ବ୍ରହ୍ମପୁର: ଗତ କିଛିଦିନ ଧରି ବେଶ ଚର୍ଚ୍ଚାରେ ରହିଥିବା ବ୍ରହ୍ମପୁର ଏମକେସିଜିରୁ ପୁଣି ଏକ ଅଭାବନୀୟ ଖବର ସାମ୍ନାକୁ ଆସିଛି । ନିଜକୁ ଡାକ୍ତର ପରିଚୟ ଦେଇ ଦଲାଲ କରୁଥିବା ଯୁବକଙ୍କୁ ଗିରଫ କରିଛି ପୋଲିସ । ତେବେ ଯୁବକ ଜଣକ ବେକରେ ଡାକ୍ତରଙ୍କ ନକଲି ଆଇଡିକାର୍ଡ ପକାଇ ଦଲାଲ କାର୍ଯ୍ୟ କରୁଥିବା ସୂଚନା ରହିଛି ।
ଏହା ମଧ୍ୟ ପଢନ୍ତୁ: ଆସନ୍ତା ସୋମବାରରୁ ଜୟପୁରକୁ ଉଡ଼ିବ ବିମାନ, ଉତ୍ସାହିତ ଯାତ୍ରୀ
ଦକ୍ଷିଣ ଓଡ଼ିଶାରର ଜନସାଧାରଣ ନିର୍ଭର କରୁଥିବା ଏମକେସିଜି ମେଡିକାଲରୁ ପୁଣି ଜଣେ ଦଲାଲ୍ ଧରାପଡ଼ିଛି । ନିଜକୁ ଡାକ୍ତର ପରିଚୟ ଦେଇ ଅସ୍ଥିଶଲ୍ୟ ବିଭାଗରେ ନିୟୋଜିତ ସୁରକ୍ଷା କର୍ମଚାରୀଙ୍କ ସହିତ ଯୁକ୍ତିତର୍କ କରୁଥିବା ବେଳେ ଧରାପଡିଥିବା ସୂଚନା ରହିଛି । ଦଲାଲ୍ ନିକଟରୁ ରହିଥିବା ପରିଚୟ ପତ୍ରରୁ ତାଙ୍କ ନାମ ଦୀପକ କୁମାର ନାହାକ ବୋଲି ଜଣାପଡିଛି । ଦୀପକ ରୋଗୀମାନଙ୍କୁ ବିଭିନ୍ନ କ୍ଲିନିକକୁ ଚାଲାଣ କରିବା କାର୍ଯ୍ୟ କରୁଥିବା ନେଇ ସନ୍ଦେହ କରାଯାଇଛି । ତେବେ ଦୀପକ ବ୍ରହ୍ମପୁର ସହରରେ ଏକ ଘରଭଡ଼ା ନେଇ ରହୁଥିବା ବେଳେ ଏକ ଘରୋଇ ଶିକ୍ଷା ଅନୁଷ୍ଠାନରେ ଛାତ୍ର ବୋଲି ବ୍ରହ୍ମପୁର ପୋଲିସ ତରଫରୁ ସୂଚନା ଦିଆଯାଇଛି । ତେବେ ଦୀପକ ଏହି ଦଦାଲ କାମ କେବେଠାରୁ କରୁଥିଲେ ସେନେଇ କୌଣସି ସଠିକ ସୂଚନା ନଥିବା ବେଳେ ପୋଲିସ ଗିରଫ କରି ତଦନ୍ତ ଆରମ୍ଭ କରିଛି ।
ତେବେ ଗତ କିଛିଦିନ ତଳେ ପୋଲିସ ପକ୍ଷରୁ ୭ଜଣ ଦଲାଲ ଧରାପଡ଼ିଥିବା ବେଳେ ଆଜି ପୁଣି ଆଉ ଜଣେ ଦଲାଲ୍ ଡାକ୍ତର ବୋଲି ପରିଚୟ ଦେଇ ଧରାପଡ଼ିଥିବା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।
ଏହା ମଧ୍ୟ ପଢନ୍ତୁ: MKCG ପରିସରରୁ ଧରାପଡିଲେ ୭ ଦଲାଲ, କାବୁ କଲା ପୋଲିସ
ଗତ ଅକ୍ଟୋବର ୧୮ ତାରିଖ ଦିନ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଏମକେସିଜି (MKCG) ମେଡ଼ିକାଲ କଲେଜ ପରିସରରେ ରୋଗୀଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଉଥିଲେ କିଛି ଦଲାଲ । ମେଡିକାଲ ପରିସରରେ ଦଲାଲ ଗିରି ଚଲାଇଥିବା ୭ଜଣ ଦଲାଲଙ୍କୁ କାବୁ କରିବାରେ ସକ୍ଷମ ହୋଇଛି ସାଦା ପୋଷାକଧାରୀ ପୋଲିସ ଟିମ । ଗତ କିଛି ବର୍ଷର ବ୍ୟବଧାନ ପରେ ପୁଣି ଥରେ ଦଲଲାଙ୍କୁ ଧରିବାରେ ସକ୍ଷମ ହୋଇଛି ପୋଲିସ ।
ଏମକେସିଜି ମେଡିକାଲର ବିଭିନ୍ନ ସ୍ଥାନରେ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଉଥିଲେ ଏହି ଦଲାଲ ଗୋଷ୍ଠୀ । ସରକାରଙ୍କ ପକ୍ଷରୁ ବିନା ଅର୍ଥରେ ଯୋଗାଇ ଦିଆଯାଉଥିବା ସେବା ପାଇଁ ସେମାନେ ଅର୍ଥ ଦାବି କରୁଥିଲେ । ମେଡିସେନ ଠାରୁ ଆରମ୍ଭ କରି ଅଲଟ୍ରାସାଉଣ୍ଡ, ପାଥୋଲୋଜିକାଲ ସେବା ପାଇଁ ଘରୋଇ କ୍ଲିନିକ ଏବଂ ମେଡିସେନ ଷ୍ଟୋରକୁ ଏହି ଦଲାଲମାନେ ଲୋକଙ୍କୁ ନେଇ ଯାଉଥିବା ଅଭିଯୋଗ ଆସିଥିଲା । ଏହାପରେ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଡ. ଶ୍ରବଣ ବିବେକ ଏମଙ୍କ ନେତୃତ୍ବରେ ଏଭଳି ଦଲାଲଙ୍କୁ ଧରିବା ପାଇଁ ୧୫ ଜଣିଆ ପୋଲିସ ଟିମ ଗଠନ ହୋଇଥିଲା ।
ଇଟିଭି ଭାରତ, ବ୍ରହ୍ମପୁର