ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଆଜି ସନ୍ଧ୍ୟାରେ ଅବପାତର ରୂପ ନେଇପାରେ। ଆସନ୍ତାକାଲି ସାମୁଦ୍ରିକ ଝଡର ରୂପ ନେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ପରେ ୧୧ ତାରିଖ ବେଳକୁ ଏହା ଉତ୍ତର ଓ ଉତ୍ତର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଆଡକୁ ଗତି କରିବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଅର୍ଥାତ ୧୨ ତାରିଖ ବେଳକୁ ବାତ୍ୟା ତାର ଗତିପଥ ବଦଳାଇ ଉତ୍ତର ଓ ଉତ୍ତର ପୂର୍ବ ଦିଗକୁ ଗତି କରି ବାଂଲାଦେଶ ଓ ମିଆଁମାର ଉପକୂଳ ଛୁଇଁପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି ।
ତେବେ ବାତ୍ୟା ଓଡ଼ିଶାର କେତେ ପାଖ ଦେଇ ଯିବ ଓ ତାର ଗତିପଥ କ’ଣ ହେବ ବାତ୍ୟାର ରୂପ ନେବା ପରେ ଏହା ଜଣାପଡିବ ବୋଲି ବିଭାଗ ସୂଚନା ଦେଇଥିବା ବେଳେ ଏହା ଉପରେ ନଜର ରହିବା ସହ ପରବର୍ତ୍ତୀ ପର୍ଯ୍ୟବେକ୍ଷଣ ଉପରେ ନଜର ରହିଥିବା କହିଛି ପାଣିପାଗ ବିଭାଗ। ସେହିପରି ବାତ୍ୟା ହେବା ସମୟରେ ପବନର ବେଗ ମଧ୍ୟ ଅଧିକ ରହିବ। କାଲିଠାରୁ ପବନର ବେଗ ୪୦ ରୁ ୬୫ ରହିବ । ଏହା ଫଳରେ ଦକ୍ଷିଣପୂର୍ବ ବଙ୍ଗୋପସାଗର, ଆଣ୍ଡାମାନ ଦ୍ବିପପୁଞ୍ଜ ଓ ଆଣ୍ଡାମାନ ସାଗର ଅଞ୍ଚଳରେ ସମୁଦ୍ର ଆଶାନ୍ତ ରହିବ । ସମୁଦ୍ର ଭିତରେ ସର୍ବାଧିକ ଘଣ୍ଟା ପ୍ରତି ୧୦୦ ରୁ ୧୨୦ କି.ମି, ବେଗରେ ୧୧ ଓ ୧୨ ତାରିଖ ବେଳକୁ ବହିବାର ସମ୍ଭାବନା ଥିବା ବେଳେ ଆହୁରି ଆଶାନ୍ତ ହୋଇପାରେ ସମୁଦ୍ର ।
ବିଶେଷ କରି ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଦକ୍ଷିଣ ଆଣ୍ଡାମାନ ଅଞ୍ଚଳରେ ଏହାର ପ୍ରଭାବ ରହିବ। ଏହାକୁ ନେଇ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ପରେ ଏହା ଯେତେବେଳେ ଉତ୍ତର ଆଣ୍ଡାମାନ ଆଡକୁ ଗତି କରିବ, ସେତେବେଳେ ୯ ରୁ ୧୩ ତାରିଖ ପର୍ଯ୍ୟନ୍ତ ଉତ୍ତର ଆଣ୍ଡାମାନ ଦୀପ ଓ ସାଗର ଅଞ୍ଚଳରେ ପ୍ରବଳ ବର୍ଷା ସହ ପବନର ବେଗ ରହିବ । ଏହି ସମୟରେ ଆଣ୍ଡାମାନକୁ ପର୍ଯ୍ୟଟଙ୍କ ସୁରକ୍ଷାକୁ ନେଇ କେହି ଯାତ୍ରା ବା ବୁଲାବୁଲି କରିବାକୁ ନ ଯିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ।
ସେପଟେ ବାତ୍ୟା ର ପ୍ରଭାବ ଓଡ଼ିଶାରେ ରହିବକି ନାହିଁ ଏନେଇ ସ୍ପଷ୍ଟ ହୋଇନଥିବା ବେଳେ ଓଡ଼ିଶାରେ କୌଣସି ଓ୍ବାର୍ଣ୍ଣିଂ ନାହିଁ କି ପବନ ଓ ବର୍ଷାର ସମ୍ଭାବନା ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଓଡିଶା ଓ ଆନ୍ଧ୍ର ଉପରେ ବାତ୍ୟାର ପ୍ରଭାବ ନଥିବା ବେଳେ ଏହା ପଶ୍ଚିମବଙ୍ଗର କେତେ ନିକଟତର ହେବ ତା ଉପରେ ନଜର ରହିଥିବା କହିଛି ବିଭାଗ। ଅନ୍ୟପଟେ ଆସନ୍ତା ୨୪ ଘଣ୍ଟା ପାଇଁ ସେଭଳି କିଛି ନିର୍ଦ୍ଧିଷ୍ଟ ପାଣିପାଗର ସୂଚନା ନ ଥିବା ବେଳେ ରାଜ୍ୟର କିଛି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ଜିଲ୍ଲାରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି ।
ଏହାସହ ୪ ଜିଲ୍ଲା ଯେପରିକି ମାଲକାନଗିରି କୋରାପୁଟ ମୟୁରଭଞ୍ଜ ଓ କେନ୍ଦୁଝର ୟେଲୋ ଓ୍ବାର୍ଣ୍ଣିଂ ଜାରି କରଯାଇଛି । ତେବେ ମୁଖ୍ୟତଃ ରାଜ୍ୟରେ ଏବେ ତାପମାତ୍ରା ବଢିବା ସହ ପାଗ ଶୁଖିଲା ରହୁଥିବା ବେଳେ ଅପରାହ୍ନରେ କାଁଭାଁ କିଛି ଅଞ୍ଚଳରେ କାଳବୈଶାଖୀ ବର୍ଷା ହେଉଛି । ବର୍ତ୍ତମାନ ୧୫ ଟି ସହରରେ ୪୦ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ସମ୍ବଲପୁରରେ ତାପମାତ୍ରା ୪୧.୨ ଡିଗ୍ରୀ ରେକର୍ଡ ହୋଇଛି । ସମ୍ବଲପୁର ରାଜ୍ୟର ଉତ୍ତପ୍ତ ସହର ଭାବେ ପରିଣତ ହୋଇଥିବା ବେଳେ ବୌଦ୍ଧରେ ସର୍ବାଧିକ ୪୨ ତାପମାତ୍ରା ରେକର୍ଡ କରାଯାଇଛି ।
ସେହିପରି ଝାରସୁଗୁଡା ଓ ସମ୍ବଲପୁରରେ ୪୧.୬ ଡିଗ୍ରୀ , ରାଉଲକେଲା ୪୧.୪ ଡିଗ୍ରୀ , ଅନୁଗୋଳରେ ୪୧.୧ ଡିଗ୍ରୀ ,ସୁଦରଗଡ ୪୧.୦ , ତାଳଚେର ୪୦.୮ , ବଲାଙ୍ଗୀର ୪୦.୫ , ଜଗତସିଂହପୁର ୪୦.୫ , ଚାନ୍ଦବାଲି ୪୦.୨ , ଟିଟିଲାଗଡ ୪୦.୦, ସୋନପୁର ୪୦.୦, ନୟାଗଡ ୪୦.୦ , କେନ୍ଦ୍ରାପଡା ୪୦.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ତେବେ ଆଗାମୀ ୩ ରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ତାପମାତ୍ରା ବୃଦ୍ଧିପାଇବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ହୋଇଥିବା ବେଳେ କୋରାପୁଟର ଲାମଟାପୁଟରେ ୬୫ମିଲି ମିଟର ବର୍ଷା ରେକର୍ଡ କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର