ଭୁବନେଶ୍ବର: ଅର୍ଚ୍ଚନା ଲିଙ୍କରେ ପାଓ୍ବାର କରିଡରର ଅଧିକାରୀ । ନେତାଙ୍କ ପରେ ଏବେ ଲେଡି ବ୍ଲାକ୍ମେଲରଙ୍କ ସମ୍ପର୍କରେ ବଡ଼ ଅଧିକାରୀଙ୍କ ଲିଙ୍କ୍ ମିଳୁଛି । ୧୦ ଦିନିଆ ରିମାଣ୍ଡ ବେଳେ ସତ ଓଗାଳିଛି ମଧ୍ୟସ୍ଥି ସାଜିଥିବା ଖଗେଶ୍ବର । ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହେବାପରେ ଖଗେଶ୍ବରଙ୍କୁ କୋର୍ଟରେ ହାଜର କରାଯାଇଥିଲା । ହେଲେ ଖଗେଶ୍ବର ଦେଉଥିବା ତଥ୍ୟରୁ ଅନେକ ତଥ୍ୟ ପଦାକୁ ଆସୁଥିବାରୁ ପୁଣି ୫ ଦିନ ରିମାଣ୍ଡରେ ନେବାକୁ କୋର୍ଟଙ୍କ ନିକଟରେ ଆବେଦନ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ।
କୋର୍ଟଙ୍କ ତଦନ୍ତ ଦିଗ ଓ ଆବଶ୍ୟକତା ସମ୍ପର୍କରେ ଜଣାଇଛି ଇଡି । ତଦନ୍ତ ଆଗକୁ ବଢ଼ାଇବା ପାଇଁ ଖଗେଶ୍ବରର ତଥ୍ୟ ଗୁରୁତ୍ବପୂର୍ଣ୍ଣ । ଏହାପରେ କୋର୍ଟ ପୁନଃ ଖଗେଶ୍ବରକୁ ୩ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି । ସୂତ୍ର ମୁତାବକ କିଛି ବଡ଼ ଅଧିକାରୀଙ୍କ ଡ୍ରାଇଭର ଜରିଆରେ ଗିଫ୍ଟ ଦିଆଯାଉଥିଲା । ବର୍ତ୍ତମାନ ସେମାନେ ମଧ୍ୟ ଇଡି ସ୍କାନରରେ ଆସିଛନ୍ତି । ଏକ ଜନ୍ମଦିନ ପାର୍ଟିରୁ ଅର୍ଚ୍ଚନା ସହ ବଡ଼ ଅଧିକାରୀଙ୍କ ଭାବ ବଢ଼ିଥିଲା । ଏବେ ପ୍ରଶ୍ନ ଉଠି ସେହି ବ୍ୟୁରୋକ୍ରାଟ ବା ଅଧିକାରୀ ଜଣକ କିଏ ? ଯିଏ ଅର୍ଚ୍ଚନା ସହ ଏତେ ଘନିଷ୍ଠ ଥିଲେ ।
କେବଳ ସେତିକି ନୁହେଁ ଆଉ ଜଣେ ଅଧିକାରୀ ବାରବାଟୀ ଷ୍ଟାଡିୟମ ଯିବାକୁ ଅର୍ଚ୍ଚନାଙ୍କୁ ଟିକେଟ ଦେଇଥିଲେ । ଜଣେ ଅଧିକାରୀ ଏଭଳି କେଳେଙ୍କାରୀ ପାଇଁ ନିଜ ପଦବୀରୁ ତଡ଼ା ଖାଇଥିବା ଖବର ମିଳିଛି । ଅଧିକାରୀଙ୍କ ଠାରୁ ଅନୁକମ୍ପା ଉପହାର ପାଇଥିଲେ ଅର୍ଚ୍ଚନା । କିଛି ଅଧିକାରୀଙ୍କ କଳା ଟଙ୍କା ଧଳା କରିବାର ମାଧ୍ୟମ ସାଜିଥିଲେ ଅର୍ଚ୍ଚନା ଓ ଜଗବନ୍ଧୁ ।
ମଧ୍ୟସ୍ତି ବୋଲାଉଥିବା ଖଗେଶ୍ବର ମଧ୍ୟ ଜଣେ ଜଣାଶୁଣା ନେତାଙ୍କ ପୁତୁରା ସହ ଭଲ ସମ୍ପର୍କ ରଖିଥିଲେ । ତେଣୁ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ପ୍ରତ୍ୟେକ ଚାଲ୍ ବିଷୟରେ ଜାଣିଥିଲେ ଖଗେଶ୍ବର । ଅନେକ ଗୁମର ଲୁଚାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ଇଡିର ଘନଘନ ପ୍ରଶ୍ନ ବାଣରେ ଖଗେଶ୍ବର ତଥ୍ୟ ଦେବାକୁ ବାଧ୍ୟ ହୋଇଛନ୍ତି । ଆଉ ୩ ଦିନ ରିମାଣ୍ଡରେ ଖଗେଶ୍ବର ଅନେକ ହାଇପ୍ରୋଫାଇଲ ଲିଙ୍କ୍ ସାମ୍ନାକୁ ଆସିପାରେ । ଏହାପରେ ସେମାନଙ୍କ ନିକଟକୁ ସମନ ପଠାଇବ ଇଡି ।
ଏହାପୂର୍ବରୁ ୧୫ ଜଣଙ୍କୁ ସମନ କରିଛି ଇଡି । ଅକ୍ଷୟ ପରିଜାଙ୍କ ଭଳି ଅନେକ ହାଇପ୍ରୋଫାଇଲ ଏବେ ଇଡି ସ୍କାନରରେ । ତେବେ ଆଗକୁ କାହାକୁ ସମନ ଯାଉଛି ଓ କିଏ ହାଜର ହେଉଛି ତାହାରି ଉପରେ ରହିଛି ସଭିଁଙ୍କ ନଜର । ସେପଟେ ରିମାଣ୍ଡକୁ ନେଇ ଇଡି ଓକିଲ କହିଛନ୍ତି ଯେ, ତଦନ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରିମାଣ୍ଡ ଅନୁମତି ମିଳିଛି । ଆବଶ୍ୟକ ପଡ଼ିଲେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ରିମାଣ୍ଡରେ ଆଣିପାରେ ଇଡି ।
ଇଟିଭି ଭାରତ, ଭୁବନେଶ୍ବର