ଭୁବନେଶ୍ବର: ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅନକ୍ଲେମ ଗାଡି ଫେରାଇବାକୁ କମିଶନରେଟ ପୋଲିସର ପ୍ରୟାସ । ଦୀର୍ଘଦିନ ଧରି ଥାନାରେ ପଡି ରହିଥିବା ଜବତ ଗାଡ଼ିକୁ ଫେରାଇବାକୁ ଆରମ୍ଭ ହୋଇଛି ଅଭିଯାନ । ଏନେଇ ପ୍ରଥମ ଦିନରେ ଟ୍ରାଫିକ ଥାନାରୁ ୧୦ରୁ ୧୨ଟି ଗାଡି ଏହାର ଅସଲ ମାଲିକଙ୍କୁ ଫେରାଇଛି ପୋଲିସ । ଯାହାକୁ ନେଇ ଦୀର୍ଘଦିନ ପରେ ନିଜ ଗାଡ଼ି ଫେରିପାଇ ଏବେ ଗାଡି ମାଲିକଙ୍କ ମନରେ ନାହିଁ ନଥିବା ଖୁସିର ଲହରୀ ଖେଳିଛି ।
ସୂଚନା ମୁତାବକ ଟ୍ରାଫିକ ଚେକିଂ ବେଳେ ଅନେକ ସମୟରେ ପୋଲିସକୁ ଦେଖି ଗାଡି ଛାଡି ପଳାଇଥାନ୍ତି କିଛି ଲୋକ । ସେହି ସବୁ ଗାଡି ହୁଏତ ଚୋରା ଗାଡି ହୋଇଥାଏ, ନଚେତ ଗାଡ଼ିର କାଗଜ ପତ୍ର ସଠିକ ନଥାଏ ଅଥବା ସହର ବିଭିନ୍ନ ସ୍ଥାନରେ ମିଳୁଥିବା ଅଜଣା ଗାଡ଼ିକୁ ପୋଲିସ ଜବତ କରି ଆଣି ମାଲଖାନାରେ ରଖିଥାଏ । ଏପରିକି ଅନେକ ଚୋରି ଗାଡି ନମ୍ବର ପ୍ଲେଟ୍ ବଦଳାଇ ଚଲାଇବା ବେଳେ ଧରା ପଡ଼ିଥାଏ । ଏହିଭଳି ଧୀରେଧୀରେ ଗାଡ଼ି ପଡ଼ିରହି ଥାନା ପରିସର ଗାଡିରେ ଭର୍ତ୍ତି ହେବା ସହ ଧୀରେଧୀରେ ନଷ୍ଟ ହୋଇଯାଏ, ହେଲେ ଗାଡ଼ିର ରେଜିଷ୍ଟ୍ରେସନରେ ଥିବା ନମ୍ବର ସହ ଯୋଗାଯୋଗ ହୋଇ ପାରିନଥାଏ । ଅଥବା ସେହି ଗାଡ଼ିର ଦିଆଯାଇଥିବା ଠିକଣାରେ ମାଲିକ ନଥିଲେ ଗାଡିଗୁଡିକ ପଡି ରୁହେ । ତେବେ ଏନେଇ ହାଇକୋର୍ଟଙ୍କ ଜଷ୍ଟିସ୍ ଆଶିଷ ମହାନ୍ତିଙ୍କ ଏହିପରି ସବୁ ଗାଡ଼ିକୁ ଏହାର ମାଲିକମାନଙ୍କୁ ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜଣେ ଏସିପିଙ୍କୁ ଏନେଇ ଦାୟିତ୍ବ ଦିଆଯାଇ ବିଭିନ୍ନ ଥାନା ଓ ଟ୍ରାଫିକ୍ ଥାନାରେ ଥିବା ଏପରି ଜବତ ଗାଡ଼ିର ମାଲିକାନା ତଥ୍ୟ ବାହାର କରି ପରେ ଆରଟିଓ ଏବଂ ବିଭିନ୍ନ ଥାନା ସହ ଯୋଗାଯୋଗ କରାଯାଇ ଗାଡ଼ିର ଅସଲ ମାଲିକମାନଙ୍କୁ ଚିହ୍ନଟ କରି ଗାଡ଼ିକୁ ଫେରାଇବାକୁ ଅଭିଯାନ ଆରମ୍ଭ ହୋଇଛି ।
ଏହିକ୍ରମରେ ପ୍ରଥମ ଦିନରେ ଟ୍ରାଫିକ ଥାନରୁ ଫେରାଯାଇଛି ୧୦ରୁ ୧୨ଟି ଗାଡି । ତେବେ ସବୁଠାରୁ ବଡ଼କଥା ହେଲା, ଗାଡି ଫେରିପାଇ ମାଲିକଙ୍କ ମନରେ ଖେଳିଛି ଖୁସିର ଲହରୀ । ଚୋରି ଗାଡ଼ି ମିଳିବ ବୋଲି ବିଶ୍ବାସ ନଥିଲା । ଅଶ୍ବିନୀ କୁମାର ପଟ୍ଟନାୟକ ନାମକ ବ୍ୟକ୍ତିଙ୍କ ଗାଡି ଦୀର୍ଘ ୬ ମାସ ତଳେ ତାଙ୍କ ଅଫିସ ସାମ୍ନାରୁ ଚୋରି ହୋଇଥିଲା । ସେତେବେଳେ ପୋଲିସ ତଦନ୍ତ କରିଥିଲା, ହେଲେ ମିଳିନଥିଲା । ଏବେ ଟ୍ରାଫିକରୁ ଏହି ଗାଡ଼ି ଜବତ ହେବାପରେ ଫେରି ପାଇଛନ୍ତି ଅଶ୍ବିନୀ । ଏପରିକି ଚୋରି ଗାଡି ମିଳିବ ବୋଲି ବିଶ୍ବାସ ନଥିଲା ବୋଲି ସେ କହିଛନ୍ତି । ସେହିଭଳି ବାଙ୍କିରୁ ଚୋରି ହୋଇଥିବା ଗାଡ଼ି ୫ ବର୍ଷ ପରେ ମିଳିଲା । ଦାଶରଥି ନାମକ ବ୍ୟକ୍ତି ବାଙ୍କି ବଜାରରେ କିଛି ସାମଗ୍ରୀ କିଣୁଥିବା ବେଳେ ଚୋରି ହୋଇଯାଇଥିଲା ଗାଡି । ବାଙ୍କି ଥାନାରେ ଅଭିଯୋଗ ପରେ ଶେଷରେ ୫ ବର୍ଷ ପରେ ସେ ଗାଡ଼ି ଫେରିପାଇଛନ୍ତି । ଅନୁଗୋଳ ତାଳଚେରରୁ ଏକ ଗାଡି ମଧ୍ୟ ଚୋରି ପରେ ଭୁବନେଶ୍ବର ନମ୍ବର ପ୍ଲେଟ ବଦଳାଇ ଚଲାଉଥିଲେ ଦୁର୍ବୃର୍ତ୍ତ । ଟ୍ରାଫିକ ପୋଲିସ ଜବତ ପରେ ଅସଲ ମାଲିକଙ୍କୁ ଖବର ଦେଇ ହସ୍ତାନ୍ତର କରିଛି ଟ୍ରାଫିକ ପୋଲିସ୍ ।
ଇଟିଭି ଭାରତ, ଭୁବନେଶ୍ବର