ଭୁବନେଶ୍ବର: ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ୨୦୨୨ ବର୍ଷ ପାଇଁ ଘୋଷିତ ହୋଇଛି ୪୦ତମ ରାଜ୍ୟ ଚାରୁକଳା ପୁରସ୍କାର । ତେବେ ଚିତ୍ରଶିଳ୍ପୀ ବଂଶୀଧର ପ୍ରତିହାରୀଙ୍କୁ ପ୍ରଦାନ କରାଯାଇଛି ଧର୍ମପଦ ପୁରସ୍କାର । ୫ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ସହ ତାମ୍ର ଫଳକ ଓ ଅଙ୍ଗ ବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଉପସ୍ଥିତ ପୁରସ୍କାର ପ୍ରଦାନ କରିଛନ୍ତି ।
ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଧର୍ମପଦ ପୁରସ୍କାର ଓ ଶିଳ୍ପୀ ସମ୍ବର୍ଦ୍ଧନା ଏବଂ ୪୦ତମ ରାଜ୍ୟସ୍ତରୀୟ ଚାରୁକଳା ପୁରସ୍କାର ପ୍ରଦାନ କରାଯାଇଛି । ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୨୦୨୨ ବର୍ଷ ପାଇଁ ଚିତ୍ରକଳା ଓ ସ୍ଥାପତ୍ୟ କଳା କ୍ଷେତ୍ରରେ ଏହି ସର୍ବୋଚ୍ଚ ସମ୍ମାନ ଦିଆଯାଇଛି । ଧର୍ମପଦ ପୁରସ୍କାର ପାଇଛନ୍ତି ୯୪ ବର୍ଷୀୟ ଚିତ୍ରଶିଳ୍ପୀ ବଂଶୀଧର ପ୍ରତିହାରୀ । ସେହିପରି ବିଶିଷ୍ଟ ଭାସ୍କର୍ଯ୍ୟ ଓ ଚିତ୍ରଶିଳ୍ପୀ ଜଗବନ୍ଧୁ ମିଶ୍ର, ବିଶିଷ୍ଟ ତାଳପତ୍ର ଚିତ୍ର ଶିଳ୍ପୀ ଲକ୍ଷ୍ମୀଧର ସୁବୁଦ୍ଧି, ବିଶିଷ୍ଟ ପାରମ୍ପରିକ ପଟ୍ଟଚିତ୍ର ଶିଳ୍ପୀ ଭ୍ରମରବର ନାୟକ ଚିତ୍ରଶିଳ୍ପୀ ରମେଶ କୁମାର ବେହେରା ଓ ବିଶିଷ୍ଟ ପ୍ରସ୍ତର ଶିଳ୍ପୀ କେଶବ ଚନ୍ଦ୍ର ମହାରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।
ଧର୍ମପଦ ପୁରସ୍କୃତ ଶିଳ୍ପୀଙ୍କୁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଏବଂ ସମ୍ବର୍ଦ୍ଧିତ ଶିଳ୍ପୀମାନଙ୍କୁ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ସହିତ ତାମ୍ର ଫଳକ ଓ ଅଙ୍ଗ ବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି । ସେହିଭଳି ଏହି ଅବସରରେ ଚାରୁକଳା ପୁରସ୍କାର ପାଇଁ ୭ଜଣ ଶିଳ୍ପୀଙ୍କୁ ପୁରସ୍କୃତ କରାଯାଇଛି । ଭାସ୍କର୍ଯ୍ୟ କଳାରେ ଶିଳ୍ପୀ ପ୍ରତାପ ଚନ୍ଦ୍ର ଜେନା, ଶିଳ୍ପୀ ଅଶାନ୍ତ ଦାସ, ମୁଦ୍ରଣ କଳାରେ ଶିଳ୍ପୀ ରବି ନାରାୟଣ ଗୁପ୍ତା, ଶିଳ୍ପୀ ଟୁକୁନା ଡାକୁଆ, ପାରମ୍ପରିକ ଚିତ୍ରକଳାରେ ଶିଳ୍ପୀ ନିରଞ୍ଜନ ମୁଖି, ଚିତ୍ରକଳା ଶିଳ୍ପୀ ଶିତିକାନ୍ତ ସାମନ୍ତସିହାଂର ଓ ଶିଳ୍ପୀ ଅମିତ କୁମାର ଓଝାଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ସହିତ ତାମ୍ର ଫଳକ ଓ ଅଙ୍ଗ ବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି ।
କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ନିର୍ଦ୍ଦେଶକ ତଥା ସ୍ବତନ୍ତ୍ର ଶାସନ ସଚିବ ରଞ୍ଜନ କୁମାର ଦାସ, ଲଳିତ କଳା ଏକାଡେମୀ ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଉପସ୍ଥିତ ଥିଲେ । ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ର କହିଛନ୍ତି, "୨୦୨୩-୨୪ ମସିହା ବଜେଟରେ ସଂସ୍କୃତି ବିଭାଗ ଆହୁରି ଅଧିକ ଆର୍ଥିକ ସହାୟତା ମିଳିବ । ଯାହା ଆଗାମୀ ଦିନରେ ସଂସ୍କୃତି ବିଭାଗ ଲାଗି ବହୁତ ଭଲ ପଦକ୍ଷେପ ହେବ ।" ଓଡ଼ିଶା ଲଳିତକଳା ଏକାଡେମୀ ଚିତ୍ର ଶିଳ୍ପୀ ଓ ଭାସ୍କର୍ଯ୍ୟ ଶିଳ୍ପୀଙ୍କ ନିରବଚ୍ଛିନ୍ନ ସାଧନା ପାଇଁ ଏହି ପୁରସ୍କାର ୧୯୮୭ ମସିହାରୁ ପ୍ରଦାନ କରାଯାଉଛି ।
ଇଟିଭି ଭାରତ, ଭୁବନେଶ୍ବର