ଭୁବନେଶ୍ବର: ମାଞ୍ଜା ସୁତା ପାଇଁ ବିପଦରେ ମଣିଷ ଜୀବନ । କେତେବେଳେ କେଉଁଠି ଘଟିପାରେ ଅଘଟଣ । ମକର ସଂକ୍ରାନ୍ତି ପାଖେଇ ଆସୁଥିବାରୁ ଏବେ ଗୁଡ଼ି ସୂତା ବଢ଼ାଇଛି ଚିନ୍ତା । ସେଥିପାଇଁ ଏସବୁ ସୂତାର ବିକ୍ରି ଉପରେ ରୋକ ଲଗାଇବାକୁ ଗଠନ ହୋଇଛି ଟିମ । କମିଶନରେଟ ପୋଲିସର ଜଣେ ଏସିପିଙ୍କ ନେତୃତ୍ବରେ ଖୁବଶୀଘ୍ର ଏହାର ବିକ୍ରି ଉପରେ ଚଢାଉ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଡିସିପି ତରୁଣ ଦାସ ।
ତେବେ ଲକ୍ଷ୍ମୀ ସାଗର ଅଞ୍ଚଳର ସୁଜିତ ସେନାପତି ନାମକ ଜଣେ ଯୁବକ ବରମୁଣ୍ଡାରୁ ଘରକୁ ଫେରୁଥିବା ବେଳେ କ୍ୟାପିଟାଲ ହସ୍ପିଟାଲ ଟ୍ରାଫିକ ଛକ ପାଖ ଅଞ୍ଚଳରେ ଏକ ବୁଢିଆଣି ଜାଲ ପରି ତାଙ୍କ ମୁହଁରେ କିଛି ଗୁଡେଇ ହେବା ଅନୁଭବ କରିଥିଲେ । ପରେ ସେ ନିଜ ମୁହଁରୁ କିଛି ଗୁଡ଼ି ସୂତାକୁ ହାତରେ କାଢିବା ବେଳେ ତାଙ୍କ ହାତ କଟିବା ସହ ତାଙ୍କ କାନ ଓ ମୁହରୁ ମଧ୍ୟ ରକ୍ତ ବାହାରିଥିଲା । ଏକ ବଡ଼ ଅଘଟଣରୁ ବର୍ତ୍ତିଯାଇଥିଲେ ସୁଜିତ । ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ଚିକିତ୍ସା ହୋଇଥିଲେ । ତେବେ ହାଇପ୍ରୋଫାଇଲ ଏରିଆରେ ଏପରି ଅଘଟଣ ପରେ ଏନେଇ ସତର୍କମୂଳକ ପଦକ୍ଷେପ ନେଇଛି କମିଶନରେଟ ପୋଲିସ । କାରଣ ଏବେ ଗଳି କନ୍ଦିରେ ଛୋଟପିଲା ଗୁଡି ଧରି ବୁଲୁଛନ୍ତି । କେଉଁଠି କିଏ କେଉଁ ସୂତା ବ୍ୟବହାର କରୁଛନ୍ତି । କିନ୍ତୁ କାହା ଅଜାଣତରେ ଏହି ସୂତାରେ ଜୀବନ ମଧ୍ୟ ଚାଲିଯାଇପାରେ । କାରଣ ଏସବୁ ସୂତା ଗୁଡିକ କାଚ ଗୁଣ୍ଡ ଭଳି ଜିନିଷରେ ପ୍ରସ୍ତୁତ । ଯାହାକି କାହା ବେକ, ହାତ ବା ଦେହରେ ବାଜିଲେ ରକ୍ତାକ୍ତ ହେବା ସହ ବିପଦ ଆଣିପାରେ ।
ଏହା ମଧ୍ୟ ପଢ଼ନ୍ତୁ...ମାଞ୍ଜା ସୂତା ପାଇଁ ଆକ୍ସନ ମୋଡରେ କମିଶନରେଟ ପୋଲିସ
ଏଥିପାଇଁ ଏଭଳି ଗୁଡି ସୂତା ବିକ୍ରି ଉପରେ ରୋକ ଲଗାଇବାକୁ ପୋଲିସ ପ୍ରୟାସ କରିବ । ବିଭିନ୍ନ ଅଞ୍ଚଳରେ ଥିବା ଦୋକାନରେ ବିକ୍ରି ହେଉଥିବା ଗୁଡି ଓ ଗୁଡି ସୂତା ଯାଞ୍ଚ କରାଯିବ । ଆବଶ୍ୟକ ପଡିଲେ ସେସବୁ ସିଜ୍ କରାଯିବ । ଯେଉଁସବୁ ଅଞ୍ଚଳରେ ପିଲାମାନେ ଖୋଲା ପଡିଆ ବା ବିପୁଳ ପରିମାଣର ଗୁଡି ଉଡାଉଛନ୍ତି, ସେସବୁ ଅଞ୍ଚଳକୁ ମଧ୍ୟ ପୋଲିସ ଯାଇ ସତର୍କ ସୂଚନା ଦେବ । ଏସବୁ ବିପଦକାରୀ ଜିନିଷଠାରୁ ଦୂରେଇ ରହିବାକୁ ପରାମର୍ଶ ଦେବ । କିଛି କିଛି ଜାଗାରେ ସାଇନ୍ ବୋର୍ଡ ଜରିଆରେ ଏସବୁଠୁ ଦୂରେଇ ରହିବାକୁ ପରାମର୍ଶ ଦିଆଯିବ । ତେବେ ଗୁଡି ସୂତା ଯାହା ଜୀବନ ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି, ତା'ଠାରୁ ଦୂରେଇ ରହିବାକୁ ଜନସାଧାରଣଙ୍କୁ ମଧ୍ୟ ନିବେଦନ କରାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ...ନିର୍ବାଚନ ବେଳେ ଅପରାଧ ରୋକିବ 'ତ୍ରିଶୂଳ'
ପ୍ରକାଶଯୋଗ୍ୟ, ଗତବର୍ଷ ଜାନୁଆରୀ ୧୧ ତାରିଖରେ ଖଣ୍ଡଗିରି ଥାନା ଡୁମଡୁମା ଅଞ୍ଚଳରେ ଏକ ଅଘଟଣ ଘଟିଥିଲା । ଡୁମଡୁମା ପାଲା ମଣ୍ଡପ ନିକଟରେ ସ୍ବୟଂ ରାୟ ଚୌଧୁରୀ ନାମକ ଯୁବକଙ୍କ ବେକରେ ଲାଗିଥିଲା ମାଞ୍ଜା ସୂତା । ସ୍କୁଟିରେ ଯାଉଥିବା ବେଳେ ଯୁବକଙ୍କ ବେକରେ ଏହି ସୂତା ଗୁଡେଇ ହୋଇ ଯିବାରୁ ସେ ଗୁରୁତର ଆହତ ହୋଇଥିଲେ । ସେହିପରି ଏୟାରପୋର୍ଟ ରୋଡରେ ପୋଖରିପୁଟ ଅଞ୍ଚଳରେ ଜଣେ ଲୋକ ଆସୁଥିବା ବେଳେ ମଧ୍ୟ ଗୁଡି ସୂତା ଲାଗି ତାଙ୍କ ବେକ କଟି ଯାଇଥିଲା । ସେ ଗୁରୁତର ଆହତ ହୋଇ ପରେ ସୁସ୍ଥ ହୋଇଥିଲେ ।
ଇଟିଭି ଭାରତ, ଭୁବନେଶ୍ବର