳାଚଳ ନୀତି 2022 ପ୍ରଣୟନ କରିଛନ୍ତି । ଉଡାନ ଯୋଜନାରେ ଓଡିଶାକୁ ସୁଲଭ ବିମାନ ସେବା ଯୋଗାଇ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।
ସେହିଭଳି ଅର୍ଥମନ୍ତ୍ରୀ କହିଛନ୍ତି ଦୁବାଇ, ସିଙ୍ଗାପୁର ଓ ବ୍ୟାଙ୍କକୁ ରାଜ୍ୟରୁ ସିଧାସଳଖ ବିମାନ ସେବା ପାଇଁ ଓଡିଶା ସରକାର ରାଜ୍ୟକୁ ବିଶ୍ବସହ ସଂଯୋଗ କରିବା ପାଇଁ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି । ଦୁବାଇକୁ ବିମାନ ଚଳାଚଳ ଦ୍ବାରା ମଧ୍ୟପ୍ରାଚ୍ୟ, ୟୁରୋପ ଓ ଅନ୍ୟାନ୍ୟ ଦେଶକୁ ରାସ୍ତା ଉନ୍ମୋକ୍ତ ହେବ । ସିଙ୍ଗାପୁର ତଥା ବ୍ୟାଙ୍କକକୁ ବିମାନ ଚଳାଚଳ, ଓଡିଶା ପାଇଁ ଦକ୍ଷିଣପୂର୍ବ ତଥା ସୁଦୂର ପ୍ରାଚ୍ୟ ଦେଶ ଗୁଡିକର ଦ୍ବାର ଉନ୍ମୋକ୍ତ କରିବ । ଏହା ନିଯୁକ୍ତିର ସମ୍ଭାବନା, ପୁଞ୍ଜି ନିବେଶର ବାତାବରଣ ସୃଷ୍ଟି କରିବା ସହ ପର୍ଯ୍ୟଟନ ଓ ସାଂସ୍କୃତିକ ଭାବ ବିନିମୟରେ ସହାୟକ ହେବ । ଏଥିପାଇଁ 100 କୋଟି ଟଙ୍କା ବଜେଟରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ।
ଏହାବି ପଢନ୍ତୁ - Odisha Budget: ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୬୬୦ କୋଟି, ଫୋକସରେ ଭିତ୍ତିଭୂମି ବିକାଶ
ସୂଚନାଯୋଗ୍ଯଯେ ଷୋଡଶ ବିଧାନସଭାର ଶେଷ ପୂର୍ଣ୍ଣାଙ୍ଗ ବଜେଟ ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ଉପସ୍ଥାପନ କରିଛନ୍ତି । 2023- 24 ଆର୍ଥିକ ବର୍ଷର ବଜେଟ ଆକାର ରହିଛି 2 ଲକ୍ଷ 30 ହଜାର କୋଟି । ଯେଉଁଥିରେ କୃଷି ବଜେଟ ରହିଛି 24 ହଜାର 829 କୋଟି ଟଙ୍କା ।
ଇଟିଭି ଭାରତ, ଭୁବନେଶ୍ବର