ଭୁବନେଶ୍ବର: 'ଦିଲ୍ସେ ନବୀନ' ଫେସବୁକ ପେଜରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ଜୟନ୍ତୀ ପଟ୍ଟନାୟକଙ୍କୁ ନେଇ ଅପମାନଜନକ ଟିପ୍ପଣୀ ପୋଷ୍ଟ କରାଯାଇଥିଲା । ଯାହାର ଜବାବ ରଖିଛି କଂଗ୍ରେସ । ଏହାକୁ ନିନ୍ଦା କରିବା ସହ ଏହି ହୀନ କାର୍ଯ୍ୟରେ ସଂପୃକ୍ତ ଥିବା ବ୍ୟକ୍ତି ବା ବ୍ୟକ୍ତିବିଶେଷଙ୍କୁ କଂଗ୍ରେସ ଦୃଢ଼ ଚେତାବନୀ ଦେଇଛି । ଏଭଳି ହୀନ କାର୍ଯ୍ୟରୁ ତୁରନ୍ତ ନିବୃତ ହେବାକୁ କହିଛନ୍ତି କଂଗ୍ରେସ ମୁଖପାତ୍ର ରଜନୀ କୁମାର ମହାନ୍ତି । ଏହି ଫେସବୁକ ପେଜ ପରିଚାଳନା କରୁଥିବା ବ୍ୟକ୍ତି ଜଣକ ମଧ୍ୟ ବିଜୁ ଜନତା ଦଳର ସଦସ୍ୟ । ବିଜୁ ଜନତା ଦଳ ନେତୃବୃନ୍ଦ ଏସବୁ ଜାଣି ମଧ୍ୟ ଏଭଳି କାର୍ଯ୍ୟରେ ଲିପ୍ତ ରହିଥିବା ବ୍ୟକ୍ତିଙ୍କ ବିରୋଧରେ କଣ ପାଇଁ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି ବୋଲି ପ୍ରଶ୍ନ କରିଛି କଂଗ୍ରେସ ।
ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ଜୟନ୍ତୀ ପଟ୍ଟନାୟକଙ୍କ ଉପରେ ଅତି ନିମ୍ନ ସ୍ତରର ଅପମାନଜନକ ଟିପ୍ପଣୀକୁ କଂଗ୍ରେସ ଘୋର ନିନ୍ଦା କରିଛି । ସାମାଜିକ ଗଣମାଧ୍ୟମରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ଜନନାୟକ ଦିବଂଗତ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ତାଙ୍କ ଧର୍ମପତ୍ନୀ ତଥା ପୂର୍ବତନ ସାଂସଦ, ସାହିତ୍ୟିକା ଓ ପ୍ରଥମ ମହିଳା କମିଶନ ଅଧ୍ୟକ୍ଷା ଜୟନ୍ତୀ ପଟ୍ଟନାୟକଙ୍କ ଉପରେ ଯେଉଁ ଅପମାନଜନକ ଟିପ୍ପଣୀ କରାଯାଇଛି, ତାହାକୁ କଂଗ୍ରେସ ଦଳର ସଭାପତି ଶରତ ପଟ୍ଟନାୟକଙ୍କ ସମେତ ସମସ୍ତ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନେ ଘୋର ନିନ୍ଦା କରୁଛନ୍ତି ବୋଲି ଏକ ପ୍ରେସ ବିବୃତିରେ କଂଗ୍ରେସ ଦଳର ମୁଖପାତ୍ର ରଜନୀ କୁମାର ମହାନ୍ତି ଜଣାଇଛନ୍ତି । ଏହି ହୀନ କାର୍ଯ୍ୟରେ ସଂପୃକ୍ତ ଥିବା ବ୍ୟକ୍ତି ବା ବ୍ୟକ୍ତିବିଶେଷ ମାନଙ୍କୁ କଂଗ୍ରେସ ଦୃଢ଼ ଚେତାବନୀ ଦେଇଛି ।
ଆୟୋଜିତ ପ୍ରେସ୍ମିଟ୍ରେ ରଜନୀ କହିଛନ୍ତି, "ଏଭଳି ହୀନ କାର୍ଯ୍ୟରୁ ତୁରନ୍ତ ନିବୃତ ହୁଅନ୍ତୁ । ଓଡ଼ିଶାର ଜନସାଧାରଣ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ଜୟନ୍ତୀ ପଟ୍ଟନାୟକଙ୍କ ଉପରେ ହୋଇଥିବା ଅପମାନଜନକ ଟିପ୍ପଣୀକୁ କେବେ ଗ୍ରହଣ କରିବେ ନାହିଁ । ଦିବଂଗତ ନେତା ସାରା ଜୀବନ ଓଡ଼ିଶାର ସାହିତ୍ୟ ଓ ରାଜନୀତିକୁ ରୁଦ୍ଧିମନ୍ତ କରିଥିଲେ । ଓଡ଼ିଆ ସଂସ୍କୃତି ଓ ପରମ୍ପରା ଅନୁସାରେ ଦିବଂଗତ ଆତ୍ମାଙ୍କର ଗୁଣଗାନ କରାଯାଏ । କିନ୍ତୁ ପ୍ରଥମଥର ପାଇଁ ହୀନ ରାଜନୈତିକ ଉଦ୍ଦେଶ୍ୟ ଓ ଶସ୍ତା ଲୋକପ୍ରିୟତା ପାଇଁ ଏପରି କରାଯାଇଛି । 'ଦିଲସେ ନବୀନ' ଫେସବୁକ ପେଜ ପରିଚାଳନା କରୁଥିବା ବ୍ୟକ୍ତି ଜଣକ ମଧ୍ୟ ବିଜୁ ଜନତା ଦଳର ସଦସ୍ୟ । ବିଜୁ ଜନତା ଦଳ ନେତୃବୃନ୍ଦ ଏସବୁ ଜାଣି ମଧ୍ୟ ଏଭଳି କାର୍ଯ୍ୟରେ ଲିପ୍ତ ରହିଥିବା ବ୍ୟକ୍ତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ତାଙ୍କୁ ପ୍ରୋତ୍ସାହନ ଯୋଗାଉଛନ୍ତି କି ? ଏଭଳି କୁକର୍ମରୁ ତୁରନ୍ତ ନିବୃତ ରୁହନ୍ତୁ ।" ଗଣତନ୍ତ୍ରକୁ ଦୁର୍ବଳ କରିବା ଏବଂ କତିପୟ ଅଧିକାରୀଙ୍କ ଶରଣରେ ରହିବା ପାଇଁ ଏଭଳି ଉଦ୍ୟମକୁ ଯେତେ ନିନ୍ଦାକଲେ ମଧ୍ୟ କମ୍ ହେବ ବୋଲି ରଜନୀ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର