ଭୁବନେଶ୍ବର: ବଦଳିବ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଠିକଣା । ନ' ତାଲାରୁ ସ୍ଥାନାନ୍ତାର ହେବ ନିର୍ଦ୍ଦେଶାଳୟ । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଭୁବନେଶ୍ବର ସ୍ଥିତ ୟୁନିଟ-୨ ୟୁପି ସ୍କୁଲ କୋଠାରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଆରମ୍ଭ ହେବ । ବର୍ତ୍ତମାନ ନ’ତାଲାରେ ଥିବା ୩୫୨୬ ବର୍ଗଫୁଟର ଏହି ନିର୍ଦ୍ଦେଶାଳୟରେ ଅନେକ ଜାଗା ଅଭାବ ରହିଛି । ସୀମିତ ଜାଗାରେ କାମ କରିବା ଅଧିକାରୀ ଏବଂ କର୍ମଚାରୀଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡୁଛି । ତେଣୁ ଅଧିକାରୀ ଏବଂ କର୍ମଚାରୀ ଏକ ସୁସ୍ଥ ପରିବେଶ ମଧ୍ୟରେ କାମ କରିବାକୁ ହେଲେ ଉନ୍ନତ କୋଠାକୁ ନିର୍ଦ୍ଦେଶାଳୟ ସ୍ଥାନାନ୍ତରିତ ହେବାର ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ଖାଲି ପଡ଼ିଥିବା ଭୁବନେଶ୍ବରର ୟୁନିଟ-୨ ୟୁପି ସ୍କୁଲ କୋଠାକୁ ଡିଏସଇ ଉଠିଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।
ବର୍ତ୍ତମାନ ସମୟରେ ନ’ ତାଲାରେ ଥିବା ଏହି ନିର୍ଦ୍ଦେଶାଳୟରେ ସମ୍ମିଳନୀ କକ୍ଷ, ପ୍ରତୀକ୍ଷା କକ୍ଷ, ରେକର୍ଡ ରୁମ୍, ଷ୍ଟୋର୍ ରୁମ୍ ଆଦି ନଥିବାବେଳେ ମହିଳା କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର ଶୌଚାଳୟର ମଧ୍ୟ ସୁବିଧା ନାହିଁ । ଦୁଇଜଣ ଅଧିକାରୀ/କର୍ମଚାରୀ ୧୨୦ ବର୍ଗଫୁଟ ଆକାରର ଛୋଟ ଗୃହକୁ ଭାଗ କରି କାର୍ଯ୍ୟ କରୁଛନ୍ତି । ୧୧୮ ଜଣ କର୍ମଚାରୀ ଏଠାରେ କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି । ବିଲ୍ଡିଂ ଷ୍ଟାଣ୍ଡାର୍ଡ ନିୟମ ମୁତାବକ କାର୍ଯ୍ୟାଳୟରେ ଜଣେ କର୍ମଚାରୀ କାର୍ଯ୍ୟ କରିବା ପାଇଁ ସର୍ବନିମ୍ନ ୧୦୦ ବର୍ଗଫୁଟ ଆବଶ୍ୟକ । ତେଣୁ ନିର୍ଦ୍ଦେଶାଳୟର କର୍ମଚାରୀ ଏବଂ ଅଧିକାରୀଙ୍କ ସୁବିଧା ପାଇଁ ମୋଟ୍ ୧୧,୮୦୦ ବର୍ଗଫୁଟ୍ ଜାଗା ଆବଶ୍ୟକ ପଡୁଛି । ଆବଶ୍ୟକ ଜାଗା ଠାରୁ ପ୍ରାୟ ଏକ ତୃତୀୟାଂଶରେ ନିର୍ଦ୍ଦେଶାଳୟ କାର୍ଯ୍ୟ କରୁଛି ।
ଏହାମଧ୍ୟ ପଢନ୍ତୁ: ଚାଙ୍ଗ୍ଗୁଙ୍ଗ୍ ବିଶ୍ୱବିଦ୍ୟାଳୟ ସହିତ ମିଳିତ ଭାବେ କାର୍ଯ୍ୟ କରିବ AIIMS ଭୁବନେଶ୍ବର
ଏଥିପାଇଁ ନିର୍ଦ୍ଦେଶାଳୟ ପକ୍ଷରୁ ଆବଶ୍ୟକ ମୁତାବକ ଖାଲି ଜାଗା ମନୋନୟନ ହୋଇଛି । ୟୁନିଟ-୨ରେ ଥିବା ବାଳିକା ଉଚ୍ଚ ବିଦ୍ୟାଳୟ ସହ ୟୁପି ସ୍କୁଲ ମିଶ୍ରଣ ହେବା ପରେ ଏହି କୋଠା ଖାଲି ପଡ଼ିଛି । ତେଣୁ ଉକ୍ତ ସ୍କୁଲ କୋଠା ଏବଂ ଏହାର ପରିସରକୁ ମରାମତି ତଥା ନବୀକରଣ କରି ଡିଏସଇକୁ ହସ୍ତାନ୍ତର କରିବା ପାଇଁ ଅନୁରୋଧ କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର