ଖୋର୍ଦ୍ଧା: ହଜିଯାଇଛି ମଣିଷ ପଣିଆ । ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଅଣଦେଖା ଦିବ୍ୟାଙ୍ଗ ନାବାଳକ । ପୋଲିସ ବାବୁ ଓ ସରକାରୀ କର୍ମଚାରୀ ଉପସ୍ଥିତି ଥାଇ ମଧ୍ୟ କାହାରି ନଜର ପଡିନଥିଲା ବାଳକ ଉପରେ । ସେମିତି ଚଟାଣ ଉପରେ ଗଡୁଥିଲା ଦିବ୍ୟାଙ୍ଗ ପିଲାଟି । ଏବେ ସେହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି ।
ଏ ଘଟଣାଟି ହେଉଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକର । ଗତ ସୋମବାର ଜିଲ୍ଲାପାଳଙ୍କ ଶୁଣାଣି ଶିବିରରେ ଦେଖିବାକୁ ମିଳିଥିଲା ଏ ଦୃଶ୍ୟ । ଦିବ୍ୟାଙ୍ଗ ଜଣକ ବୋଲଗଡ଼ ବ୍ଲକର ମଣ୍ଡଳସିଂହ ଗାଁର ହେମନ୍ତ ସାହୁଙ୍କ ପୁଅ ବଳରାମ । ପିଲାଟି ଦିନରୁ ସେ ଦିବ୍ୟାଙ୍ଗ ଥିବାବେଳେ ବାପା ଦିନ ମଜୁରିଆ । ପୁଅର ଚିକିତ୍ସା ପାଇଁ ନିଜ ସଞ୍ଚିତ ଟଙ୍କା ଖର୍ଚ୍ଚ କରି ସର୍ବସ୍ୱାନ୍ତ ହୋଇପଡିଲେଣି।
ଅନ୍ୟପଟେ, ତାଙ୍କ ପାଇଁ ସରକାର ଯୋଜନା ଯେମିତି ସପନ ପାଲଟିଛି। ଭତ୍ତା ପାଇଁ ବାରମ୍ବାର ବ୍ଲକ ଅଫିସ ଦୌଡି ଦୌଡି ନିରାଶ ହେବା ପରେ ଜିଲ୍ଲାପାଳଙ୍କ ନିକଟକୁ ଆସିଥିଲେ ଅଭିଯୋଗ ଶୁଣାଇବାକୁ। ଏଠି ତ ଯେମିତି ମଣିଷ ପଣିଆ ହିଁ ହଜିଯାଇଛି । ଆହେ ପଦେ କହିବାକୁ ଯେମିତି ସେଠାରେ କେହି ନଥିଲେ।
ଖୋର୍ଦ୍ଧାରୁ ଗୋବିନ୍ଦ୍ର ଚନ୍ଦ୍ର ପଣ୍ଡା, ଇଟିଭି ଭାରତ