ଭୁବନେଶ୍ବର: ଚଳିତ ବର୍ଷ ୭୭ତମ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବେ । ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସ୍ବାଧୀନତା ଦିବସ-୨୦୨୩ ପାଳନର ରୂପରେଖ ସଂପର୍କରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ବିଭାଗୀୟ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଛି । ସ୍ବାଧୀନତା ଦିବସ ଆମ ସମସ୍ତଙ୍କ ଭାବାବେଗ ଏବଂ ଗର୍ବର ପ୍ରତୀକ । ଉତ୍ସବ ଆୟୋଜନ ସମୟରେ ସମସ୍ତ ବିଷୟକୁ ଟିକିନିଖି ଭାବେ ଗୁରୁତ୍ବ ଦେବାକୁ ପ୍ରମୁଖ ଶାସନ ସଚିବ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ।
ଏହାମଧ୍ୟ ପଢନ୍ତୁ: ବିଜେଡିର ମିଶ୍ରଣ ପର୍ବ, ଦଳରେ ସାମିଲ ହେଲେ ମାହାଙ୍ଗା ବିଜେପି ନେତା ଓ କର୍ମୀ
ଚଳିତ ବର୍ଷ ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ସକାଳ ୯ଟା ସମୟରେ ମୁଖ୍ୟମନ୍ତ୍ରୀ ଆନୁଷ୍ଠାନିକ ଭାବେ ପତାକା ଉତ୍ତୋଳନ କରିବେ । ସୂଚନା ଓ ଲୋକସଂପର୍କ ବିଭାଗ ଦ୍ବାରା ପରେଡ ଓ ପତାକା ଉତ୍ତୋଳନ ସ୍ଥାନରେ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ, ପ୍ରଭାତରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ରାମଧୁନ ପରିବେଷଣ, ସ୍ବାଧୀନତା ଦିବସ ଉତ୍ସବର ଟିଭି ଓ ସାମାଜିକ ଗଣମାଧ୍ୟମ ଯୋଗେ ସିଧା ପ୍ରସାରଣ, ଗଣମାଧ୍ୟମକୁ ସୂଚନା ପ୍ରଦାନ, ଉତ୍ସବସ୍ଥଳର ସାଜସଜ୍ଜା, ନିମନ୍ତ୍ରିତ ଅତିଥିଙ୍କ ଉପବେଶନ ବ୍ୟବସ୍ଥା ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି । ରାଜଭବନରୁ ଉତ୍ସବସ୍ଥଳ ପର୍ଯ୍ୟନ୍ତ ରାସ୍ତାକୁ ସୁସଜ୍ଜିତ କରାଯିବ । ଏଥିସହ ଉତ୍ସବସ୍ଥଳକୁ ଆକର୍ଷଣୀୟ ସାଜସଜ୍ଜା କରିବା ପାଇଁ ପ୍ରମୁଖ ଶାସନ ସଚିବ ପରାମର୍ଶ ଦେଇଛନ୍ତି ।
ଏହାମଧ୍ୟ ପଢନ୍ତୁ: ବନକଲାଗି ନୀତି ବିବାଦ: ଦ୍ବିତୀୟ ଥର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ସ୍ଥଗିତ
ଚଳିତ ସ୍ବାଧୀନତା ଦିବସ ଅବସରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କୋଠା, ସରକାରୀ ଉଦ୍ୟୋଗ ଓ ପ୍ରମୁଖ କୋଠାର ଆଲୋକୀକରଣ କରାଯିବ । ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଉତ୍ସବ ସ୍ଥଳର ସାନିଟାଇଜେସନ ଓ ପିଇବା ପାଣି ବ୍ୟବସ୍ଥା କରାଯିବ । ସେହିପରି ସୁରକ୍ଷା ବ୍ୟବସ୍ଥା ତଥା ଟ୍ରାଫିକ୍ ନିୟନ୍ତ୍ରଣକୁ କମିଶନରେଟ ପୋଲିସ ପକ୍ଷରୁ ପରିଚାଳନା କରାଯିବ । ପ୍ରସ୍ତୁତି ବୈଠକରେ ବିଭାଗୀୟ ନିର୍ଦ୍ଦେଶକ ସରୋଜ କୁମାର ସାମଲ, ବୈଷୟିକ ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ପରିଡ଼ା, ଅତିରିକ୍ତ ଶାସନ ସଚିବ ବିଷ୍ଣୁପ୍ରିୟା ସାହୁ, ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର