ବ୍ରହ୍ମପୁର: ନକଲି ମୃଦୁ ପାନୀୟ ଫ୍ୟାକ୍ଟ୍ରି ଉପରେ ଚଢ଼ାଉ ପ୍ରସ୍ତୁତି ଉପକରଣ ଓ ମେସିନ ଜବତ । ନକଲି ପାଣି ବୋତଲ ସହ ମୃଦ୍ୟୁ ପାନୀୟ ଫ୍ୟାକ୍ଟ୍ରି ଉପରେ ଚଢ଼ାଉ କରାଯିବା ସହିତ ଏହାର ପ୍ରସ୍ତୁତି ଉପକରଣ ଓ ମେସିନକୁ ଜବତ କରାଯିବା ସହିତ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି ।
ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପାଟପୁର ଥାନା ଇଲାକାରେ ଦୀର୍ଘ ଦିନ ଧରି ବେଆଇନ ଭାବେ ଖୋଲାଯାଇଥିବା ଏଭଳି ଏକ ନକଲି ଫ୍ୟାକ୍ଟ୍ରି ଗୁଡିକରେ ପାଟପୁର ପୋଲିସ ପକ୍ଷରୁ ବିଭିନ୍ନ ସମୟରେ ଚଢ଼ାଉ କରାଯାଇଛି । ମଙ୍ଗଳବାର ସ୍ଥାନୀୟ ଖଣ୍ଡଦେଉଳି ଗ୍ରାମର ଏକ ଘର ମଧ୍ୟରେ ଚାଲିଥିବା ନକଲି ପାଣି ବୋତଲ , ମୃଦୁ ପାନୀୟ ଜଳ ସମେତ ଛୋଟ ପିଲାଙ୍କ କୁରକୁରେ ଚିପ୍ସ ପ୍ରସ୍ତୁତି କାରଖାନା ଉପରେ ଅତର୍କିତ ଚଢାଉ କରାଯାଇଥିଲା । ଏହି ମାମଲାରେ ପୋଲିସ ୨୦ଲକ୍ଷରୁ ଉର୍ଦ୍ଧ୍ଵ ପ୍ରସ୍ତୁତି ଉପକରଣ କଞ୍ଚାମାଲ ଓ ମେସିନ ଗୁଡ଼ିକ ଜବତ କରିଥିବା ବେଳେ ଏହି ଘଟଣାରେ ଆଶିଷ କୁମାର ମଣ୍ଡଳ ନାମକ ଜଣେ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା କୁହାଯାଇଛି । ଏ ନେଇ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଠାକୁର ପ୍ରସାଦ ପାତ୍ର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ସୂଚନାନୁଯାୟୀ ଆଶିଷ ଖଣ୍ଡଦେଉଳି ଗ୍ରାମର ଏକ ଘର ଭିତରେ ୬ ମାସରୁ ଉର୍ଦ୍ଧ୍ବ ଦିନ ଧରି ବେଆଇନ ଭାବରେ ବିନା ଅନୁମତିରେ ପାନୀୟ ଜଳ ବୋତଲ , ମୃଦୁ ପାନୀୟ ଜଳ ଓ ବିଭିନ୍ନ ପ୍ରକାରର ଚିପ୍ସ ପ୍ରସ୍ତୁତ କରି ଗଞ୍ଜାମ ଓ ଗଜପତି ଜିଲ୍ଲାରେ ନିଜର ବ୍ୟବସାୟ କରିଆସୁଥିଲେ । ହେଲେ ଏ ନେଇ ପାଟପୁର ପୋଲିସ ଏକ ବିଶେଷ ସୁତ୍ରରୁ ଖବରପାଇ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ନେତୃତ୍ବରେ ଏହି ଟିମ୍ ଉକ୍ତ ନକଲି ଫ୍ୟାକ୍ଟ୍ରି ଉପରେ ଚଢ଼ାଉ କରିଥିଲା । ଏହି ଚଢାଉରେ ପୋଲିସ ଘର ମଧ୍ୟରେ ରହିଥିବା ୯୮୦ ଗୋଟି ପ୍ୟାକେଟ୍ ପାଣି ବୋତଲ , ୮୦୦ ରୁ ଉର୍ଦ୍ଧ୍ବ ବିଭିନ୍ନ ବ୍ରାଣ୍ଡ ମୃଦୁ ପାନୀୟ ବୋତଲ , ହୋଲଗ୍ରାମ , ଚିପ୍ସ ସମେତ ପ୍ରସ୍ତୁତ ନିମନ୍ତେ ସ୍ଥଗିତ ରଖାଯାଇଥିବା କଞ୍ଚାମାଲ ଓ ଅକ୍ସିଜେନ ସିଲିଣ୍ଡର , ୱାଟର ଫିଲଟର ସିଲିଣ୍ଡର ଭଳି ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ