ଭୁବନେଶ୍ବର: ସୁଧୁରିବାରେ ଲାଗିଛି ବରିଷ୍ଠ ରାଜନେତା ଦାମୋଦର ରାଉତଙ୍କ ସ୍ବାସ୍ଥ୍ୟ ଅବସ୍ଥା । ଆସନ୍ତା କିଛିଦିନ ମଧ୍ୟରେ ସୁସ୍ଥ ହୋଇ ସେ ଘରକୁ ଫେରିବେ ବୋଲି ତାଙ୍କ ପୁଅ ତଥା ବିଧାୟକ ସମ୍ବିତ ରାଉତରାୟ ଆଶାବାଦୀ । ବାପାଙ୍କ ଉପରେ ଦଳର ବହିଷ୍କାର ଆଦେଶ ଆଉ ଟିକେ ଆଗରୁ ଉଠିଥିଲେ ଭଲ ହୋଇଥାନ୍ତା ବୋଲି ସମ୍ବିତ କହିଛନ୍ତି । ଦାମଙ୍କ ଉପସ୍ଥିତିର ପ୍ରଭାବ କେତେ ପଡିବ ତାହା ସମୟ କହିବ ବୋଲି ସମ୍ବିତ କହିଛନ୍ତି ।
ସମ୍ବିତ କହିଛନ୍ତି, "ଦାମ ବାବୁଙ୍କୁ ଦଳକୁ ଫେରାଇ ଆଣିବା ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି । ଏହା କେତେ ପ୍ରଭାବ ପକାଇବ ସମୟ କହିବ । ଦାମ ବାବୁଙ୍କ ଉପରୁ ବହିଷ୍କାର ଅଦେଶ ହଟିଥିବାରୁ ଲୋକେ ବହୁତ ଖୁସି । ଦାମ ବାବୁ ପ୍ରଚାର କରନ୍ତୁ ବା ଘରେ ବସନ୍ତୁ ଲୋକେ ଖୁସି ଅଛନ୍ତି । ପାରାଦ୍ବୀପ ଓ ଏରସମା ଲୋକେ ବହୁତ ଖୁସି । ଦାମ ବାବୁ ପ୍ରଚାର କଲେ ନିଶ୍ଚୟ ପ୍ରଭାବ ପଡିବ । କିନ୍ତୁ ସେ ପ୍ରଚାର ପାଇଁ ଯିବାକୁ କେତେ ଦୂର ସକ୍ଷମ ହେବେ ତାହା ସମୟ କହିବ । ବହିଷ୍କାର ଆଦେଶ ଆଉ ଟିକେ ଆଗରୁ ଉଠିଥିଲେ ଭଲ ହୋଇଥାନ୍ତା । ଟିକେ ଡେରି ହୋଇଗଲା, ସେ ଅସୁସ୍ଥ ହୋଇଗଲେ । ଯିବା ପୂର୍ବରୁ ସମ୍ମାନ ସହିତ ଯିବି ବୋଲି ସେ କହିଥିଲେ । ତେଣୁ ବର୍ତ୍ତମାନ ଯେଉଁ ସମ୍ମାନ ଫେରି ପାଇଛନ୍ତି, ସେଥିପାଇଁ ମୁଁ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଉଛି ।"
ଏହା ମଧ୍ୟ ପଢ଼ନ୍ତୁ...ଦାମଙ୍କ ଉପରୁ ବହିଷ୍କାର ହଟିବା ପରେ ଭୋ ଭୋ କାନ୍ଦିଲେ ପୁଅ ସମ୍ବିତ
ଦାମ ରାଉତ ସୁସ୍ଥ ହୋଇ ପୁନର୍ବାର ରାଜନୈତିକ ଜୀବନକୁ ଫେରନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି ପୁଅ ସମ୍ବିତ । ସେ କହିଛନ୍ତି, "ବହିଷ୍କାର ଆଦେଶ ପ୍ରତ୍ୟାହାର ବାବଦରେ ଜାଣିବା ପରେ ବାପାଙ୍କ ଆଖି କଣରେ ଟୋପେ ଲୁହ ଜକେଇ ଆସିଥିଲା । ଦାମ ବାବୁ କଥା କହିପାରୁନଥିଲେ, କିନ୍ତୁ ସବୁ ଶୁଣୁଥିଲେ । ଗଣମାଧ୍ୟମର ପ୍ରିୟ ନେତା ଥିଲେ ଦାମ ରାଉତ । ବାପାଙ୍କ ଶରୀରରେ ୟୁରିଆ ସ୍ତର ବୃଦ୍ଧି ହୋଇଥିଲା । ସେଥିପାଇଁ ଡାଏଲିସିସ୍ କାରିବାକୁ ଡାକ୍ତର ନିଷ୍ପତ୍ତି ନେଇଛନ୍ତି । ମଝିରେ ସୋଡିୟମ ମାତ୍ରା ମଧ୍ୟ ବୃଦ୍ଧି ହୋଇଥିଲା । ଏବେ ଠିକ ଅଛି । ଆସନ୍ତା 3ରୁ 4 ଦିନ ପରେ ଘରକୁ ଆସିବେ ବୋଲି ଆଶା ।"
ଏହା ମଧ୍ୟ ପଢ଼ନ୍ତୁ...ବିଜେଡିକୁ ଫେରିଲେ ଦାମୋଦର, ମୁଖ୍ୟମନ୍ତ୍ରୀ ନବୀନ ହଟାଇଲେ ବହିଷ୍କାର
ତେବେ ଜଗତସିଂହପୁର ଜିଲ୍ଲାରେ ବିଜେଡି ଗୋଷ୍ଠୀ କନ୍ଦଳକୁ ଅସ୍ବୀକାର କରିଛନ୍ତି ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟ । ସେ କହିଛନ୍ତି, "ବିଜୁ ପରିବାର ବହୁତ ବଡ ପରିବାର । ଏତେ ବଡ଼ ପରିବାରରେ ଟିକେ ଟଣାଓଟରା ହୁଏ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଆଗକୁ ନିର୍ବାଚନ ଆସୁଛି । ତେଣୁ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ବଢ଼ିବ । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ସମସ୍ତେ ମୁଣ୍ଡପାତି ମାନିବେ । ଜିଲ୍ଲାରେ ଗୋଟେ ବି ନିର୍ବାଚନ ମଣ୍ଡଳୀରେ ବିଦ୍ରୋହର ସମ୍ଭାବନା ନାହିଁ । ଜଗତସିଂହପୁର ଜିଲ୍ଲାରେ ଦଳରୁ ବାହାରି କେହି ସ୍ଵାଧୀନ ଭାବେ ଛିଡା ହେବେନାହିଁ । ଦଳରେ ସମସ୍ତେ ବିଜୁ ଓ ନବୀନ ପ୍ରେମୀ ।"
ଇଟିଭି ଭାରତ, ଭୁବନେଶ୍ବର