ନିଆଳି: ଜୟଦେବ ବିଧାୟକ ଅରବିନ୍ଦ ଢାଲିଙ୍କୁ ଅଣ୍ଡାମାଡ । ଏହି ବିଜେଡି ବିଧାୟକଙ୍କ ଦଳ ବିରୋଧୀ କାର୍ଯ୍ୟକୁ ବିରୋଧୀ କରି ବିଜେଡି ସମର୍ଥକମାନେ ଅରବିନ୍ଦ ଢାଲିଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ଅଣ୍ଡା ମାଡ କରିଛନ୍ତି । ବିଧାୟକ ଅରବିନ୍ଦ ଢାଲି ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ବାଲିପାଟଣା ଛକ ନିକଟରେ କିଛି ବିଜେଡି ଗୋଷ୍ଠୀ ତାଙ୍କୁ ଅଣ୍ଡା ମାଡ କରିଥିବା ଅଭିଯୋଗ ହୋଇଛି । ସେପଟେ ଏପରି ଘଟଣା ଘଟିବା ପରେ ଏକ ଭିଡିଓ ଜାରି କରି ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ମାଗିଛନ୍ତି ଜୟଦେବ ବିଧାୟକ ଅରବିନ୍ଦ ଢ଼ାଲି ।
ସୂଚନା ଥାଉକି, ଜୟଦେବ ବିଧାୟକ ଅରବିନ୍ଦ ଢାଲିଙ୍କୁ ବାଲିପାଟଣା ଛକରେ ବିଜେଡ଼ିର ଏକ ଗୋଷ୍ଠୀ ଅଣ୍ଡା ମାଡ କରିବା ସହ ବିଧାୟକଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି । ବାଲିପାଟଣା ଶିଶୁ ଅନନ୍ତପୀଠରେ ଆୟୋଜିତ ଶିଶୁ ଅନନ୍ତ ଜୟନ୍ତୀରେ ଯୋଗ ଦେବା ପାଇଁ ବିଧାୟକ ଆସିବା ବେଳେ ତାଙ୍କୁ ବିରୋଧ କରାଯାଇଥିଲା । ବିଧାୟକ ଅଞ୍ଚଳରେ ଉନ୍ନୟନମୂଳକ କାର୍ଯ୍ୟରେ ସହଯୋଗ କରୁନଥିବାରୁ ବିଜେଡି ଗୋଷ୍ଠୀ ଅଭିଯୋଗ ଆଣିଛନ୍ତି । ବିଧାୟକଙ୍କୁ ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ବିରୋଧ କରିବା ସହ କଳାପତାକା ଦେଖାଇଥିଲେ । ଏହା ସହ ମହିଳାମାନେ ବିଧାୟକଙ୍କ ଗାଡ଼ି ସାମ୍ନାରେ ବସି ରହିଥିଲେ । ପରିସ୍ଥିତିକୁ ସମ୍ଭାଳିବାକୁ ପୋଲିସକୁ ନାକେଦମ୍ ହେବାକୁ ପଡିଥିଲା । ବିଧାୟକଙ୍କୁ ଅଣ୍ଡା ଫିଙ୍ଗିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରି ଥାନାରେ ଅଟକ ରଖିଛି ବାଲିପାଟଣା ଥାନା ପୋଲିସ୍ । ସେପଟେ ଏହି ଘଟଣା ଘଟିବା ପରେ ଜୟଦେବ ବିଧାୟକ ଅରବିନ୍ଦ ଢ଼ାଲି ଏକ ଭିଡିଓ ଜାରି କରିଛନ୍ତି । ଭିଡିଓରେ ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ମାଗିଛନ୍ତି ଏହି ବିଜେଡି ବିଧାୟକ ।
ଏନେଇ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ପବିତ୍ର ପଟେଲ କହିଛନ୍ତି, "କିଛି ବିଜେଡି ଗୋଷ୍ଠୀ ଜୟଦେବ ବିଧାୟକ ଅରବିନ୍ଦ ଢାଲିଙ୍କ ଉପରେ ଅସନ୍ତୋଷ ରହିଛନ୍ତି । ଅରବିନ୍ଦ ଢାଲି ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ରହିଛନ୍ତି । ଦଳ ଅନୁସାରେ ଅରବିନ୍ଦ କାମ କରୁନାହାଁନ୍ତି । ଏଠାରେ ବିଜେଡି ନାମରେ ଜିନ୍ଦାବାଦର ନାରା ଦିଆଯାଇଥିବା ବେଳେ ଅରବିନ୍ଦ ଢାଲିଙ୍କୁ ବିରୋଧ କରାଯାଇ ତାଙ୍କର କୁଶପୁତ୍ତଳିକା ଦାହ କରାଯାଇଛି । ବିଜେଡିର କର୍ମୀମାନେ ଏହି ବିଜେଡି ବିଧାୟକ ଅରବିନ୍ଦ ଢାଲିଙ୍କ ନାମରେ ମୁର୍ଦ୍ଦାବାଦର ନାରା ଦେଇଥିଲେ ।"
ଇଟିିଭି ଭାରତ, ନିଆଳି