ଭୁବନେଶ୍ବର: ଜଳ ସମ୍ପଦ ବିଭାଗ ପକ୍ଷରୁ ଲୋକସେବା ଭବନରେ ଆୟୋଜିତ ହୋଇଯାଇଛି ବନ୍ଧ ନିରାପତ୍ତା ଆପାତକାଳୀନ କାର୍ଯ୍ୟ ଯୋଜନା ବା ଏମର୍ଜେନ୍ସି ଆକ୍ସନ ପ୍ଲାନ ସଂପର୍କିତ ବୈଠକ । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଅଧ୍ୟକ୍ଷତାରେ ଗୁରୁବାର ଏହି ବୈଠକ ବସିଥିଲା । ନଦୀବନ୍ଧ ସୁରକ୍ଷା ପାଇଁ ଇଏପି ଭଲ ଭାବେ ଅନୁଧ୍ୟାନ କରି ଆବଶ୍ୟକ ପରିବର୍ତ୍ତନ ପ୍ରସ୍ତାବ ଦେବାକୁ ଜିଲ୍ଲାପାଳମାନଙ୍କୁ ବୈଠକରେ ପରାମର୍ଶ ଦିଆଯାଇଛି ।
ବନ୍ୟା, ଭୂକମ୍ପ ବା କୌଣସି ସମ୍ଭାବ୍ୟ ଅପ୍ରତ୍ୟାଶିତ ପ୍ରାକୃତିକ ଦୁର୍ବିପାକରେ ଓଡିଶାରେ ଥିବା ହୀରାକୁଦ ଓ ବିଭିନ୍ନ ଜଳ ଭଣ୍ଡାରର ନଦୀବନ୍ଧ ଉପରେ ପ୍ରଭାବ ପଡିଲେ ପ୍ରସ୍ତୁତି କିପରି ରହିବ, ସେ ସଂପର୍କରେ ବୈଠକରେ ବ୍ୟାପକ ଆଲୋଚନା କରାଯାଇଥିଲା । ନିର୍ଦ୍ଦିଷ୍ଟ ଡ୍ୟାମର ତଦାରଖ, ଯାଞ୍ଚ, ପରିଚାଳନା, ରକ୍ଷଣାବେକ୍ଷଣ ଏବଂ ଏହାର ସୁରକ୍ଷିତ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ଏବଂ ଏହା ସହିତ ଜଡିତ କିମ୍ବା ଆନୁଷଙ୍ଗିକ ବିଷୟଗୁଡିକ ପାଇଁ ସଂସ୍ଥାଗତ ବ୍ୟବସ୍ଥାର ପରିଚାଳନା ନିମନ୍ତେ ୨୦୨୧ ଡିସେମ୍ବର ୧୩ରେ ବନ୍ଧ ନିରାପତ୍ତା ଆଇନ - ୨୦୨୧ ପ୍ରଣୟନ କରାଯାଇଛି । କେନ୍ଦ୍ର ଓ ରାଜ୍ୟ ସ୍ତରରେ ବନ୍ଧ ନିରାପତ୍ତା ପାଇଁ ଚାରିସ୍ତରୀୟ ତଦାରଖ ବ୍ୟବସ୍ଥା ରହିଛି । କେନ୍ଦ୍ର ସ୍ତରରେ ଜାତୀୟ ବନ୍ଧ ସୁରକ୍ଷା କମିଟି ଓ ଜାତୀୟ ବନ୍ଧ ସୁରକ୍ଷା କର୍ତ୍ତୃପକ୍ଷ ରହିଥିବା ବେଳେ ରାଜ୍ୟସ୍ତରରେ ରାଜ୍ୟ ବନ୍ଧ ନିରାପତ୍ତା କମିଟି ଏବଂ ରାଜ୍ୟ ବନ୍ଧ ନିରାପତ୍ତା ସଂସ୍ଥା ରହିଛି ବୋଲି ମତ ରଖିଥିଲେ ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ।
ସେ ଆହୁରି ମଧ୍ୟ କହିଥିଲେ ଯେ, ଏସସିଡିଏସଓ ପ୍ରାକ ଓ ପରବର୍ତ୍ତୀ ମୌସୁମୀ ନିରୀକ୍ଷଣ ବିବରଣୀ ପ୍ରସ୍ତୁତି, ଚିହ୍ନଟକୃତ ଡ୍ୟାମଗୁଡିକର ବାର୍ଷିକ ସ୍ଥିତି, ବିସ୍ତୃତ ବନ୍ଧ ସୁରକ୍ଷା ମୂଲ୍ୟାୟନ, ଜଳସ୍ତରର ସମୀକ୍ଷା, ଜଳର ସ୍ଥିତି, ଆପାତକାଳୀନ ଯୋଜନା, ପରିଚାଳନା ସଂପର୍କରେ କାର୍ଯ୍ୟ କରିଥାଏ । ୧୯୯୧ରୁ ଗଠିତ ଏସଡିଏସଓ ଡ୍ୟାମର ସୁରକ୍ଷା ଓ କାର୍ଯ୍ୟକଳାପ ଉପରେ ନିରନ୍ତର ତଦାରଖ ଓ ରକ୍ଷଣାବେକ୍ଷଣରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ଦାୟିତ୍ୱ ସହକାରେ ନିର୍ବାହ କରୁଥିବାରୁ ବିଶ୍ୱବ୍ୟାଙ୍କ ଓଡ଼ିଶାକୁ ପ୍ରଶଂସା କରିଛି । ଜାତୀୟ ସ୍ତରରେ ଓଡ଼ିଶା ଅନ୍ୟତମ ଅଗ୍ରଣୀ ରାଜ୍ୟ । ଯିଏ ରାଜ୍ୟର ୨୧୦ଟି ନିର୍ଦ୍ଦିଷ୍ଟ ଡ୍ୟାମର ପ୍ରାକ, ବନ୍ୟା ସମୟ ଓ ପରବର୍ତ୍ତୀ ମୌସୁମୀ ଯାଞ୍ଚ କରି ବନ୍ଧ ନିରାପତ୍ତା ଉପରେ ବାର୍ଷିକ ରିପୋର୍ଟ ପ୍ରସ୍ତୁତ କରି ଦେଶର ଅଗ୍ରଣୀ ରାଜ୍ୟ ଭାବରେ ବିଧାନସଭାରେ ତଥ୍ୟ ଉପସ୍ଥାପନ କରିଆସୁଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଭିନ୍ନ ପ୍ରକାର ୪୦୬୪ଟି ଡ୍ୟାମ ରହିଥିବା ବେଳେ ସେଥିରୁ ଚିହ୍ନଟକୃତ ୨୧୦ଟି ବୃହତ ବନ୍ଧ ନିରାପତ୍ତା ଆକ୍ସନ ପ୍ଲାନରେ ରହିଛି ।
ଏହା ମଧ୍ୟ ପଢନ୍ତୁ-ଶିଶୁ ଅଧିକାର ସୁରକ୍ଷା ପାଇଁ ହାତ ମିଳେଇବାକୁ ଆହ୍ବାନ ଦେଲା ଓସିପିସିଆର
''ଏସଡିଏସଓ ବିଶ୍ୱ ବ୍ୟାଙ୍କ ପାଣ୍ଠିପ୍ରାପ୍ତ ଡ୍ରିପ -୧ରେ ୨୬ଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଡ୍ୟାମର ରକ୍ଷଣାବେକ୍ଷଣ କରୁଛି । ଏବଂ ଡ୍ରିପ -୨ ଅଧୀନରେ ଆଉ ୧୩ଟି ଡ୍ୟାମର କାର୍ଯ୍ୟ ପାଇଁ ପଦକ୍ଷେପ ନେଇଛି । ସିଡବ୍ଲ୍ୟୁସିର ପରାମର୍ଶକ୍ରମେ ଜରୁରୀକାଳୀନ କାର୍ଯ୍ୟ ଯୋଜନା ଏବଂ ପରିଚାଳନା ମାନୁଆଲରେ ୨୬ ଉତ୍ତମ ଦସ୍ତାବିଜ ପ୍ରସ୍ତୁତ କରାଯାଇଛି । ଯାହାକୁ ଜାତୀୟ ସ୍ତରରେ ବିଭିନ୍ନ ସମୟରେ ବ୍ୟାପକ ପ୍ରଶଂସା କରାଯାଇଛି । ଏଥିସହିତ ଦେଶରେ ଡ୍ୟାମଗୁଡିକରେ ରହିଥିବା ଥିବା ବଡ଼ ଧରଣର ଅଭାବକୁ ତୁରନ୍ତ ଦୂରକରି ବନ୍ଧ ପରିଚାଳନାକୁ ଗୁରୁତ୍ୱ ଦେବା ପାଇଁ ଓଡ଼ିଶା ରାଜ୍ୟ ସରକାର ବଜେଟରେ ସ୍ୱତନ୍ତ୍ର ଆର୍ଥିକ ବ୍ୟବସ୍ଥା ରଖୁଛନ୍ତି ।''
''ଇଏପି ହେଉଛି ଓଡିଶା ପାଇଁ ପ୍ରସ୍ତୁତ ଏକ ଲିଖିତ ଦସ୍ତାବିଜ । ଯାହା ଏହିଭଳି ବିପର୍ଯ୍ୟୟର ଜରୁରୀକାଳୀନ ପ୍ରସ୍ତୁତିକୁ ନିଶ୍ଚିତ କରିବା ପାଇଁ ଉଦ୍ଦିଷ୍ଟ । ଏଥିରେ ସମ୍ଭାବ୍ୟ ବିପର୍ଯ୍ୟୟ ପରିସ୍ଥିତିରେ ଜଳମଗ୍ନ ହେବାକୁ ଥିବା ଅଞ୍ଚଳ ଓ ପ୍ରଭାବିତ ହେବାକୁ ଥିବା ଜନସଂଖ୍ୟାକୁ ଚିହ୍ନଟ କରାଯାଇଛି । ଧନଜୀବନ କ୍ଷୟକ୍ଷତିକୁ କମ କରିବା ପାଇଁ ଯେକୌଣସି ପରିସ୍ଥିତିରେ ଡ୍ୟାମ ସହିତ ଜଳ ସଂପଦ ବିଭାଗ ଏବଂ ସଂପୃକ୍ତ ବିଭିନ୍ନ ଏଜେନ୍ସି ଦ୍ୱାରା ଅନୁସରଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ନିର୍ଦ୍ଧାରଣ କରାଯାଇଛି । ଇଏପିର ପ୍ରଭାବଶାଳୀ କାର୍ଯ୍ୟକାରିତା ପାଇଁ ବିଭିନ୍ନ ଅଂଶୀଦାରମାନଙ୍କର କ'ଣ କ'ଣ ପଦକ୍ଷେପ ଓ ଭୂମିକା ରହିବ, ସେ ସଂପର୍କରେ ନିଶ୍ଚିତ କରୁଛି । ବନ୍ୟା, ଭୀଷଣ ଝଡ଼ ବାତ୍ୟା, ଭୂକମ୍ପ, ଅନ୍ୟାନ୍ୟ ସମ୍ଭାବ୍ୟ ଅଦୃଷ୍ଟ ବିପର୍ଯ୍ୟୟରେ କଣ ପଦକ୍ଷେପ ନିଆଯିବ । ଏହି ଆକ୍ସନ ପ୍ଲାନର ମୁଖ୍ୟ ଉଦ୍ଦେଶ୍ୟ ।''
''ବନ୍ଧ ସୁରକ୍ଷା ଦାୟିତ୍ୱରେ ରହିଥିବା ଯନ୍ତ୍ରୀ, ଜାତୀୟ ଓ ରାଜ୍ୟସ୍ତରୀୟ ସଂସ୍ଥା, ଭାରତୀୟ ପାଣିପାଗ ବିଭାଗ, କେନ୍ଦ୍ର ଓ ରାଜ୍ୟ ତଦାରଖ ସଂସ୍ଥା, ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଓ ରିଲିଫ କାର୍ଯ୍ୟରେ ନିୟୋଜିତ ରହୁଥିବା କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କର ଏଥିରେ ପ୍ରମୁଖ ଭୂମିକା ରହିଛି । ହଠାତ ଏଭଳି ବିପର୍ଯ୍ୟୟ ସୃଷ୍ଟି ହେଲେ କେତେ ଅଞ୍ଚଳ ଓ କେତେ ଲୋକ ପ୍ରବାବିତ ହେବେ, ଗାଡି ଓ କୋଠା ଉପରେ ତାହା କେତେ ପ୍ରଭାବ ପକାଇବ ସେ ଉପରେ ବନ୍ୟା ପ୍ରଭାବ ମାନଚିତ୍ର ପ୍ରସ୍ତୁତ କରାଯାଇଛି । ଏଥିପାଇଁ ୫ଟି ପର୍ଯ୍ୟାୟରେ ବିସ୍ତୃତ କାର୍ଯ୍ୟାନୁଷ୍ଠାନ ଯୋଜନା ରହିଛି । ଆରମ୍ଭରୁ ଅସ୍ୱାଭାବିକ ଘଟଣା ଜଣାଗଲେ ସଙ୍ଗେ ସଙ୍ଗେ ବନ୍ଧ କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ମିଳିବ, ସତର୍କତାର ପ୍ରକାର, ସୂଚନା ପରବର୍ତ୍ତୀ ତତକ୍ଷଣାତ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବା, କାର୍ଯ୍ୟାନୁଷ୍ଠାନ ଓ ପରବତ୍ତୀ ପରକ୍ଷେପ ସଂପର୍କରେ ଯୋଜନାରେ ରହିଛି । ପ୍ରତି ଜିଲ୍ଲାରେ ପୋଲିସ, ଅଗ୍ନିଶମ ବିଭାଗ, ସେନା ବାହିନୀ, ନୌସେନା ଆଦିଙ୍କ ଭୂମିକା ସଂପର୍କରେ କାର୍ଯ୍ୟ ଯୋଜନା ରହିଛି ।''
''ଆମର ଦୀର୍ଘ ବର୍ଷର ଡ୍ୟାମଗୁଡିକର ନିୟମିତ ରକ୍ଷଣାବେକ୍ଷଣ ଫଳରେ ସେସବୁ ଭଲ ସ୍ଥିତିରେ ରହିଛି । କିନ୍ତୁ ସମ୍ଭାବ୍ୟ ବିପର୍ଯ୍ୟୟ ପରିପ୍ରେକ୍ଷୀରେ ଆମକୁ ପ୍ରସ୍ତୁତ ରହିବାର ଆବଶ୍ୟକତା ରହିଛି ବୋଲି ସେ ପ୍ରକାଶ କରିଛନ୍ତି । ଜିଲ୍ଲାପାଳମାନଙ୍କୁ ଇଏପିରେ ଥିବା ବିଭିନ୍ନ ତଥ୍ୟ ଗୁଡିକର ସଠିକ ଅନୁଧ୍ୟାନ କରି ଆବଶ୍ୟକ ପରିବର୍ତ୍ତନ ପ୍ରସ୍ତାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟ ଶାସନ ସଚିବ ଅଧୁନାତନ କରାଯାଉଥିବା ଇଏପିର ତଥ୍ୟକୁ ଜଳ ସଂପଦ ବିଭାଗକୁ ଜଣାଇବା ସହିତ ଓଡିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସହିତ ସମନ୍ୱିତ କରିବାକୁ କୁହାଯାଇଛି । ଯଦ୍ବାରା ଆବଶ୍ୟକ ସମୟରେ ବିପର୍ଯ୍ୟୟ ପ୍ରାକ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନରେ ସମନ୍ୱୟ ସହଜ ହେବ । ଇଏପିକୁ ଆବଶ୍ୟକ ଅନୁସାରେ ପରିବର୍ତ୍ତନ କରିବା, ଅଂଶୀଦାରମାନଙ୍କ ସହିତ ପରାମର୍ଶ ଓ ବିଭିନ୍ନ ସ୍ତରରେ ଆଲୋଚନା, ବିପର୍ଯ୍ୟୟ ପ୍ରସ୍ତୁତି ମକ ଡ୍ରିଲ କରାଯିବାର ଆବଶ୍ୟକତା ସଂପର୍କରେ ବୈଠକରେ ଆଲୋଚନା କରାଯାଇଛି ।''
ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ, ଓସଡମାର ପରିଚାଳନା ନିର୍ଦ୍ଦେଶକ ଜ୍ଞାନ ଦାସଙ୍କ ସମେତ ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ, ମୁଖ୍ୟ ଯନ୍ତ୍ରୀ, ବନ୍ଧ ନିରାପତ୍ତା ଓ ଅନ୍ୟ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ । ସମସ୍ତ ଜିଲ୍ଲାପାଳ ଭିସି ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ ।
ଇଟିଭି ଭାରତ, ଭୁବନେଶ୍ବର