ଭୁବନେଶ୍ବର: ପୁଣି ଉଠିଲା ଆବାସ ଘର କଥା । ଆବାସ ହିତାଧିକାରୀ ଚୟନକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆବାସ ହିତାଧିକାରୀ ଚୟନ ତାଲିକାରେ ସାଧୁତା ଅବଲମ୍ବନ କରନ୍ତୁ ରାଜ୍ୟ ସରକାର ବୋଲି ଭୁବନେଶ୍ବରର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏହା କହିଛନ୍ତି କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ର ସରକାର ଓଡିଶା ପାଇଁ ନିୟମକୁ କୋହଳ କରିଥିବା କାରଣରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । 2018ରୁ 2019 ଅଧା ପର୍ଯ୍ୟନ୍ତ ଆବାସ ପ୍ଲସ ପୋର୍ଟାଲ ଖୋଲା ହୋଇ ରହିଲା ହେଲେ ଓଡ଼ିଶା ସରକାର କୌଣସି ଯୋଗ୍ୟ ହିତାଧିକାରୀଙ୍କ ନାଁ ଭରିଲେ ନାହିଁ । ଏଥିସହ ବାରମ୍ବାର ଅନୁରୋଧ ସତ୍ତ୍ୱେ ମଧ୍ୟ ଦିଲ୍ଲୀରେ ହୋଇଥିବା ବୈଠକରେ 8 ଲକ୍ଷ ଘର ପିଏମ ଆବାସ ପ୍ଲସ ପୋର୍ଟାଲ ଖୋଲିବା ପରେ ଦିଆଯିବ ବୋଲି କହିଥିଲେ । ଏଥିସହ ଦେଢ଼ ଲକ୍ଷ ଫନି କ୍ଷତିଗ୍ରସ୍ତଙ୍କୁ ଦିଆଯିବ ବୋଲି ମଧ୍ୟ ନିଷ୍ପତି ହେଲା । କେନ୍ଦ୍ର ସରକାରଙ୍କ ସର୍ତ୍ତ ଅନୁସାରେ ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯିବା ନେଇ ରାଜ୍ୟ ସରକାର ହଁ ଭରିଥିଲେ ।
ହେଲେ ଆଜି ଯାଏଁ ଉପଯୁକ୍ତ ହିତାଧିକାରୀ ଏହି ଯୋଜନାର ସୁବିଧା ପାଇପାରିଲେ ନାହିଁ । କିନ୍ତୁ ଏବେ ବିଭିନ୍ନ ବ୍ଲକରେ ତାଲିକା ଲଗାଯିବା ପରେ ହିଁ ଅନେକ ଯୋଗ୍ୟ ହିତାଧିକାରୀ ଙ୍କ ନାଁ ନ ଥିବା କଥା ସାମ୍ନା କୁ ଆସିଛି । ପୂର୍ବରୁ 18 ଲକ୍ଷ ଘର ଆସିବା ପରେ ବି ସମାନ ଅଭିଯୋଗ ଆସିଥିଲା । ଆଉ ଏବେ ସାଢେ 9 ଲକ୍ଷ ଘର ମିଳିବା ପରେ ଯୋଗ୍ୟ ଲୋକଙ୍କୁ ଘର ମିଳୁ ବୋଲି କେନ୍ଦ୍ର ସରକାର କହିଛନ୍ତି । ଏଥିସହ ଏ ଦାୟିତ୍ୱ ରାଜ୍ୟ ସରକାରଙ୍କୁ ନେବାକୁ ପଡିବ ଯେପରି ଉପଯୁକ୍ତ ହିତାଧିକାରୀ ଯୋଜନାର ଲାଭ ପାଇବେ । ହେଲେ ଏବେ ଟଙ୍କା ଆସିବା ପରେ ଵି ଯଦି ଯୋଗ୍ୟ ଲୋକ ଘର ପାଇବେ ନାହିଁ ତା ହେଲେ ଏହା ଗମ୍ଭୀର ବିଷୟ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ତେବେ ରାଜ୍ୟରେ ଦୀର୍ଘ ଦିନ ହେବ ଆବାସ ହିତାଧିକାରୀ ଚୟନ ନେଇ ରାଜ୍ୟ ଓ କେନ୍ଦ୍ର ଭିତରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି । ରାଜ୍ୟ ସରକାର ହିତାଧିକାରୀଙ୍କ ତାଲିକା ବ୍ଲକ, ପଞ୍ଚାୟତରେ ମାରିବା ପରେ ମଧ୍ୟ ବିରୋଧୀ ଅଭିଯୋଗ ଆଣିଛନ୍ତି କି ଏ ତାଲିକାରେ କେତେ ସ୍ୱଚ୍ଛତା ଅଛି ତାହା ଏବେ ପ୍ରଶ୍ନବାଚୀ ।
ଇଟିଭି ଭାରତ, ଭୁବନେଶ୍ବର