ବଲାଙ୍ଗୀର: ଦୁଲୁକୁଛି ବଲାଙ୍ଗୀର ଜିଲ୍ଲାର ପ୍ରସିଦ୍ଧ ସୁଲିଆ ପୀଠ । ଆରମ୍ଭ ହୋଇଛି ଆଦିବାସୀ ଲୋକ ମହୋତ୍ସବ-୨୦୨୫ । ବଳି ଯାତ୍ରା ପାଇଁ ପ୍ରସିଦ୍ଧ ସୁଲିଆ ପୀଠ ଏବେ ଆଦିବାସୀର ପାରମ୍ପରିକ ଗୀତନୃତ୍ୟ ଚଲଚଞ୍ଚଳ ହୋଇଉଠିଛି ।
- ସୁଲିଆ ପୀଠରେ ଆଦିବାସୀ ମହୋତ୍ସବ ପାଳନ:
ବଲାଙ୍ଗୀର-ସୋନପୁର ଜିଲ୍ଲା ସୀମାନ୍ତରେ ଥିବା ଆଦିବାସୀଙ୍କ ପ୍ରସିଦ୍ଧ ସୁଲିଆ ପୀଠରେ ଅନୁଷ୍ଠିତ ହୋଇଯାଇଛି ଆଞ୍ଚଳିକ ମହୋତ୍ସବ-୨୦୨୫ । ଆଦିବାସୀ ପାରମ୍ପରିକ ନୃତ୍ୟ ଗୀତରେ ଦୁଲୁକୁଛି ସୁଲିଆ ପୀଠ । ତେବେ ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ଆଦିବାସୀ ତାଙ୍କ ମଶାଲ ଯାତ୍ରା କରିଥିଲେ । ଆଦିବାସୀ ଢୋଲ ମହୂରୀ ବାଦ୍ୟ ସହ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଆଦିବାସୀ ମଶାଲ ଶୋଭାଯାତ୍ରା କରିଥିଲେ । ସୁଲିଆ ପୀଠରେ ଏହି ମଶାଲ ସ୍ଥାପିତ ହେବା ପରେ ସେଠି ଆଦିବାସୀଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ, ନୃତ୍ୟଗୀତ ସହିତ କଂସ ଦରବାର ଆରମ୍ଭ ହୋଇଥିଲା ।
- ବିକାଶର ପ୍ରତିଶ୍ରୁତି ଦେଲେ ବିଧାୟକ:
ଏହି ମହୋତ୍ସବରେ ସ୍ଥାନୀୟ ବିଧାୟକ କଳିକେଶ ନାରାୟଣ ସିଂହଦେଓ ସାମିଲ ହେବା ସହ ଅଞ୍ଚଳର ବିକାଶର ପ୍ରତିଶ୍ରୁତି ଦେଇଛନ୍ତି । ଏହି ଅବସରରେ ସେ କହିଛନ୍ତି," ଐତିହାସିକ ସୁଲିଆ ବୁଢା ପୀଠ ପଶ୍ଚିମ ଓଡିଶାର ପ୍ରସିଦ୍ଧ ପୀଠ । ଲକ୍ଷ ଲକ୍ଷ ଲୋକ ଏଠାକୁ ସୁଲିଆ ଯାତ୍ରାରେ ଆସୁଛନ୍ତି । ତେବେ ଏହାର ବିକାଶ ଜରୁରୀ । ପୂର୍ବରୁ ଏଠିକାର ରାସ୍ତା ଓ ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସେହିପରି ଏ ଅଞ୍ଚଳରେ ପିଇବା ପାଣି ପାଇଁ ଗତ ସରକାର 65 କୋଟି ଟଙ୍କା ଦେଇଥିଲେ । ଯାହାର କାମ ଏ ବର୍ଷ ସରିବ । ଏହି ଅଞ୍ଚଳର ଉନ୍ନତି ପାଇଁ ମୁଁ ଆହୁରି 30 କୋଟି ଟଙ୍କା ଦାବି କରିବି ଏବଂ ଏ ପୀଠକୁ ଏକ ପର୍ଯ୍ୟଟନସ୍ଥଳୀ ଘୋଷଣା ପାଇଁ ମଧ୍ୟ ମୁଁ ପଦକ୍ଷେପ ନେବି ।"
ଏହାମଧ୍ୟ ପଢନ୍ତୁ... 4 ଜିଲ୍ଲାକୁ ନେଇ ଆୟୋଜିତ ହେବ ‘ଉତ୍ସବ ଉତ୍ତର ଓଡିଶା’ ବଡ଼ବିଲ ‘ମିନି ଭାରତ’, ଭାଇଚାରା ସଂସ୍କୃତି ଓ ପରମ୍ପରା ଅନନ୍ୟ: ମୁଖ୍ୟମନ୍ତ୍ରୀ |
- ତିନି ଦିନ ଧରି ଅନୁଷ୍ଠିତ ହେବ ମହୋତ୍ସବ:
ଅନ୍ୟପଟେ ଆୟୋଜକ ଲକ୍ଷ୍ମଣ ମେହେର କହିଛନ୍ତି,"ଐତିହାସିକ ସୁଲିଆ ପୀଠରେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାର ଲୋକଙ୍କୁ ନେଇ ପ୍ରଥମ କରି ଏହି ମହୋତ୍ସବ ଆୟୋଜିତ ହେଉଛି । ଯାହାର ମୁଖ୍ୟ ଉଦ୍ଦେଶ୍ୟ ଉଭୟ ସୁଲିଆ ପୀଠ ସହିତ ଏ ଅଞ୍ଚଳର ବିକାଶ । ଏହି ମହୋତ୍ସବ ତିନି ଦିନ ଧରି ଏଠି ପାଳନ ହେବ । ଯେଉଁଥିରେ 16ଟି ଟିମ୍ ଏଠି ନୃତ ଗୀତ ପରିବେଷଣ କରିବେ। ସେହିପରି କଂସ ଦରବାର ମଧ୍ୟ ଅନୁଷ୍ଠିତ ହେବ ।" ଏହି ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ବ୍ୟଙ୍ଗ କବି ରସରାଜ ଅଚ୍ୟୁତ ପୁରୋହିତ, ଦେଓଗାଁ ବ୍ଲକ ଅଧ୍ୟକ୍ଷ ସାମିଲ ହୋଇଥିଲେ ।
ଇଟିଭି ଭାରତ, ବଲାଙ୍ଗୀର