ଭୁବନେଶ୍ବର: ଶ୍ୱେତପତ୍ରରେ ଯାହା ପ୍ରକାଶ ପାଇଛି ତାହା ମିଛ କି ? ପାଞ୍ଚ ଥରର ବିଜେଡି ସରକାର ଗର୍ବ ଅହଙ୍କାରରେ ପରିପୂର୍ଣ୍ଣ । ଶୂନ୍ୟକାଳରେ ଯେପରି ହଙ୍ଗାମା କଲେ ଏହାର ଅର୍ଥ ସ୍ପଷ୍ଟ । କାରଣ ଆଗାକୁ ବିଜେଡି ବିରୋଧୀ ଦଳରେ ରହିବାର ଅଭ୍ୟାସ କରୁଛି । ଆଜି ବିଧାନସଭାରେ ମୁଲତବୀ ନୋଟିସ ଆଲୋଚନାରେ ଭାଗ ନେଇ ଏଭଳି ବର୍ଷିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ।
ବିଧାନସଭାରେ ବିରୋଧୀ ଦଳ ପକ୍ଷରୁ ଆସିଥିବା ମୁଲତବୀ ନୋଟିସ ଶୀର୍ଷକ, ‘ରାଜ୍ୟ ସରକାରଙ୍କ ଜିରୋ ଟୋଲେରାନ୍ସ ନୀତି କେବଳ ସ୍ଲୋଗାନ ଦୁର୍ନୀତିରେ ପିସିରେ ମାଲେମାଲ ସରକାର’ ଆଲୋଚନାରେ ଭାଗ ନେଇ ମୋହନ ମାଝୀ କହିଛନ୍ତି, ‘‘ଶ୍ୱେତପତ୍ରରେ ଯାହା ପ୍ରକାଶ ପାଇଛି ତାହା ମିଛ କି? ପାଞ୍ଚ ଥରର ବିଜେଡି ସରକାର ଗର୍ବ ଅହଙ୍କାରରେ ପରିପୂର୍ଣ୍ଣ। ଶୂନ୍ୟକାଳରେ ଯେପରି ହଙ୍ଗାମା କଲେ ଏହାର ଅର୍ଥ ସ୍ପଷ୍ଟ । କାରଣ ଆଗାକୁ ବିଜେଡି ବିରୋଧୀ ଦଳରେ ରହିବାର ଅଭ୍ୟାସ କରୁଛି ।’’
ଏହାବି ପଢନ୍ତୁ- PM Poshan Scheme: ଓଡିଶାକୁ ଦ୍ୱିତୀୟ କିସ୍ତିରେ ମିଳିଲା ୨୮୩.୭୮ କୋଟି
ମୋହନ ଆହୁରି କହିଛନ୍ତି ଖଣି, ନିର୍ମାଣ ଠାରୁ ଆରମ୍ଭ କରି ସବୁ ବିଭାଗ ଦୁର୍ନୀତିରେ ବୁଡି ରହିଛି। ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି । ଯେଉଁ ଦୁର୍ନୀତିରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ସାମିଲ ରହିଛନ୍ତି। ବଢୁଥିବା ଦୁର୍ନୀତି ଓଡ଼ିଶାର ବିକାଶରେ ପ୍ରତିବନ୍ଧକ ହୋଇଛି। ଦୁର୍ନୀତି ଅନିୟମିତତା ପଞ୍ଚାୟତରୁ ଲୋକସେବା ଭବନ ଯାଏଁ ବ୍ୟାପିଛି। ତଳଠୁ ଉପର ସମସ୍ତେ ସାମିଲ। ପିସି ମଷ୍ଟ ଷ୍ଟପ କହିଥିଲେ ସରକାର । କିନ୍ତୁ ଏହା କହିବା ପରଠୁ ହୁ ହୁ ହୋଇ ବଢ଼ିଚାଲିଛି ପିସି କାରବାର। ନିଜର ନିର୍ମଳ ଭାବମୂର୍ତ୍ତି ବଞ୍ଚେଇ ରଖିବା ପାଇଁ ଯେଉଁ ମନ୍ତ୍ରୀଙ୍କୁ ଦୁର୍ନୀତି ଅଭିଯୋଗରେ ବାହାର କରାଯାଉଛି, ପୁଣି ସେମାନଙ୍କୁ ପରବର୍ତ୍ତୀ ସମୟରେ ଅବସ୍ଥାପିତ କରାଯାଉଛି। ଭାବମୂର୍ତ୍ତି ବଞ୍ଚାଇବା ପାଇଁ ଅପଚେଷ୍ଟ କରାଯାଉଛି। ବିଶ୍ୱକପ ହକି ପାଇଁ ବିଭିନ୍ନ ଅଧିକାରୀଙ୍କୁ ଦାୟିତ୍ଵ ଦିଆଗଲା ଚାନ୍ଦା ଆଦାୟ କରିବା ପାଇଁ । ଯିଏ ଖିଲାପ କଲା ତା ବିରୋଧର କାର୍ଯ୍ୟାନୁଷ୍ଠାନ ନିଆଗଲା। ୧୦୦ ଟଙ୍କାରୁ ଏବେ ୩୫ ଟଙ୍କା କେବଳ ପିସିରେ ଯାଉଛି। ତାହାହେଲେ ପିସି ବନ୍ଦ ହେଲା କେମିତି ? ବୋଲି ମୋହନ ପ୍ରଶ୍ନ କରିଛନ୍ତି ।
ଅନ୍ୟପଟେ ଶୂନ୍ଯକଳରେ ବିଜେଡି ସଦସ୍ୟଙ୍କ ହଙ୍ଗାମାକୁ ନେଇ ବିରୋଧୀ ଦଳନେତା ଜୟ ନାରାୟଣ ମିଶ୍ର କଂଗ୍ରେସ ବିଧାୟକ ଦଳନେତା ନରସିଂହ ମିଶ୍ର ପ୍ରମୁଖ ବିଜେଡିକୁ କଡା ସମାଲୋଚନା କରିଛନ୍ତି । ଏହାସହ ଦୂର୍ନୀତି ଓ ପିସି କାରବାରକୁ ନେଇ ଉଭୟ ନେତା ସିଧା ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର