ଭୁବନେଶ୍ବର: ରାଜଧାନୀରେ ବଢୁଛି ବାଳ ଅପରାଧୀଙ୍କ ସଂଖ୍ୟା । ଚୋରି ଛିନତାଇଠାରୁ ଆରମ୍ଭ କରି ହତ୍ୟା ପରି ମାମଲାରେ ଜଡିତ ରହୁଛନ୍ତି ନାବାଳକ । ଯେଉଁ ବୟସରେ ପାଠ ପଢି ଉଜ୍ଜଳ ଭବିଷ୍ୟତ ପାଇଁ ଚିନ୍ତା କରିବା କଥା ସେହି ବୟସରେ ଅପରାଧ ଘଟାଉଛନ୍ତି । ବହି ବଦଳରେ ହାତରେ ଧରୁଛନ୍ତି ମାରଣାସ୍ତ୍ର । ଅପରାଧ ଦୁନିଆରେ ପାଦ ଦେଇ ଅପରାଧକୁ ପେଶା ଭାବେ ଗ୍ରହଣ କରୁଛନ୍ତି । ତେବେ କାହିଁକି ଏତେ କମ ବୟସରେ ଅପରାଧ ଘଟାଉଛନ୍ତି ଛୋଟଛୋଟ ପିଲା ତାହା ଏବେ ଚିନ୍ତାଜନକ ବିଷୟ ହୋଇଛି। ନିକଟରେ ତମାଣ୍ଡୋ ଥାନା ଅଞ୍ଚଳରୁ ଜଣେ ନାବାଳକକୁ ଚୋରି ଅଭିଯୋଗରେ ଧରିଥିଲା ପୋଲିସ । ଏହାପରେ ତାକୁ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି । ନାବାଳକ ଜଣକ ଜଣେ ଯୁକ୍ତ ଦୁଇ ଛାତ୍ର ହୋଇଥିବା ବେଳେ ମଦନପୁର କଲେଜର ପାଠ ପଢନ୍ତି।
ଗତ 10 ତାରିଖ ଦିନ ତମାଣ୍ଡୋ ବଜାରରେ ଥିବା ସାହୁ ଭେରାଇଟ ଷ୍ଟୋରରୁ ଚୋରି ହୋଇଥିଲା। ଦୋକାନର ଆଜବେଷ୍ଟସ ଫାଙ୍କରେ ପଶି ନାବାଳକ ଜଣଙ୍କ ଦୋକାନରୁ ତେଲ, ଅଟା ସାବୁନ ପରି ଗ୍ରୋସରୀ ଓ 3ହଜାର ନଗଦ ଟଙ୍କା ଧରି ଛୁ ମାରିଥିଲା । ଏନେଇ ଦୋକାନର ମାଲିକ ତମାଣ୍ଡୋ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ବେଳେ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା । ଭିଡିଓରେ କେହି ଜଣେ ବ୍ୟାଗରେ ଜିନିଷ ନେଇ ଯାଇଥିବା ପୋଲିସ ଦେଖିବା ପରେ ସେହି ଅଞ୍ଚଳର ଜଣେ ନାବାଳକ ଚୋରି କରିଥିବା ଜାଣିବାକୁ ପାଇଥିଲା। ପୋଲିସ ତାକୁ ହେପାଜତକୁ ନେଇ ଚୋରି ସାମଗ୍ରୀ ଜବତ କରିବା ସହ ବାଳ ସୁଧାର ଗୃହକୁ ପଠାଇଦେଇଛି ।
ଏହା ମଧ୍ୟ ପଢନ୍ତୁ-କୁଖ୍ୟାତ ଅପରାଧି ବିଭୁ ସାହୁ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ
ତେବେ ଏଠି ପ୍ରଶ୍ନ ଉଠୁଛି କଅଁଳ ବୟସରେ ଯେଉଁମାନେ ପାଠ ପଢି ନିଜ ଭବିଷ୍ୟ ଗଢ଼ିବା କଥା ସେମାନେ ଏପରି ଅପରାଧ ଦୁନିଆରେ କାହିଁକି ପାଦ ଥାପୁଛନ୍ତି । କେବଳ ଚୋରି ଛିନତାଇ ନୁହେଁ ଦାଦାବଟି ମାରପିଟ୍ ଡ୍ରଗ୍ସ କାରବାର ଭଳି ଅନେକ କ୍ଷେତ୍ରରେ ନାବାଳକ ଅପରାଧୀ ନଜର ଆସୁଛନ୍ତି। ଅନେକ ସମୟରେ ଫେରିବାଲା ବେଶରେ ଡକାୟତି କରୁଛନ୍ତି । ଚଳିତ ମାସରେ ଏଯାବତ ରାଜଧାନୀରୁ ୪ଜଣ ବାଳ ଅପରାଧ ଧରାପଡ଼ିଲେଣି । ଏହି ଘଟଣା ପୂର୍ବରୁ ଏୟାରପୋର୍ଟ ଥାନାର ଏକ ମାମଲାରେ ୩ଜଣ ନାବାଳକ ଧରାପଡିଥିଲେ।
ଓଡ଼ିଶା ପୋଲିସର ତଥ୍ୟ ଅନୁସାରେ, ସାରା ରାଜ୍ୟରେ ୨୦୨୧ରେ ୧୩୩୪ଟି ମାମଲା ରୁଜୁ ହୋଇଥିଲା । ଯେଉଁଥିରେ ୯ଜଣ ବାଳ ଅପରାଧୀଙ୍କ ନାମରେ ହତ୍ୟା ମାମଲା ରହିଥିବା ବେଳେ, ୨୦ଟି ହତ୍ୟା ଉଦ୍ୟମ, ୧୪ଟି ଅସଦାଚରଣ, ୯ଟି ଅପହରଣ ସହ ୩୪ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି । ସେହିପରି ୨୦୨୦ରେ ୧୦୯୫ଟି ମାମଲା ରୁଜୁ ହୋଇଥିବା ବେଳେ ୧୦ଟି ହତ୍ୟା ମାମଲା, ୧୬ଟି ଦୁଷ୍କର୍ମ, ୩୪ଟି ଅସଦାଚରଣଣ ସହ ୬୧ଟି ଅପହରଣ ମାମଲା ରହିଛି । ସାରା ଦେଶରେ ୨୦୧୩ରେ ୩୧ହଜାର ୭୨୫ଟି ମାମଲା ରୁଜୁ ହୋଇଥିବା ବେଳେ ସେଥିମଧ୍ୟରୁ ବାଳ ଅପରାଧୀଙ୍କ ନାମରେ ୯୯୦ଟି ହତ୍ୟା ଓ ୧୧୨୫ଟି ଦୁଷ୍କର୍ମ ମାମଲା ରହିଛି ।
ଏନେଇ ଶିଶୁ ବିଶେଷଜ୍ଞ ବେଣୁଧର ସେନାପତି କହିଛନ୍ତି ଯେ, ବାପାମାଆ ନିଜ ପିଲାଙ୍କୁ ସମୟ ଦେଉ ନାହାନ୍ତି । ଯେଉଁଥି ପାଇଁ ସେମାନେ ଖରାପ ବାଟକୁ ଚାଲି ଯାଉଛନ୍ତି । ଏନେଇ ଏକ ଢାଞ୍ଚାରେ ବ୍ୟବସ୍ଥା ନିତାନ୍ତ ଆବଶ୍ୟକ । ପିଲା ରହୁଥିବା ଘରର ଆଖ ପାଖରେ ଅଙ୍ଗନବାଡ଼ି କର୍ମୀ, ସ୍କୁଲର ଶିକ୍ଷକ ନଜର ରଖିବା କଥା । ସେହିପରି ସହରରେ ମଧ୍ୟ ପୋଲିସ ଓ ଓ୍ବାର୍ଡ୍ ସ୍ତରରେ ପିଲାଙ୍କ ଗତିବିଧି ଉପରେ ନଜର ରଖି ଅବାଟକୁ ଯାଉଥିବା ପିଲାଙ୍କୁ ବାଟକୁ ଆଣିବା ଜୁରୁରୀ । ଶିଶୁ ବିକାଶ ଦିଗରେ କାମ କରୁଥିବା ବ୍ୟକ୍ତି ଏ ଦିଗରେ ମିଳିମିଶି କାମ କଲେ କାଉନସେଲିଂ ଦ୍ବାରା ବାଳ ଅପରାଧିଙ୍କୁ ସୁଧରା ଯାଇପାରିବ ।
ଇଟିଭି ଭାରତ, ଭୁବନେଶ୍ବର