ଭୁବନେଶ୍ବର: ମଣିଷର ବୟସ ବଢିଲେ ଧର୍ମ ଭାବ ଜାଗ୍ରତ ହୁଏ । ବିଶ୍ବାସ, ଭକ୍ତି ସମର୍ପଣ ଭାବ ବୃଦ୍ଧି ପାଏ ବୋଲି କୁହାଯାଏ । ବୟସାଧିକ ବ୍ୟକ୍ତି ଧର୍ମ ପ୍ରତି ମନ ବଳାଏ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସାନ୍ନିଧ୍ୟ ଲାଭ କରିବା ପାଇଁ ମଣିଷର ଆତ୍ମା ଚାହେଁ। ଜୀବନକାଳରେ ଥରେ ଶ୍ରୀମନ୍ଦିର ଆସି ଶ୍ରୀଜିଉଙ୍କ କୃପା ଲାଭ କରିବା ପ୍ରତ୍ୟେକ ହିନ୍ଦୁ ଲୋକଙ୍କର ଇଛା । ପୁଣି ପବିତ୍ର କାର୍ତ୍ତିକ ମାସରେ ଯଦି ଭଗବାନଙ୍କ ଦର୍ଶନ ମିଳିଯାଏ ତ ବିଶ୍ବାସ ରହିଛି ଜୀବନ ସାର୍ଥକ ହୋଇଗଲା । ସେଥିପାଇଁ ଶ୍ରୀମନ୍ଦିରରେ ଲାଗୁଛି ଭକ୍ତଙ୍କ ଭିଡ଼ । ହେଲେ ଭକ୍ତଙ୍କ ସୁବିଧା ସହଜ ଦର୍ଶନ ବ୍ୟବସ୍ଥା କରିବା ବଦଳରେ ବୟସାଧିକ, ଓ ରୋଗାକ୍ରାନ୍ତ ଭକ୍ତଙ୍କୁ ଭିଡ଼ ବେଳେ ନଆସିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିବେଦନ କରିବା ଦୁର୍ଭାଗ୍ୟପୂର୍ଣ୍ଣ । ନିନ୍ଦନୀୟ । ଆଇନ ବିରୋଧୀ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ ।
ଆଜି ପ୍ରସାଦ କହିଛନ୍ତି, ‘‘ରାଜ୍ୟ ସରକାରଙ୍କ ଜିଦି ନବାନ ହୁସେନ ଶାହଙ୍କ ଜିଦିକୁ ବଳିଗଲା । ନବାନ କେହି ଦାଣ୍ଡରେ ହରିନାମ ନେଇ ପାରିବେନି ବୋଲି କଟକଣା ଲଗାଇଥିଲେ । ସେହି କଟକଣା ବିରୋଧରେ ଚୈତନ୍ୟ ସଂକୀର୍ତ୍ତନ ଶୋଭାଯାତ୍ରା କରି ବିରୋଧ କରିଥିଲେ । ବର୍ତ୍ତମାନ ରାଜ୍ୟ ସରକାର ସମାନ ନୀତି ଆପଣାଇଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଏହି ନିବେଦନ ଖାଲି ନିନ୍ଦନୀୟ ନୁହେଁ । ସମ୍ବିଧାନ ବିରୋଧୀ । ସମ୍ବିଧାନ ଅଧିକାର ଦେଇଛି ନାଗରିକ ନିଜ ଇଛାରେ ନିଜ ଧାର୍ମିକ କାର୍ଯ୍ୟ କରିପାରିବ ।’’
ପ୍ରସାଦ ଆହୁରି କହିଛନ୍ତି, "କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ଭିଡ଼ ହେବା ନୂଆ କଥା ନୁହେଁ । ମନ୍ଦିରରେ ଭିଡ଼ ସବୁବେଳେ ହୁଏ । କାର୍ତ୍ତିକ ମାସ ହୋଇଥିବାରୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ସାରା ରାଜ୍ୟ ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ଭକ୍ତ ଆସିଥାନ୍ତି । ଏହାସହ ବ୍ରତଧାରୀ ମଧ୍ୟ ଦର୍ଶନ ପାଇଁ ଆସୁଛନ୍ତି । ଆଗକୁ ପଞ୍ଚୁକ ବ୍ରତ ଅଛି । ଏପରି ସ୍ଥିତିରେ ଭିଡ଼ ହେବ । ହେଲେ ଭିଡ଼ ନିୟନ୍ତ୍ରଣ ସହ ଭକ୍ତଙ୍କ ସହଜ ପାଇଁ ଦର୍ଶନ ବ୍ୟବସ୍ଥା କରିବା ବଦଳର ବୃଦ୍ଧବୃଦ୍ଧା ଅସୁସ୍ଥ ଭକ୍ତ ଶ୍ରୀକ୍ଷେତ୍ର ନଆସିବା ପାଇଁ କହିବା ଦୁର୍ଭାଗ୍ୟଜନକ । ଆଇନ ବିରୋଧୀ । ସମ୍ବିଧାନ ବିରୋଧୀ ।"
ଅଧିକ ପଢନ୍ତୁ- ଏବେ ବୟସ୍କ ଓ ରୋଗାଗ୍ରସ୍ତ ଭକ୍ତ ଶ୍ରୀମନ୍ଦିର ଆସନ୍ତୁ ନାହିଁ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ସେହିପରି ବରିଷ୍ଠ କଂଗ୍ରେସ ବିଧାଯକ ସୁର ରାଉତରାୟ କହିଛନ୍ତି, "ସରକାର ଚିନ୍ତାଧାରା ବଦଳିଯାଉଛି। ଭକ୍ତଙ୍କ ଭାବାବେଗ ସହ ଖେଳୁଛନ୍ତି । ବୃଦ୍ଧବୃଦ୍ଧା ଜଗନ୍ନାଥଙ୍କ ଆଶିର୍ବାଦ ପାଇଁ ଯିବେ ନାହିଁ ତ ଆଉ କିଏ ଯିବେ ? ସରକାରଙ୍କ ନିଷ୍ପତି ଠିକ ନୁହେଁ । ଏହାକୁ ଗ୍ରହଣ କରାଯାଇପାରିବ ନାହିଁ ।"
ସୂଚନାଯୋଗ୍ୟ ଯେ, ଶ୍ରୀମନ୍ଦିରର ଏବେ ଭକ୍ତଙ୍କ ପ୍ରବଳ ଭିଡ଼ ହେଉଛି । ଗୋଟିଏ ଦ୍ବାର ଦେଇ ଯିବା ଆସିବା ହେଉଥିବାରୁ ଅସମ୍ଭାଳ ଭିଡ଼ ଲାଗି ରହୁଛି । ଭକ୍ତଙ୍କୁ ଘଣ୍ଟାଘଣ୍ଟା ଧରି ଲାଇନରେ ଛିଡା ହେବାକୁ ପଡ଼ୁଛି । ଜଗା ଦର୍ଶନ ଟିକିଏ ପାଇବାକୁ ଭକ୍ତ ଅକଥନୀୟ ନିର୍ଯାତନା ଭୋଗୁଛନ୍ତି । ଏହାକୁ ନେଇ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରସାରଣ ପରେ ଗତକାଲି ସନ୍ଧ୍ୟାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ଅସୁସ୍ଥ, ବୃଦ୍ଧ, ବୃଦ୍ଧା ତଥା ବରିଷ୍ଠ ନାଗରିକ ଏବେ ଶ୍ରୀଜିଉଙ୍କ ଦର୍ଶନରେ ନଆସିବାକୁ ନିବେଦନ କରିଥିଲେ । ଏହାସହ ଯେତେବେଳେ ଭିଡ଼ ହ୍ରାସ ପାଇବ ଦର୍ଶନ କରିବାକୁ ଆସିବା ପାଇଁ ପରାମର୍ଶ ହୋଇଥିଲେ । ଏପରିକି ଯୋଉଠି ଥାଇ ମଧ୍ୟ ଭଗବାନଙ୍କୁ ଡାକିଲେ ଶୁଣିବେ ବୋଲି କହିଥିଲେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଏପରି ମନ୍ତବ୍ୟକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ଭକ୍ତ ମହଲରେ ଅସନ୍ତୋଷ ବଢୁଛି ।
ଇଟିଭି ଭାରତ, ଭୁବନେଶ୍ବର