ଖୋର୍ଦ୍ଧା: ଲଘୁ ଖଣିଜ ପଦାର୍ଥର ଚୋରାଚାଲାଣ ଜିଲାର ବିଭିନ୍ନ ସ୍ଥାନରେ ପୁଣି ବଢ଼ିଲାଣି । ଦିନକୁ ଦିନ ପାରିବେଶିକ ସ୍ଥିତି ବିପନ୍ନ ହେଉଛି । ନିଲାମ ଖଣି ସହ ଗୋଚର ଜମି, ଜଙ୍ଗଲ ଜମି, କାଜୁ ପଡ଼ିଆ କିଛି ବି ବାଦ ପଡ଼ୁନି ଖଣି ମାଫିଆଙ୍କ କବଳରୁ । ଖଣି ଚୋରା କାରବାର ରୋକିବାକୁ ରାଜସ୍ଵ ଓ ପୁଲିସ ପ୍ରଶାସନ ଦ୍ବାରା ସ୍ବତନ୍ତ୍ର ଦଳ ଗଠନ କରାଯାଇଛି । ବିଭିନ୍ନ ସମୟରେ ଚଢଉ କରାଯାଇ ବିପୁଳ ଜରିମାନା ଆଦାୟ ହେଉଛି । ତେବେ ଅସଲ ପଥର ମାଫିଆମାନେ ଧରାପଡୁ ନାହାଁନ୍ତି । ଅନେକ ଗାଡି ଓ ପାୱାର ଟିଲର ଜବତ କରାଯାଉଛି । ଚାଷୀଙ୍କ ନାମରେ ରିହାତିରେ ଆଣି ଖଣି କାର୍ଯ୍ୟରେ ବ୍ୟବହାର କରୁଛନ୍ତି ମାଫିଆ ।
ଖୋର୍ଦ୍ଧା, ଟାଙ୍ଗୀ, ବେଗୁନିଆ, ଜଟଣୀ ତହସିଲର ବିଭିନ୍ନ ଥାନା, ବନାଞ୍ଚଳ କାର୍ଯ୍ୟାଳୟ ଓ ତହସିଲ କାର୍ଯ୍ୟାଳୟରେ ଶହଶହ ଜବତ ପାୱାରଟିଲର ଗଦା ହୋଇଥିବା ଦେଖିବାକୁ ମିଳିଛି । ଏହି ପାୱାର ଟିଲର କାହାର ତଦନ୍ତ ପରିସରକୁ ନିଆଯାଉନି । ପାୱାର ଟିଲର ମାଲିକ ଧରା ହେଲେ ଅସଲ ଖଣି ମାଫିଆ ଧରାପଡ଼ିବ ବୋଲି ସାଧାରଣରେ ମତପ୍ରକାଶ ପାଉଛି । ଉନ୍ନତ କୃଷି ପାଇଁ ଆଧୁନିକ କୃଷି ଯନ୍ତ୍ରପାତିର ଆବଶ୍ୟକତା ରହିଛି । କ୍ଷୁଦ୍ର ନାମ ମାତ୍ର ଚାଷୀ ଟ୍ରାକ୍ଟର କିଣି ପାରୁ ନଥିବାରୁ ସେମାନଙ୍କ ପାଇଁ ସରକାରଙ୍କ କୃଷି ବିଭାଗ ତରଫରୁ ରିହାତି ଦରରେ ପାୱାର ଟିଲର ଯୋଗାଇ ଦିଆଯାଉଛି ।
କୃଷି ପ୍ରତି ଲୋକଙ୍କ ଆଗ୍ରହ ପାଇଁ ବ୍ୟାପକ ରିହାତି ବା ସବସିଡି ସରକାର ଦେଉଛନ୍ତି । ଗୋଟିଏ ପାୱାର ଟିଲର ପାଇଁ ଜଣେ ଚାଷୀଙ୍କୁ ୭୫ହଜାର ଟଙ୍କା ରିହାତି ଦିଆଯାଉଥିବା ବେଳେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କା ରିହାତି ପ୍ରଦାନ କରୁଛନ୍ତି ସରକାର । କିନ୍ତ ପ୍ରକୃତରେ ଯାହା ଦେଖାଯାଉଛି ପାୱାର ଟିଲର ଚାଷ କାର୍ଯ୍ୟରେ ନଲାଗି ମାଙ୍କଡା ପଥର କଟାରେ ବ୍ୟବହାର କରାଯାଉଛି । ତେବେ ସରକାରଙ୍କ ଉଦ୍ଦେଶ୍ୟ ବାଟବଣା ହେଉଥିବା ଦେଖିବାକୁ ମିଳିଛି ।
କୃଷି ଉତ୍ପାଦନ ବୃଦ୍ଧି ପରିବର୍ତ୍ତେ ପରିବେଶ ପ୍ରଦୂଷଣ, ଜଙ୍ଗଲ ନଷ୍ଟ, ଗୋ ସମ୍ପଦ ଉପରେ କୁପ୍ରଭାବ ପଡିବା ସହ ରାଜସ୍ୱ ଲୂଟ ହେଉଛି । ବର୍ଷ ବର୍ଷ ଧରି ଚାଷୀମାନେ ରିହାତି ଦରରେ ପାୱାର ଟିଲର ନେଉଛନ୍ତି । କେତେକ ନିଷ୍ଠାପର ଚାଷୀ ପାୱାର ଟିଲରକୁ ଚାଷ କାର୍ଯ୍ୟରେ ଲଗାଉଥିବା ବେଳେ ଆଉ କେତେକ ଦୂରୁପଯୋଗ କରୁଛନ୍ତି । ସରକାର କୃଷିର ଉନ୍ନତି ପାଇଁ ରିଆତି ଦରରେ ପାୱାର ଟିଲର ଯୋଗାଉଛନ୍ତି । ତଳ ସ୍ତରରେ କାର୍ଯ୍ୟ କରୁଥିବା କୃଷି ଅଧିକାରୀମାନେ ସୁପାରିସ କରୁଛନ୍ତି । କିନ୍ତୁ ରିହାତିରେ ନେଇଥିବା ପାୱାରଟିଲର ଚାଷ କାର୍ଯ୍ୟରେ ଲାଗୁଛି କି ନାହିଁ ଯାଞ୍ଚ ହେଉନି । ସ୍ବତନ୍ତ୍ର ଚଢାଉ ଦଳ ପାୱାର ଟିଲର ଘଟଣାର ଯାଞ୍ଚ କଲେ ଚୋରାଖଣି ଅନେକ ମାତ୍ରାରେ ରୋକାଯାଇ ପାରିବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି ।
ଇଟିଭି ଭାରତ, ଖୋର୍ଦ୍ଧା