ଭୁବନେଶ୍ବର: ରାଜଧାନୀରେ ସିପିଆଇର 2 ଦିନିଆ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶେଷ ଦିନରେ ସିପିଆଇ ଦଳର ସାଧାରଣ ସମ୍ପାଦକ ଡି ରାଜା ଯୋଗ ଦେଇଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅହି ନକୁଳ ସମ୍ପର୍କକୁ ନେଇ ପ୍ରଶ୍ନ କରିଛନ୍ତି । ଏଥିସହ ଦେଶରେ ବୃଦ୍ଧି ପାଉଥିବା ହିଂସା ଓ କାଶ୍ମୀର ପ୍ରସଙ୍ଗ ମଧ୍ୟ ଉଠାଇଥିଲେ ଡି.ରାଜା ।
ରାଜ୍ୟ କାର୍ଯ୍ୟାଳୟରେ ଚାଲିଥିବାବେଳେ ବୈଠକରେ କାଶ୍ମୀରରେ ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ନ କରିବା ଏବଂ ଧାରା 370 ଓ 371(A) ଉପରେ ନିଜର ମତ ସ୍ପଷ୍ଟ କରୁନଥିବାରୁ ବିଜେପି ସିଧା ଟାର୍ଗେଟ କରିଥିଲେ । ଦେଶରେ ଏକକ ନିର୍ବାଚନକୁ ସେ ବିରୋଧ କରିବା ସହ ନରେନ୍ଦ୍ର ମୋଦିଙ୍କ 'ମନ କି ବାତ' କେବଳ ସାଧରଣ ଲୋକଙ୍କ ମନ ଭୁତାଉଥିବାର ମଧ୍ୟ କହିଛନ୍ତି ।
ସେହିପରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବିଜେପିର ରାଜ୍ୟସଭା ପ୍ରାର୍ଥୀକୁ ବିଜେଡିର ସମର୍ଥନ ଉଭୟଙ୍କ ଭିତିରିଆ ସମ୍ପର୍କକୁ ବୁଝାଉଛି ବୋଲି ରାଜା କହିଛନ୍ତି। ଆରଏସଏସର ଏଜେଣ୍ଡା ହିନ୍ଦୁ ରାଷ୍ଟ୍ର କରିବା ଉଦ୍ଦେଶ୍ୟରେ ବିଜେପି ସବୁ କାମ କରୁଛି ବୋଲି ଅଭିଯୋଗ ବାଢିଛନ୍ତି । ଏପିରିକି ପଶ୍ଚିମବଙ୍ଗରେ ବୃଦ୍ଧି ପାଉଥିବା ହିଂସା ପାଇଁ ଉଭୟ ତୃଣମୂଳ ଓ ବିଜେପିକୁ ଦାୟୀ କରିଥିବା ବେଳେ ବିଜେପି ହିଂସା ବୃଦ୍ଧି ପାଇଁ ଅଧିକ ଆଗ୍ରହ ପ୍ରକାଶ କରୁଥିବା ସେ କହିଛନ୍ତି। ସେହିପରି କଂଗ୍ରେସରେ ଦେଖାଦେଇଥିବା ନେତୃତ୍ୱ ସଙ୍କଟ ଉପରେ ସେ ଏହା ତାଙ୍କର ଦଳୀୟ ବ୍ୟାପାର ବୋଲି କହିବା ସହିତ ଖୁବ ଶୀଘ୍ର ଏହାର ସମାଧାନ ହୋଇଯିବ ବୋଲି ସେ ଆଶା ପୋଷଣ କରିଛନ୍ତି।
ସର୍ବୋପରି ଗତ ସାଧାରଣ ନିର୍ବାଚନରେ ଦଳର ଘଟିଥିବା ବିପର୍ଯ୍ୟୟ ପାଇଁ ରାଜ୍ୟସ୍ତରୀୟ ବୈଠକ ହୋଇ ତାହାର ତର୍ଜମା କରାଯାଉଥିବା ସେ କହିଛନ୍ତି। ଏହା ଶେଷ ହେବା ପରେ ଆସନ୍ତା 20 ଏବଂ 21 ଜୁଲାଇରେ ଦିଲ୍ଲୀରେ ବାମପନ୍ଥୀ ଦଳର ଜାତୀୟ କାର୍ଯ୍ୟକରିଣୀ ବୈଠକ ବସି ଦଳର ଆଗାମୀ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ବିଚାର ବିମର୍ଷ ହେବ ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟସମ୍ପାଦକ ଆଶିଷ କାନୁନଗୋ, କ୍ଷୀରୋଦ ପ୍ରସାଦ ସିଂହଦେଓ ଏବଂ ପ୍ରଶାନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ