![Dharmendra Pradhan writes letter to Gadkari](https://etvbharatimages.akamaized.net/etvbharat/prod-images/11-11-2023/20001105_ppp.jpg)
ଭୁବନେଶ୍ବର: ଛତିଶଗଡର ରାୟଗଡ଼ରୁ ତାଳଚେରର ବହ୍ଲର ପର୍ଯ୍ୟନ୍ତ ଥିବା ଜାତୀୟ ରାଜପଥ ହେବ ୮ ଲେନ୍ । କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପରେ ଲୋକଙ୍କ ମନରେ ଏହି ଆଶା ସଞ୍ଚରିତ ହୋଇଛି । ଦ୍ରୁତଶିଳ୍ପର ସମ୍ଭାବନାକୁ ଦୃଷ୍ଟିରେ ରଖି ଏନେଇ ବିଚାର କରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ଅନୁରୋଧ କରିଛନ୍ତି ।
ଚିଠିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି, "ରାୟଗଡ଼ରୁ ତାଳଚେରର ବହ୍ଲର ପର୍ଯ୍ୟନ୍ତ ଲମ୍ବିଥିବା ପ୍ରାୟ ୩୦୦ କିମି ରାଜପଥ ୩ଟି ପ୍ରମୁଖ ଶିଳ୍ପ କ୍ଷେତ୍ର ତଥା ଇବ୍ ଉପତ୍ୟକା, ହୀରାକୁଦ ଅଞ୍ଚଳ ଏବଂ ତାଳଚେର-ଅନୁଗୋଳ ଭଳି ଶିଳ୍ପାଞ୍ଚଳକୁ ସଂଯୁକ୍ତ କରୁଛି । ତାପଜ ବିଦ୍ୟୁତ କେନ୍ଦ୍ର, ଲୁହା, ଆଲୁମିନିୟମ, କୋଇଲା ଖଣି ସହ ଅନେକ ଶିଳ୍ପ ଅନୁଷ୍ଠାନ ଏହି ରାଜପଥରେ ରହିଛି । ସାମ୍ପ୍ରତିକ ସମୟରେ ଏହି ଅଞ୍ଚଳରେ ଦ୍ରୁତ ଶିଳ୍ପାୟନ ଏବଂ ଅର୍ଥନୈତିକ କାର୍ଯ୍ୟ ଅଭିବୃଦ୍ଧି କେବଳ ଓଡ଼ିଶା ନୁହେଁ ବରଂ ଭାରତର ଶିଳ୍ପାୟନ ମେରୁଦଣ୍ଡ ହୋଇଛି ।"
ଏହା ବି ପଢନ୍ତୁ- ବିପଦକୁ ହାତ ଠାରି ଡାକୁଛି NH 49, ଯାଉଛି ନିରୀହ ଜୀବନ
ସେ ଆହୁରି କହିଛନ୍ତି, "କନକତୋରା, ଝାରସୁଗୁଡାରୁ ତିଳେଇବଣି ଦେଇ ଯାଇଥିବା NH– ୪୯ ଏବଂ ଦେବଗଡ଼-ରିଆମାଳ-ଗୋଡିବନ୍ଧ-ବହ୍ଲର ଦେଇ ଯାଇଥିବା NH- ୫୩ ସମ୍ପ୍ରସାରଣ ହୋଇଛି । ବିଗତ ୮ ବର୍ଷରେ ଏହି ରାଜପଥର ସମ୍ପ୍ରସାରଣ ସହ ଅନେକ ଉନ୍ନତିକରଣର କାମ ହୋଇଛି । ଏବେ ବିଭିନ୍ନ ପ୍ୟାକେଜରେ ଅନେକ ବିକାଶମୂଳକ କାମ ସହିତ NH-୪୯ ଏବଂ NH-୫୩କୁ ୪ ଲେନ ବିଶିଷ୍ଟ ରାସ୍ତାରେ ସମ୍ପ୍ରସାରଣ କରାଯାଉଛି । ଆଗାମୀ ବର୍ଷ ଗୁଡ଼ିକରେ ଏହି ରାସ୍ତା ଦେଇ ଟ୍ରାଫିକ୍, ମାଲ ପରିବହନ ଏବଂ ଶିଳ୍ପ ପରିବହନ ପରିମାଣ ଦ୍ରୁତ ଗତିରେ ବୃଦ୍ଧି ପାଇବ ।"
ତେବେ ଇବ୍ ଉପତ୍ୟକା, ହୀରାକୁଦ, ଅନୁଗୋଳ–ତାଳଚେରରେ ଥିବା ଅପାର ସମ୍ଭାବନାକୁ ଦୃଷ୍ଟିରେ ରଖି ଏହି ଜାତୀୟ ରାଜପଥକୁ ୮ ଲେନ ବିଶିଷ୍ଟ ଅର୍ଥନୈତକ କୋରିଡର ଭାବରେ ପରିଣତ କରିବା ପାଇଁ ବିଚାର କରିବାକୁ କେନ୍ଦ୍ରମନ୍ତ୍ରୀ ବିଭାଗୀୟ ସଡକ ପରିବହନ ଓ ରାଜପଥ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର । ଏହାଦ୍ବାରା ଏହି ସବୁ ଅଞ୍ଚଳରେ ବର୍ତ୍ତମାନ ଏବଂ ଆଗାମୀ ଶିଳ୍ପ ପାଇଁ ଏକ ଉନ୍ନତମାନର ଭିତ୍ତିଭୂମି ସୁନିଶ୍ଚିତ କରିବା ସହିତ ସମଗ୍ର ରାଜ୍ୟ ଏବଂ ଦେଶର ଅର୍ଥନୀତିକୁ ଗତି ଦେବାରେ ସହାୟକ ହେବ ବୋଲି ଧର୍ମେନ୍ଦ୍ର ଚିଠିରେ ଉଲ୍ଲେଖ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ