ଭୁବନେଶ୍ବର: କଂଗ୍ରେସ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ବାଳଙ୍କ ଘରେ ନୂଆ କରି ଦଳରେ ଯୋଗଦେଇଥିବା କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ସେ ଆଜି ଚିରଞ୍ଜୀବଙ୍କ ଘରେ ରୁଦ୍ଧ ଦ୍ବାର ବୈଠକ କରିଛନ୍ତି । ପିସିସି କମିଟି ଗଠନ ପୂର୍ବରୁ ଚିରଞ୍ଜୀବଙ୍କୁ ମାନସ ମନ୍ଥନ ପାଇଁ ଉଦ୍ୟମ ହେଉଛି । ଦଳକୁ ସୁସଙ୍ଗଠିତ କରିବାକୁ ଆଲୋଚନା ହୋଇଛି ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ବିଜୟ । ତେବେ ବିଜୟ କଂଗ୍ରେସରେ ଯୋଗ ଦେବା ପରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବାରେ ଲାଗିଛନ୍ତି । ଏହାଦ୍ବାରା ଦଳ ସଶକ୍ତ ବୋଲି ଚର୍ଚ୍ଚା ହେଉଛି ।
ଦୀର୍ଘ ସମୟ ଧରି କଂଗ୍ରେସ ସଂଗଠନ ନେଇ ଆଲୋଚନା କରିଥିଲେ ବିଜୟ । ଦୀର୍ଘ ଦିନ ହେବ କଂଗ୍ରେସଠାରୁ ଦୂରେଇ ଅଛନ୍ତି ଚିରଞ୍ଜୀବ । ସେପଟେ ଆଲୋଚନା ପରେ ପ୍ରତିକ୍ରିୟା ରଖି ଚିରଞ୍ଜୀବ ବିଶ୍ବାଳ କହିଛନ୍ତି, "ଦଳ ପରିବର୍ତ୍ତନ କରିବାର ଆଲୋଚନା ଦୀର୍ଘ ଦିନରୁ ହେଉଛି, କିନ୍ତୁ ମୁଁ କଂଗ୍ରେସରେ ଅଛି । କଂଗ୍ରେସ ଭବନରେ ବସିଲେ ଭୋଟ ହେବନି, ନିଜ ଏରିଆ ବୁଲିଲେ ହେବ । ୯ରୁ ୯୦ ମିଶନ ପାଇଁ ତୃଣମୂଳ ସ୍ତରରୁ ସଂଗଠନ ସୁଦୃଢ କରିବା ଦରକାର ।" ଏହା ହେଉଛି ନା ନାହିଁ ଆପଣ ଜାଣିଥିବେ ବୋଲି ସାମ୍ବାଦିକଙ୍କୁ କହିଛନ୍ତି ଚିରଞ୍ଜୀବ ।
ଏହା ବି ପଢନ୍ତୁ- କେନ୍ଦୁପତ୍ର ତୋଳାଳିଙ୍କଠୁ ଟଙ୍କା ହଡପ ଘଟଣା, ଜାଣନ୍ତୁ କେମିତି ଟଙ୍କା ନେଉଥିଲେ ଫରେଷ୍ଟର
ଆଗକୁ ରଣଣୀତି କେମିତି ହେବ ଲଢେଇ କେମିତି ହେବ ସେ ନେଇ ଚିରଞ୍ଜୀବଙ୍କ ସହ ଆଲୋଚନା ହୋଇଥିବା କହିଛନ୍ତି ବିଜୟ ପଟ୍ଟନାୟକ । ସଂଗଠନକୁ ଅଧିକ କ୍ରିୟାଶୀଳ କରିବା ସହ ସାଧାରଣ ନିର୍ବାଚନ ପୂର୍ବରୁ ଜୋରଦାର ପ୍ରସ୍ତୁତି ନେଇ ଆଲୋଚନା ହୋଇଛି । ଦଳକୁ ସୁସଙ୍ଗଠିତ କରିବାକୁ ଆଲୋଚନା ହୋଇଛି ବୋଲି ବିଜୟ କହିଛନ୍ତି । ବିଜୟଙ୍କ ପୂର୍ବରୁ ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ, ସୁରେଶ ରାଉତରାୟ ଓ ପୃଥ୍ବୀବଲ୍ଲଭ ପଟ୍ଟନାୟକଙ୍କୁ ଚିରଞ୍ଜୀବଙ୍କୁ ଭେଟିଥିଲେ ।
ସେପଟେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ଯେ ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ । ଦଳକୁ ଏକାଠି କରି ସୁଦୃଢ଼ କରିବାରେ ଚେଷ୍ଟା ଜାରି ରହୁ । ବିଜୟ ପଟ୍ଟନାୟକ ମୋ ଘରକୁ ମଧ୍ୟ ଯାଇଥିଲେ ବୋଲି ସୁର ରାଉତରାୟ କହିଛନ୍ତି । ତେବେ ବିଜୟ ପଟ୍ଟନାୟକ କଂଗ୍ରେସରେ ଯୋଗ ଦେବା ପରେ କଂଗ୍ରେସ ସଶକ୍ତ ହେବ ବୋଲି କଂଗ୍ରେସ ଶିବିରରେ ଚର୍ଚ୍ଚା ଜୋର ଧରିଛି । ବିଜୟଙ୍କୁ ଦଳରେ କିଛି ଗୁରୁତ୍ବପୂର୍ଣ୍ଣ ପଦବୀ ଦିଆଯିବା ନେଇ ମଧ୍ୟ ଆଲୋଚନା ହେଉଛି ।
ଇଟିଭି ଭାରତ, ଭୁବନେଶ୍ବର