ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ମନ୍ତ୍ରୀମଣ୍ଡଳର ସହଯୋଗୀ ନିଜର ସମ୍ପତ୍ତି ତାଲିକା ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବସାଇଟରେ ସମ୍ପତ୍ତି ତାଲିକା ଉପଲବ୍ଧ ହୋଇଛି । ମନ୍ତ୍ରୀମଣ୍ଡଳରେ ମୁଖ୍ୟମନ୍ତ୍ରୀ ହିଁ ସବୁଠାରୁ ଧନୀ । ୨୦୨୨ ଡିସେମ୍ବର ସୁଦ୍ଧା ତାଙ୍କ ସମ୍ପତ୍ତି ପରିମାଣ ୬୫ କୋଟି ୪୦ ଲକ୍ଷ ୭୯ ହଜାର ୬୯୩ ଟଙ୍କା ରହିଛି । ଗତ ବର୍ଷ ଠାରୁ ନବୀନଙ୍କ ସମ୍ପତ୍ତିର ପରିମାଣ ୪୨ ଲକ୍ଷ ୯୦ ହଜାର ଟଙ୍କା ବଢ଼ିଛି । ସୁଧ ଆକାରରେ ନବୀନଙ୍କ ସମ୍ପତ୍ତି ୪୩ ଲକ୍ଷ ଟଙ୍କା ବୃଦ୍ଧି ପାଇଛି । ମୁଖ୍ୟମନ୍ତ୍ରୀଙ୍କୁ ବର୍ଷକୁ ଯେତିକି ସୁଧ ମିଳୁଛି ତା’ ଠାରୁ କମ ରହିଛି ତାଙ୍କ କ୍ୟାବିନେଟର ଜଣେ ସଦସ୍ୟଙ୍କ ସମ୍ପତ୍ତି ମୂଲ୍ୟ । ସବୁଠୁ ଗରିବ ମନ୍ତ୍ରୀ ହେଉଛନ୍ତି ପ୍ରଫୁଲ୍ଲ ମଲ୍ଲିକ । ତାଙ୍କ ସମ୍ପତ୍ତି ହେଉଛି ୪୨ ଲକ୍ଷ ।
ମୁଖ୍ୟମନ୍ତ୍ରୀଙ୍କ ସତ୍ୟପାଠ ଅନୁଯାୟୀ, ଦିଲ୍ଲୀର ଜନପଥରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆରେ ୭୦ ଲକ୍ଷ ଟଙ୍କା ୧୧ ହଜାର ୧୫୦, ଭୁବନେଶ୍ବରର ଏସବିଆଇରେ ୨୦ ଲକ୍ଷ ୮୭ ହଜାର ୧୫୫ ଟଙ୍କା ରହିଛି । ହିଞ୍ଜିଳିକାଟୁ କଲେଜ କ୍ୟାମ୍ପସ ଏସବିଆଇରେ ୭ ହଜାର ୨୬୭ ଟଙ୍କା ରହିଛି । ଏହି ଆକାଉଣ୍ଟ ୨୦୧୪ ସାଧାରଣ ନିର୍ବାଚନ ସମୟରେ ଖୋଲା ହୋଇଥିଲା । ସେଠାରେ ଅନ୍ୟ ଏକ ଏସବିଆଇ ଆକାଉଣ୍ଟରେ ୧୪ ହଜାର ଟଙ୍କା ରହିଛି । ଯାହା ୨୦୧୯ ନିର୍ବାଚନ ସମୟରେ ଖୋଲା ଯାଇଥିଲା । ନୂଆଦିଲ୍ଲୀ ପାର୍ଲାମେଣ୍ଟ ହାଉସ ଏସବିଆଇ ଆକାଉଣ୍ଟରେ ୧୯୪୫ ଟଙ୍କା ରହିଛି ।
ସେହିପରି ଏଚଡିଏଫସି ବ୍ୟାଙ୍କରେ ୧ କୋଟି ଟଙ୍କାର ଫିକ୍ସଡ ଡିପୋଜିଟ ରହିଛି । ଏହାବାଦ ୯ କୋଟି ଟଙ୍କାର ଆରବିଆଇ ବଣ୍ଡ ଓ ପୋଷ୍ଟ ଅଫିସରେ ଦେଢ଼ କୋଟି ଟଙ୍କାର ଟର୍ମ ଡିପୋଜିଟ ରହିଛି । ଦିଲ୍ଲୀ ଲୋଧି ରୋଡର ପୋଷ୍ଟ ଅଫିସରେ ୬ ଲକ୍ଷ ୯୬ ହଜାର ଟଙ୍କା ରହିଛି । ନବୀନଙ୍କ ପାଖରେ ସାଢ଼େ ତିନି ଲକ୍ଷ ଟଙ୍କାର ସୁନା ଗହଣା ଥିବାବେଳେ ୧୯୮୦ ମସିହାର ଏକ ଆମ୍ବାସଡର କାର ମଧ୍ୟ ରହିଛି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କର ଦୁଇ ତୃତୀୟାଂଶ ସେୟାର ଅଛି । ଯାହାର ମୂଲ୍ୟ ୯ କୋଟି ୫୨ ଲକ୍ଷ ୪୬ ହଜାର ଟଙ୍କା ହେବ । ଦିଲ୍ଲୀର ଏପିଜେ ଅବଦୁଲ କଲାମ ରୋଡରେ ଥିବା ସମ୍ପତ୍ତିରେ ନବୀନଙ୍କର ୫୦ ପ୍ରତିଶତ ସେୟାର ରହିଛି । ଏହାର ବର୍ତ୍ତମାନର ମୂଲ୍ୟ ୪୩ କୋଟି ୩୬ ଲକ୍ଷ ୧୮ ହଜାର ଟଙ୍କା ହେବ । ନବୀନଙ୍କର ଉପରେ କିଛି ଋଣ ଭାର ନାହିଁ ।
ମୁଖ୍ୟମନ୍ତ୍ରୀଙ୍କ ଛଡା ନବୀନଙ୍କ ମନ୍ତ୍ରିମଣ୍ଡଳରେ ୧୩ ଜଣ ମନ୍ତ୍ରୀ କୋଟିପତି । ଅଶୋକ ଚନ୍ଦ୍ର ପଣ୍ଡା, ପ୍ରୀତିରଞ୍ଜନ ଘଡ଼ାଇ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ଉଷା ଦେବୀ, ଅତନୁ ସବ୍ୟସାଚ୍ଚୀ ନାୟକ, ରାଜେନ୍ଦ୍ର ଢୋଲକିଆ, ଟୁକୁନି ସାହୁ, ପ୍ରଦୀପ ଅମାତ, ପ୍ରତାପ କେଶରୀ ଦେବ, ବାସନ୍ତୀ ହେମ୍ବ୍ରମ, ରୋହିତ ପୂଜାରୀ ଓ ଅଶ୍ବିନୀ ପାତ୍ରଙ୍କ ସମ୍ପତ୍ତି କୋଟିଏ ଉପରେ ରହିଛି । ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସବୁଠାରୁ ଗରିବ କ୍ୟାବିନେଟ ମନ୍ତ୍ରୀ ହେଉଛନ୍ତି ଖଣି ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ତାଙ୍କର ମୋଟ ସମ୍ପତ୍ତି ମୂଲ୍ୟ ୪୨ ଲକ୍ଷ ଟଙ୍କା ରହିଥିବା ଦର୍ଶାଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର