ଭୁବନେଶ୍ବର: ରାଜ୍ୟରେ ଡେଙ୍ଗୁ ସ୍ଥିତି ଉଦ୍ବେଗଜନକ ଥିବାବେଳେ ବର୍ତ୍ତମାନ ଝାଡ଼ାବାନ୍ତି ଭୟ ଘାରିଲାଣି । ଗତ କିଛି ହେଲା ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ପଞ୍ଚାୟତରେ ଝାଡ଼ାବାନ୍ତି ବ୍ୟାପି ୨ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଉକ୍ତ ଅଞ୍ଚଳର ୧୨ରୁ ଊର୍ଦ୍ଧ୍ୱ ରୋଗୀଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତେ ଏବେ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସିନ୍ଧେକେଲାକୁ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ପଠାଯାଇଛି ।
ବିଭାଗୀୟ ତଥ୍ୟ ଅନୁଯାୟୀ, ରାଜ୍ୟରେ ୨୦୨୦ରୁ ୨୦୨୧ ମସିହା ମଧ୍ୟରେ ୨୦୯ଟି ନମୂନା ପରୀକ୍ଷା ହୋଇଥିବା ବେଳେ ୧୧ ଜଣ ଝାଡାବାନ୍ତି ରୋଗରେ ଆକ୍ରାନ୍ତ ହୋଇଥିଲେ । ସେଥିମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ସେହିପରି ୨୦୨୧-୨୨ରେ ୨୦୦୭ଟି ନମୂନ ସଂଗ୍ରହ ହୋଇଥିବା ବେଳେ ୬୯ ରୋଗୀ ଚିହ୍ନଟ ହୋଇଥିଲେ । ଉକ୍ତ ବର୍ଷ ମୃତ୍ୟୁସଂଖ୍ୟା ୩୦କୁ ବୃଦ୍ଧି ପାଇଥିଲା । ତେବେ ଚଳିତ ବର୍ଷ ଜୁନ୍ ମାସ ସୁଦ୍ଧା ୩୧୪ ନମୂନା ପରୀକ୍ଷାରୁ ୧୦ ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା ।
ଏହାମଧ୍ୟ ପଢନ୍ତୁ: ପିପିଲିକାନି ଆଶ୍ରମ ବିଦ୍ୟାଳୟର ଛାତ୍ରୀ ମୃତ, ସ୍କୁଲରେ ଉତ୍ତେଜନା
ପରବର୍ତ୍ତୀ ସମୟରେ ଜୁଲାଇ ମାସ ୪ ତାରିଖରେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ଅଞ୍ଚଳରେ ଝାଡାବାନ୍ତି ଆକ୍ରାନ୍ତରେ ୩ ଜଣଙ୍କର ଜୀବନ ଯାଇଥିଲା । ଏହି ମୃତ୍ୟୁ ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜୁଲାଇ ୧୦ରେ ଝାଡାବାନ୍ତି ରୋକିବା ପାଇଁ ଇଣ୍ଟିଗ୍ରେଟେଡ୍ କ୍ୟାମ୍ପ ଆରମ୍ଭ ହୋଇଥିଲା । ଏହା ଅନ୍ତର୍ଗତ ଜିଲ୍ଲାଗୁଡିକରେ ପାଣି ଉତ୍ସଗୁଡିକ ବିଶୋଧନ କରାଯାଇଥିଲା । ତେବେ ଏହି କ୍ୟାମ୍ପ୍ର ଏକ ମାସ ପରେ ବଲାଙ୍ଗୀର ସିନ୍ଧେକେଲାରେ ୨ ଜଣ ଝାଡ଼ାବାନ୍ତି ରୋଗରେ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଊର୍ଦ୍ଧ୍ବ ଏବେ ବି ଗୁରୁତର ଅଛନ୍ତି ।
ଅନ୍ୟପକ୍ଷରେ ବଲାଙ୍ଗୀରରେ ଝାଡବାନ୍ତି ସ୍ଥିତି ନିୟନ୍ତ୍ରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୋମବାର ୨ ଜଣ ବିଶେଷଜ୍ଞକୁ ଘଟଣାସ୍ଥଳକୁ ପଠାଯାଇଛି । ରାଜ୍ୟ ଆର୍ଆର୍ଟି ସଭ୍ୟ ଡାକ୍ତର ସୁରଜିତ ଗରାବଡ଼ୁ ଓ ମହାମାରୀ ବିଶେଷଜ୍ଞ ଡାକ୍ତର ସୁନିତା ଜେନା ସିନ୍ଧେକେଲାରେ ସ୍ଥିତି ଅନୁଧ୍ୟାନ କରି ବଲାଙ୍ଗୀର ସିଡିଏମ୍ଓ ଓ ବିଏଚ୍ଓଙ୍କୁ ରିପୋର୍ଟ କରିବେ । ସେହିପରି ଡିଏମ୍ଇଟି ପକ୍ଷରୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରୁ ଏକ ଟିମ୍ ନିୟୋଜିତ ପାଇଁ ନିର୍ଦ୍ଦେଶ ହୋଇଛି । ଏହି ଟିମ୍ରେ କମ୍ୟୁନିଟି ମେଡିସିନ୍, ମାଇକ୍ରୋବାଇଲୋଜି ବିଶେଷଜ୍ଞ ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ରହି ଚିକିତ୍ସା ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର