ଭୁବନେଶ୍ବର: କଟକ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ମେ ୩୧ ସୁଦ୍ଧା ଧବଳେଶ୍ୱର ପୋଲ ଓ ଝୁଲା ପୋଲ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ସୂଚନା ମିଳିଛି । ସେହିପରି ପୁରୁଣା କଟକ-ସମ୍ବଲପୁର ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଖୁଣ୍ଟୁଣୀ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପରିଣତ କରିବା ପାଇଁ ବିଭାଗୀୟ ସଚିବଙ୍କ ସହିତ ଆଲୋଚନା କରିଛନ୍ତି ମନ୍ତ୍ରୀ ।
ମହାନଦୀ ଉପରେ ନୂତନ ଧବଳେଶ୍ବର ପୋଲର ନିର୍ମାଣ କାର୍ଯ୍ୟ, ଧବଳେଶ୍ବର ଝୁଲାପୋଲର ନବୀକରଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଲୋକସେବା ଭବନରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ବିଜୁ ସେତୁ ଯୋଜନାରେ ଧବଳେଶ୍ବର ପୀଠକୁ ସଂଯୋଗ କରୁଥିବା ସେତୁର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ମନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ ଏବଂ ବରିଷ୍ଠ ଯନ୍ତ୍ରୀମାନଙ୍କ ସହିତ ମନ୍ତ୍ରୀ ଆଲୋଚନା କରିଛନ୍ତି । ଧାର୍ଯ୍ୟ ସମୟରେ ସେତୁର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ନିଷ୍ପତ୍ତି ଅନୁଯାୟୀ ୨୦୨୩ ମେ’ ୩୧ ତାରିଖ ମଧ୍ୟରେ ପୋଲର ନିର୍ମାଣ କାର୍ଯ୍ୟ ଶେଷ କରାଯିବ । ନିର୍ମାଣ ସଂପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଡ୍ରୋନ କ୍ୟାମେରା ଦ୍ବାରା ନିୟମିତ ଭାବେ ନିର୍ମାଣ କାର୍ଯ୍ୟର ଫଟୋଚିତ୍ର ଉତ୍ତୋଳନ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ସେହିପରି ଧବଳେଶ୍ବର ଝୁଲାପୋଲର ମରାମତି ଓ ନବୀକରଣ କାର୍ଯ୍ୟ ନିମନ୍ତେ ଖ୍ୟାତନାମା ଏଜେନ୍ସିକୁ ନିୟୋଜିତ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ଅନ୍ୟ ଏକ ବୈଠକରେ ମନ୍ତ୍ରୀ କଟକ ଜିଲ୍ଲା ଦେଇ ଯାଇଥିବା ପୁରୁଣା କଟକ-ସମ୍ବଲପୁର ରାସ୍ତାର ପ୍ରଶସ୍ତୀକରଣ ଓ ସୁଦୃଢ଼ୀକରଣ ଉପରେ ବିଭାଗୀୟ ଅଧିକାରୀମାନଙ୍କ ସହିତ ବିଶଦ ଭାବରେ ଆଲୋଚନା କରିଛନ୍ତି ।
ରାସ୍ତା ପ୍ରଶସ୍ତିକରଣ ନିମନ୍ତେ ରାସ୍ତା ପାର୍ଶ୍ବରୁ ଇଲେକଟ୍ରିକ ଖୁଣ୍ଟ ସ୍ଥାନାନ୍ତରଣ ଦିଗରେ ଟିପିସିଓଡିଏଲ ପକ୍ଷରୁ ବ୍ୟୟ ଅଟକଳ ଦାଖଲ କରାଯାଇଛି । ଏ ଦିଗରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରାଯାଇଛି । ଆରଡବ୍ଲୁଏସଏସ ଡିଭିଜନ ଅଧିନରେ ପାଣି ପାଇପ ଲାଇନ ସ୍ଥାନାନ୍ତରଣ କାର୍ଯ୍ୟ କରାଯାଉଛି । ରାସ୍ତାକଡ଼ରେ ଥିବା ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଦିଗରେ ଆଠଗଡ଼ ତହସିଲଦାର ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ଏଥି ସହିତ ଆଠଗଡ଼ ଉପଜିଲ୍ଲାପାଳ, ଆର ଆଣ୍ଡ ବି, ଚାରବାଟିଆ ଡିଭିଜନର ଏସିଇ, ପିଏଚ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ, ଟିପିସିଓଡିଏଲ, କଟକର ନିର୍ବାହୀ ଯନ୍ତ୍ରୀ ଓ ଆଠଗଡ଼ ତହସିଲଦାରଙ୍କୁ ନେଇ ଏକ ଯୁଗ୍ମ କମିଟି ଗଠନ କରାଯିବ । ରାସ୍ତା ପାର୍ଶ୍ବର ଉଚ୍ଛେଦ କାର୍ଯ୍ୟ ଏବଂ ଅନ୍ୟାନ୍ୟ ସେବାର ସ୍ଥାନାନ୍ତରଣ କାର୍ଯ୍ୟର ସମୀକ୍ଷା କରାଯିବା ପାଇଁ ବୈଠକରେ ସ୍ଥିର କରାଯାଇଛି । ଏଥି ସହିତ ରାସ୍ତା ପାର୍ଶ୍ବରେ ବୃକ୍ଷରୋପଣ କାର୍ଯ୍ୟ ଆଠଗଡ଼ ବନଖଣ୍ଡ ଅଧିକାରୀଙ୍କ ଦ୍ବାରା କରାଯିବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ବୈଠକରେ ଆଲୋଚନା ହୋଇଛି । ଖୁଣ୍ଟୁଣି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଉନ୍ନୀତ କରାଯିବା ନେଇ ବୈଠକରେ ଆଲୋଚନା ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର