ଭୁବନେଶ୍ବର: ପଣ୍ୟ ପରିବହନ କ୍ଷେତ୍ରରେ ଭାରତୀୟ ରେଳ ଜୋନ୍ ତାଲିକାର ଶୀର୍ଷରେ ପୂର୍ବତଟ ରେଳପଥ । ୨୦୨୨- ୨୩ ଆର୍ଥିକ ବର୍ଷରେ ୨୪୧.୫୧ ମିଲିଅନ ଟନ୍ର ପଣ୍ୟ ପରିବହନ କରିଛି ପୂର୍ବତଟ ରେଳବାଇ । ଭାରତୀୟ ରେଳପଥରେ ପୂର୍ବତଟ ରେଳପଥ ଚଳିତ ୨୦୨୨-୨୩ର ଆର୍ଥିକ ବର୍ଷରେ ପଣ୍ୟ ପରିବହନରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛି । ଏହାର ଲକ୍ଷ୍ୟ ଧାର୍ଯ୍ୟ ଠାରୁ ଅଧିକ ୨୪୧.୫୧ ମିଲିଅନ ଟନ୍ ପଣ୍ୟ ପରିବହନ କରିଛି । ପରିବହନ କ୍ଷେତ୍ରରେ ଏପରି କରିବାରେ ପୂର୍ବତଟ ରେଳପଥ ପ୍ରଥମ ଜୋନ୍ ଭାବେ ଭାରତୀୟ ରେଳରେ ଇତିହାସ ସୃଷ୍ଟି କରିଛି ।
ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ପୂର୍ବତଟ ରେଳପଥ ୯.୩୭ ମିଲିଅନ୍ ଟନ୍ ଅଧିକ ପଣ୍ୟ ପରିବହନ କରିଛି । ପୂର୍ବତଟ ରେଳବାଇ ଦ୍ୱାରା କରାଯାଇଥିବା ସମୁଦାୟ ଲୋଡିଂରେ ୬୪ ପ୍ରତିଶତ ଅବଦାନ ସହିତ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ପୁନର୍ବାର ପୂର୍ବ ତଟ ରେଳବାଇରେ ପ୍ରଥମ ସ୍ଥାନ ହାସଲ କରିଛି । ଭାରତୀୟ ରେଳବାଇ ଦ୍ୱାରା ମୋଟ ଲୋଡିଂର ୧୦ ପ୍ରତିଶତ ଅଂଶୀଦାର କରି ଖୋର୍ଦ୍ଧା ରୋଡ଼ ମଣ୍ଡଳ ଭାରତୀୟ ରେଳବାଇରେ ତୃତୀୟ ସ୍ଥାନ ହାସଲ କରିଛି । ତେବେ ଏଠାରେ ସୂଚନା ଯୋଗ୍ୟ ଯେ, ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ୨୩୨.୧୩ ମିଲିଅନ ଟନ୍ ପଣ୍ୟ ପରିବହନ କରିଥିଲା ପୂର୍ବତଟ ରେଳପଥ ।
ପୂର୍ବତଟ ରେଳପଥ ହେଉଛି ଭାରତୀୟ ରେଳର ଏକମାତ୍ର ରେଳପଥ, ଯାହା ଚଳିତ ଆର୍ଥିକ ବର୍ଷରେ ଧାର୍ଯ୍ୟ ୨୨୦ ମିଲିଅନ୍ ଟନ୍, ୨୩୦ ମିଲିଅନ୍ ଟନ୍ ଏବଂ ୨୪୦ ମିଲିଅନ୍ ଟନ୍ ପଣ୍ୟ ପରିବହନର ମାଇଲଷ୍ଟୋନକୁ ଅତିକ୍ରମ କରିଛି । ଭାରତୀୟ ରେଳ ମନ୍ତ୍ରଣାଳୟ ପୂର୍ବତଟ ରେଳପଥ ପାଇଁ ୨୪୦.୬୦ ମିଲିଅନ୍ ଟନ୍ ପଣ୍ୟ ପରିବହନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ଯାହା ୨୦୨୨-୨୩ ଆର୍ଥିକ ବର୍ଷରେ ସଫଳତାର ସହ ଏହି ଲକ୍ଷ୍ୟ ହାସଲ ହୋଇଛି ।
ପୂର୍ବତଟ ରେଳପଥ ଚଳିତ ଆର୍ଥିକ ବର୍ଷରେ ଦୈନିକ ହାରାହାରି ୧୦ ହଜାର ୱାଗନ ଉପରେ ଏହାର ସର୍ବଶ୍ରେଷ୍ଠ ଲୋଡିଂ କରିପାରିଛି । ଜନତାଙ୍କ ବିରୋଧ ଓ ଆନ୍ଦୋଳନ, ଲୋଡିଂ ଓ ଅନଲୋଡିଂରେ ଶ୍ରମିକଙ୍କ ସମସ୍ୟା, ମାଓବାଦୀ କାର୍ଯ୍ୟକଳାପ ଏବଂ ଅନ୍ୟାନ୍ୟ ରେଳ ନିର୍ମାଣ କାର୍ଯ୍ୟରେ ଉପୁଜିଥିବା ଅନେକ ସମସ୍ୟା ଏବଂ ପ୍ରତିକୂଳ ପରିସ୍ଥିତି ପରେ ମଧ୍ୟ ପୂର୍ବତଟ ରେଳପଥର ଏହା ଏକ ଉଲ୍ଲେଖନୀୟ ପ୍ରଦର୍ଶନ। ରେଳ ମନ୍ତ୍ରଣାଳୟର ଅଭିନବ ପଦକ୍ଷେପ ଏବଂ ଉପଯୁକ୍ତ ତଥା ପ୍ରମୁଖ ହସ୍ତକ୍ଷେପ ଦ୍ୱାରା ଗତ ବର୍ଷର ଲୋଡିଂକୁ ଅତିକ୍ରମ କରିଛି।
ଉପରୋକ୍ତ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ କୋଇଲା ହେଉଛି ପୂୂର୍ବତଟ ରେଳପଥ ଦ୍ୱାରା ପରିବାହିତ ମୁଖ୍ୟ ପଣ୍ୟଦ୍ରବ୍ୟ, ଯାହା ପ୍ରାୟ ୧୪୯.୬୪ ମିଲିଅନ ଟନ୍ର । କୋଇଲା ପରେ ୨୫.୫୬ ମିଲିଅନ ଟନ୍ର ଲୁହା, ୧୯.୩୩ ମିଲିଅନ ଟନ୍ର ଷ୍ଟିଲ୍, ୫.୯୦ ମିଲିଅନ ଟନ୍ର ଫର୍ଟିଲାଇଜର କଣ୍ଟେନର୍, ଷ୍ଟିଲ୍ ପ୍ଲାଣ୍ଟ ପାଇଁ ୭.୭୯ ମିଲିଅନ ଟନ୍ର କଞ୍ଚା ପଣ୍ୟ ପରିବହନ ହୋଇଛି । ଭାରତର ୬୮ଟି ଡିଭିଜନ ମଧ୍ୟରୁ ଖୋର୍ଦ୍ଧା ରୋଡ୍ ଡିଭିଜିନ ଏବଂ ୱାଲ୍ଟେର ଡିଭିଜନ ପଣ୍ୟ ପରିବହନରେ ଯଥାକ୍ରମେ ତୃତୀୟ ଏବଂ ଷଷ୍ଠ ସ୍ଥାନ ହାସଲ କରିଛନ୍ତି । ଖୋର୍ଦ୍ଧା ରୋଡ୍ ଡିଭିଜନରେ ୧୫୫.୩୪ ମିଲିଅନ ଟନ୍, ୱାଲ୍ଟେର ଡିଭିଜନରେ ୬୯.୬୩ ମିଲିଅନ ଟନ୍ ଏବଂ ସମ୍ବଲପୁର ଡିଭିଜନରେ ୧୬.୫୪ ମିଲିଅନ୍ ଟନ୍ ପଣ୍ୟ ପରିବହନ କରାଯାଇଛି ।
ଗତ ଆର୍ଥିକ ବର୍ଷରେ ଭାରତୀୟ ରେଳର ମୋଟ୍ ଲୋଡିଂ ୧୫୧୨.୦୭୩ ମିଲିଅନ ଟନ୍ ଉପରେ ପୂର୍ବତଟ ରେଳପଥର ୧୫ ପ୍ରତିଶତ ଯୋଗଦାନ ରହିଛି । ପୂର୍ବତଟ ରେଳପଥ ପରେ ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳପଥ ଚଳିତ ଆର୍ଥିକ ବର୍ଷରେ ୨୧୪.୫୮ ମିଲିଅନ ଟନ୍ ପରିବହନ କରି ଦ୍ୱିତୀୟ ସର୍ବାଧିକ ଲୋଡିଂ ଜୋନ୍ ହୋଇଥିବା ବେଳେ ଦକ୍ଷିଣ ପୂର୍ବ ରେଳପଥ ତୃତୀୟ ସ୍ଥାନରେ ୨୦୨.୬୧ ମିଲିଅନ ଟନ୍ ଲୋଡିଂ କରିଛି । ଏନେଇ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ସମସ୍ତ ରେଳ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇବା ସହ ୩ଟି ଡିଭିଜନର ପରିଶ୍ରମୀ ତଥା ଉତ୍ସର୍ଗୀକୃତ କର୍ମଚାରୀଙ୍କୁ ଏହି ସଫଳତା ପାଇଁ ପୂର୍ଣ୍ଣ ଶ୍ରେୟ ଦେଇଛନ୍ତି ।
ଇଟଭି ଭାରତ, ଭୁବନେଶ୍ବର ଓ ଖୋର୍ଦ୍ଧା