ଖୋର୍ଦ୍ଧା: କୋରୋନା ଭୂତାଣୁ ସଂକ୍ରମଣରୁ ଲୋକକୁ ରକ୍ଷା କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି । ଏହି ପରିପ୍ରେକ୍ଷୀରେ ସରକାରଙ୍କ ଏହି ସଚେତନତା କାର୍ଯ୍ୟକ୍ରମକୁ ସହଯୋଗର ହାତ ବଢ଼ାଇଛନ୍ତି ଆଶାକର୍ମୀ, ଅଙ୍ଗନବାଡି ଓ ସ୍ବାସ୍ଥ୍ୟକର୍ମୀ ।
ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଏମାନେ ନିଜ ନିଜ ଅଞ୍ଚଳରେ ଥିବା ସାଧାରଣ ଲୋକଙ୍କ ପାଖକୁ ପହଞ୍ଚିବା ସହିତ ସେମାନଙ୍କୁ ସଚେତନ କରୁଛନ୍ତି । ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ଛଣଘର ପଞ୍ଚାୟତରେ କାର୍ଯ୍ୟରତ ଥିବା ଆଶାକର୍ମୀ, ଅଙ୍ଗନବାଡି ଓ ସ୍ବାସ୍ଥ୍ୟକର୍ମୀ ଲେକାଙ୍କ ଘରକୁ ଯିବା ସହ ସେମାନଙ୍କୁ କୋରୋନା ମୁକାବିଲା ନେଇ ସଚେତନ କରିଛନ୍ତି । କିପରି ଭାବରେ 6 ପ୍ରକାର ପଦ୍ଧତିରେ ହାତ ଧୋଇବେ ଏବଂ ଦିନକୁ କେତେ ଥର ହାତ ଧୋଇବେ ସେ ନେଇ ସେମାନେ ଘରେ ଘରେ ବୁଲି ହାତ ଧୋଇ ଦେଖାଉଛନ୍ତି । ସରକାରଙ୍କ ପକ୍ଷରୁ ସଚେତନତା ପୋଷ୍ଟର ଓ ଔଷଧ ମଧ୍ୟ ବଣ୍ଟନ କରୁଛନ୍ତି । ଏହାସହିତ ଘରୁ ନବାହାରିବାକୁ ପରାମର୍ଶ ଦେବା ସହିତ ସାମାଜିକ ଦୂରତ୍ବ ବଜାଇ ରଖିବା ଏବଂ ଘରେ କିପରି ଏକ ମିଟର ଦୂରରେ ନିଜକୁ ଦୂରେଇ ରଖିବେ ସେ ନେଇ ମଧ୍ୟ ସଚେତନ କରୁଛନ୍ତି ।
ତେବେ ଏହି କର୍ମୀମାନେ ସମାଜକୁ କୋରୋନା ଭୂତାଣୁର ସଂକ୍ରମଣ ଠାରୁ ଦୂରେଇ ରଖିବାକୁ ଖରାକୁ ଖାତିର ନକରି ଗାଁରୁ ଗାଁ ଘରରୁ ଘର ବୁଲି ସଚେତନ କରୁଛନ୍ତି । ଏମାନଙ୍କର ଏଭଳି କାର୍ଯ୍ୟକୁ ଭୂରି ଭୂରି ପ୍ରଶଂସା କରିଛନ୍ତି ସାଧାରଣ ଲୋକେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ