ଭୁବନେଶ୍ବର: ସଂସଦରେ ଉଠିବ ୫ଟି ସଚିବ ପ୍ରସଙ୍ଗ । ଡିଓପିଟିଙ୍କୁ ଲେଖିଥିବା ଚିଠି ଉପରେ କୌଣସି ଉତ୍ତର ନ ଆସିଲେ କଂଗ୍ରେସ ଏହି ପ୍ରସଙ୍ଗକୁ ସଂସଦରେ ଉଠାଇବ । ଏ ନେଇ ସ୍ପଷ୍ଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । ୫ଟି ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ଓ ସେଠାରେ ବିକାଶମୂଳକ ପ୍ରକଳ୍ପର ଘୋଷଣା କରିବା ସମ୍ପୂର୍ଣ୍ଣ ଅସାମ୍ବିଧାନିକ ବୋଲି ବିରୋଧୀ କହୁଥିବା ବେଳେ କଂଗ୍ରେସ ଏହି ପ୍ରତିକ୍ରିୟା ରଖିଛି। ହେଲେ ଏପଟେ ମୁଖ୍ୟମନ୍ତ୍ରୀ ଖୋଲାଖୋଲି କହିଛନ୍ତି ଅଭିଯୋଗ ପ୍ରକୋଷ୍ଠକୁ ଆସୁଥିବା ଅଭିଯୋଗର ଶୁଣାଣି ମୋ ସରକାର ଅନ୍ତର୍ଗତ ହେବ । ଅର୍ଥାତ 5T ସଚିବ ଏହାର ଶୁଣାଣି କରିବେ । ଯାହା କାମ ହେବାର ଥିବ 5T ସଚିବଙ୍କ ନିର୍ଦ୍ଦେଶରେ ହେବ ।
5T ସଚିବଙ୍କ ଜିଲ୍ଲା ଗସ୍ତକୁ ନେଇ ବଢୁଛି ଅଡ଼ୁଆ । ବିରୋଧୀଙ୍କ ବ୍ୟାକ ଟୁ ବ୍ୟାକ୍ ଟାର୍ଗେଟ ପରେ ପାଣ୍ଡିଆନଙ୍କ ସୁରକ୍ଷାରେ ବାହାରିଛନ୍ତି ମୁଖ୍ୟମନ୍ତ୍ରୀ । ଏବେ ମୁଖ୍ୟମନ୍ତ୍ରୀ ଖୋଲାଖୋଲି କହିଥନ୍ତି ଯେ ଅଭିଯୋଗ ପ୍ରକୋଷ୍ଠକୁ ଆସୁଥିବା ଅଭିଯୋଗର ଶୁଣାଣି ମୋ ସରକାର ଅନ୍ତର୍ଗତ ହେବ । ଅର୍ଥାତ 5T ସଚିବ ଏହାର ଶୁଣାଣି କରିବେ । ଯାହା କାମ ହେବାର ଥିବ 5T ସଚିବଙ୍କ ନିର୍ଦ୍ଦେଶରେ ହେବ । ମୁଖ୍ୟ ଶାସନ ସଚିବଙ୍କର ମଧ୍ୟ ଏଥିରେ ସହମତି ରହିଲା । ଏହିପରି 18 ହଜାର ଅଭିଯୋଗର ଶୁଣାଣି ହେବ ଅର୍ଥାତ 5Tକୁ ଅଧିକ ସଶକ୍ତ କଲେ ନବୀନ । ଏହା ପରେ କଣ ରହିବ ବିରୋଧିଙ୍କ ଆକସନ ପ୍ଲାନ ? ଏ ନେଇ ପ୍ରଶ୍ନ ଉଠିଥିବା ବେଳେ କଂଗ୍ରେସ ଏହି ପ୍ରସଙ୍ଗକୁ ସଂସଦରେ ଉଠାଇବ ବୋଲି କହିଛି ।
ଏନେଇ ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି, " ପାଓ୍ବାରକୁ ସେଣ୍ଟ୍ରାଲାଇଜ କରାଗଲେ ଲୋକଙ୍କ ସମସ୍ୟାର ସମାଧାନ ହେବାରେ ବିଳମ୍ବ ହେବ । ମୁଖ୍ୟମନ୍ତ୍ରୀଙ୍କର ଜିଲ୍ଲାପାଳ, ତହସିଲଦାର, ବିଡିଓ ଏମାନଙ୍କ ଉପରେ ଭରସା ନାହିଁ । ଏହି ପୋଷ୍ଟଗୁଡିକ ରହିବ କାହିଁକି ? ଏତେ ବଡ ବ୍ୟୁରୋକ୍ରାସି କାହିଁକି ଅଛି ? ମୁଖ୍ୟମନ୍ତ୍ରୀ କେବଳ ଜଣେ ଲୋକ ଉପରେ ଭରସା କରୁଛନ୍ତି । ଅଭିଯୋଗର ଶୁଣାଣି ଜାନକୀ ବାବୁଙ୍କ ଅମଳରୁ ହୋଇଆସୁଛି । ସେ ନିଜେ ଜିଲ୍ଲାପାଳ ଥିବା ସମୟରେ ମଧ୍ୟ ଯାଇ ଶୁଣାଣି କରିଛନ୍ତି । ନୂଆ କଥା ହେଲା ଏବେ ଜଣେ ଲୋକଙ୍କ ଉପରେ ସବୁ କିଛି ନ୍ୟସ୍ତ କରାଯାଇଛି । ଏହାଦ୍ବାରା ଲୋକଙ୍କ ପାଖରେ ବିଳମ୍ବରେ ନ୍ୟାୟ ପହଞ୍ଚିବ । ତେଣୁ ଲୋକେ ବିଚାର କରିବେ ଏହା କେତେ ଦୂର ଠିକ ।" ଅନ୍ୟପଟେ ଡିଓପିଟିଙ୍କୁ ଲେଖିଥିବା ଚିଠି ଉପରେ କୌଣସି ଉତ୍ତର ନ ଆସିବା ପ୍ରସଙ୍ଗରେ ସେ କହିଛନ୍ତି ଯେ ଯଦି ଉତ୍ତର ନ ଆସେ ତେବେ ସଂସଦରେ ଏହି ପ୍ରସଙ୍ଗ ଉଠାଇବ କଂଗ୍ରେସ ।
ଏହା ବି ପଢନ୍ତୁ- 5T Controversy: ଅଯଥାରେ 5T ନାମକରଣ କରି ନିଜ ଦୁର୍ବଳତା ଢାଙ୍କୁଛନ୍ତି କହିଲେ ପ୍ରତାପ
ସେପଟେ ବରିଷ୍ଠ ରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି, "ମୁଖ୍ୟମନ୍ତ୍ରୀ ଏବେ 5T ସଚିବଙ୍କ ସୁରକ୍ଷାରେ ବାହାରିଛନ୍ତି । ବିରୋଧୀଙ୍କ ପାଟି ଚୁପ କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାକୁ ନେି ରାଜନୀତି ତ ହେବ । କିନ୍ତୁ ଅଭିଯୋଗ ଶୁଣାଣି ମୋ ସରକାର ଅନ୍ତର୍ଗତ 5ଟି ଅଧୀନରେ ହେଲେ ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ଶୁଣାଣି ପ୍ରକ୍ରିୟାରେ ସାମିଲ ହୋଇପାରିବେ । 5ଟି ଅଧିକ ପ୍ରଭାବଶାଳୀ ହେବ । ଲୋକଙ୍କ ପାଖରେ ପହଞ୍ଚିବ ସରକାର । ମୁଖ୍ୟମନ୍ତ୍ରୀ ଏପରି ଘୋଷଣା କରି 5ଟି ସଚିବଙ୍କ ସୁରକ୍ଷାରେ ବାହାରିଛନ୍ତି । ଅର୍ଥାତ ସେ ସୁଚାଇ ଦେଇଛନ୍ତି 5ଟି ସଚିବ ଯାହା କିଛି କରୁଛନ୍ତି ତାହା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ହେଉଛି । ଏବେ ବିରୋଧ କରିବା ପାଇଁ ବିରୋଧୀଙ୍କ ପାଖରେ ଆଉ କିଛି ବାଟ ନାହିଁ । ବିରୋଧୀଙ୍କୁ ଏକ ପ୍ରକାର ଚୁପ କରାଇ ଦେଇଛନ୍ତି ନବୀନ ।"
ଗତ କିଛି ଦିନ ଧରି 5ଟି ସଚିବ ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି । ଉନ୍ନତିମୂଳକ ପ୍ରକଳ୍ପ ବାବଦକୁ ଅର୍ଥ ଘୋଷଣା କରୁଛନ୍ତି । ଯାହା ଭିତରେ ମନ୍ଦିର ଆସୁଛି, ଡାକ୍ତରଖାନା ବି ଆସୁଛି । 5ଟି ସଚିବଙ୍କ ଏପରି ଗସ୍ତ ଓ ଘୋଷଣାକୁ ବିରୋଧ କରିଥିଲେ ବିରୋଧୀ । ଏହା ଅସାମ୍ବିଧାନିକ ବୋଲି ଯୁକ୍ତି ବାଢିଥିଲେ । ଏହାର ଜବାବରେ ପାଣ୍ଡିଆନ ଫୋନକଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଉଥିବାର କଥା ଲୋକଙ୍କ ସାମନାରେ ରଖିଥିଲେ । ଏପରିକି ଭିଡିଓ କଲରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇଥିଲେ । ବିଜେପି ସାଂସଦ ଅଫରାଜିତା ଷଡଙ୍ଗୀ ଡିଓପିଟିଙ୍କ ନିକଟକୁ ଗସ୍ତ ଓ ଘୋଷଣା ସମ୍ପର୍କରେ ତଥ୍ୟ ଓ ପ୍ରମାଣ ରଖି ଚିଠି ଲେଖିଥିଲେ । ଡିଓପିଟି ମଧ୍ୟ ଉକ୍ତ ଆଇଏଏସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିଲେ । ଏହାରି ମଧ୍ୟରେ ପୂର୍ବତନ ମୁଖ୍ୟ ଶାସନ ସଚିବ ମଧ୍ୟ ହୋର୍ଡିଂରେ ପାଣ୍ଡିଆନଙ୍କ ଫଟୋ ରହିବା ପ୍ରସଙ୍ଗରେ ଡିଓପିଟିଙ୍କ ନିକଟକୁ ଚିଠି ଲେଖିଥିଲେ । ଯାହାର ଉତ୍ତର ଏବେ ବି ଆସିନାହିଁ । ତେବେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ପରେ ଦେଖିବାର କଥା ବିରୋଧୀ ଚୁପ ରହୁଛନ୍ତି ନା ଆଉ କିଛି ବୟାନବାଜି କରୁଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର