ଖୋର୍ଦ୍ଧା: ଲୋକକଳା, ଲୋକ ବାଦ୍ୟ ଓ ଲୋକଗୀତ ଆଦି ଉତ୍କଳୀୟ ସଂସ୍କୃତି ଓ ପରମ୍ପରା ଅନନ୍ୟ ନିଦର୍ଶନ ହେଉଛି ଦଣ୍ଡ ଯାତ୍ରା । ବ୍ରତଧାରୀଙ୍କ ଆସ୍ଥା, ବିଶ୍ବାସ ଓ ନିଷ୍ଠାର ପ୍ରତୀକ ଏହି ପର୍ବ । ଖୋର୍ଦ୍ଧା ଜିଲ୍ଲାର ପ୍ରତି ଗାଁରେ ଦଣ୍ଡ ପର୍ବ ପାଳନ କରାଯାଉଛି । କୋରୋନା କଟକଣା କୋହଳ ପରେ ଉତ୍ସବ ମୁଖର ହୋଇଉଠିଛି ଗାଁ ଦାଣ୍ଡ । ଢୋଲ ଶବ୍ଦର ତାଳେ ଉଠିପଡୁଛି ଗାଁ । ଟାଣ ଖରାରେ ଗାଁ ଦାଣ୍ଡରେ ଦଣ୍ଡ ଗଡୁଛନ୍ତି ଦଣ୍ଡୁଆ । କେତେବେଳେ ଢୋଲର ତାଳେ ତାଳେ ଦଣ୍ଡୁଆ ନାଚୁଛନ୍ତି ତ ଆଉ କେତେବେଳେ ଧୂଳିରେ ଗଡୁଛନ୍ତି ।
ଆମ ରାଜ୍ୟ ସଂସ୍କୃତି ପରମ୍ପରାର ଗନ୍ତାଘର ହୋଇଥିବା ବେଳେ ଏହି ଦଣ୍ଡ ଯାତ୍ରା ଏକ ନିଆରା ପର୍ବ । ଖୋର୍ଦ୍ଧା ଜିଲ୍ଲାର ପ୍ରତି ଗାଁରେ ଏହି ପର୍ବକୁ ଧୁମଧାମରେ ପାଳନ କରାଯାଏ । ଚୈତ୍ରମାସ ଆସିଲେ ପାଟ ଦଣ୍ଡୁଆମାନେ ନିଜର ମାନସିକ ରଖି ଏହାକୁ ପାଳନ କରନ୍ତି । ଆରମ୍ଭ ଦିନରୁ ଭିନ୍ନ ଭିନ୍ନ ଗାଁ ବୁଲିବା ପରେ ପଣା ସଂକ୍ରାନ୍ତି ଦିନ ଏକ ବିରାଟ ଶୋଭାଯାତ୍ରା କରି ଗାଁ ପରିକ୍ରମା କରାଯାଏ । ଏହାପରେ ମାଆଙ୍କ ଶକ୍ତି ପୀଠରେ ପଣା ଲାଗିହୁଏ । ଗାଁରେ ସମସ୍ତେ ନିଜ ଘର ଆଗରେ କଳସ ବସାଇ ଠାକୁରଙ୍କ ବାହୁଡାକୁ ସ୍ବାଗତ କରିଥାନ୍ତି । ଏହି ପର୍ବରେ ଦଣ୍ଡୁଆମାନେ ମାନସିକ ରଖି ନିଜ ଶରୀରକୁ ଦଣ୍ଡ ଦେଇଥାନ୍ତି ।
ଦଣ୍ଡଯାତ୍ରା ମୁଖ୍ୟତଃ ୨୧ ଦିନଧରି ପାଳନ କରାଯାଏ । ଦଣ୍ଡ ପର୍ବରେ ଦଣ୍ଡୁଆମାନେ ପାଣିଦଣ୍ଡ, ମେରୁଦଣ୍ଡ, ଧୂଳିଦଣ୍ଡ ଓ ନିଆଁ ଦଣ୍ଡ କରିଥାନ୍ତି । ରାତିରେ ମଧ୍ୟ ଦଣ୍ଡୁଆମାନେ ଦଣ୍ତ ଖେଳ, ଦଣ୍ଡ ସୁଆଙ୍ଗ ଭଳି ନୃତ୍ୟ କରିଥାନ୍ତି । ପୁଅ ପିଲାମାନେ ନିଜକୁ ଝିଅ ବିଭିନ୍ନ ନାରୀ ବେଶରେ ସଜିତ କରି ଭଗବାନ କାଳୀ ଓ ଶିବଙ୍କୁ ଉପାସନା କରିଥାନ୍ତି । ସେହିପରି ଦଣ୍ଡ ଉପାସକଙ୍କ ଶରୀରରେ କାଳିସୀ ଉଭା ହୋଇ ଲୋକଙ୍କ ମନସ୍କାମନା ପୂର୍ଣ୍ଣ କରନ୍ତି । ଏହି ପର୍ବ ପଣା ସଂକ୍ରାନ୍ତି ଦିନ ଉଦଯାପିତ ହୋଇଥାଏ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ