ଖୋର୍ଦ୍ଧା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଖୋର୍ଦ୍ଧା ଗସ୍ତ । ବୁଧବାର ମୁଖ୍ୟମନ୍ତ୍ରୀ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଖୋର୍ଦ୍ଧା ନିକଟ ଗୁରୁଜଙ୍ଗରେ କୃତ୍ରିମ ଅଙ୍ଗପ୍ରତ୍ୟେଙ୍ଗ ଉତ୍ପାଦନ ଗବେଷଣା କେନ୍ଦ୍ରକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗୁରୁଜଙ୍ଗରେ ୧୯୪୧ ମସିହାରେ ପ୍ରତିଷ୍ଠିତ ପ୍ରାଥମିକ ବିଦ୍ୟାଳୟ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିଲା । ବର୍ତ୍ତମାନ ସେଠାରେ ଗଢ଼ି ଉଠିଛି ବିଜୁ ମହାବୀର ଜୟପୁର ଫୁଟ୍ ସେଣ୍ଟର । ରାଜସ୍ଥାନ ଜୟପୁରର ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ବାରା ଏଠାରେ କୃତ୍ରିମ ଅଙ୍ଗପ୍ରତ୍ୟେଙ୍ଗ ପ୍ରସ୍ତୁତ ହେବ । ସେ ସମ୍ପର୍କରେ ଗବେଷଣା ତାଲିମ କେନ୍ଦ୍ର ମଧ୍ୟ ଚାଲିବ ।
ରାଜ୍ୟ ସରକାରଙ୍କ ସହଯୋଗରେ ଏହାର ପ୍ରତିଷ୍ଠା ହୋଇଥିବାବେଳେ ଏହାକୁ ଆନୁଷ୍ଠାନିକ ଭାବେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି । ପରେ ଏକ ସାଧାରଣ ସଭାରେ ଯୋଗଦେଇ ନବୀନ କହିଛନ୍ତି, "ମୁଁ ବହୁତ ଆନନ୍ଦିତ ଏବଂ ଖୁସି ଯେ ଭଗବାନ ମହାବୀର ବିକଳାଙ୍ଗ ସେବା ସମିତି ଜୟପୁର ଓଡ଼ିଶାରେ ସେବା ଆରମ୍ଭ କରିଛି । ଭିନ୍ନକ୍ଷମ କଲ୍ୟାଣ ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ଆଗାମୀ ଛଅ ମାସ ଭିତରେ ସମସ୍ତ ଭିନ୍ନକ୍ଷମମାନଙ୍କୁ ଆବଶ୍ୟକ କରୁଥିବା ସାମଗ୍ରୀ ସରକାର ଯୋଗାଇ ଦେବେ ।" ଭିନ୍ନକ୍ଷମମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ମନ୍ତ୍ରୀ ଅଶୋକ ପଣ୍ଡା କହିଥିଲେ, "ବିଜୁ ବାବୁ ଦେଖିଥିବା ସ୍ୱପ୍ନକୁ ଏହି ଅନୁଷ୍ଠାନ ସାକାର କରିବ । ତେଣୁ ଅନୁଷ୍ଠାନର ନାମକରଣ ବିଜୁ ବାବୁଙ୍କ ନାମରେ ନାମିତ କରାଯାଇ ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟର ରଖାଯାଇଛି । ଏହି କେନ୍ଦ୍ର ପ୍ରତିଷ୍ଠା ଖୋର୍ଦ୍ଧା ଜିଲ୍ଲା ପାଇଁ ଗର୍ବ ଏବଂ ଗୌରବ ।" ଜିଲ୍ଲାର ସମସ୍ତ ଭିନ୍ନକ୍ଷମମାନଙ୍କୁ ଚିହ୍ନଟ କରି କୃତିମ ଅଙ୍ଗ ପ୍ରତ୍ୟଙ୍ଗ ଲଗାଯାଇ ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରାଯାଇପାରିବ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ କହିଛନ୍ତି ।
ସଭାରେ ମୁଖ୍ଯମନ୍ତ୍ରୀଙ୍କ ସହିତ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ର, ଜୟପୁର ଫୁଟ୍ ସେଣ୍ଟରର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ଼ ଡି.ଆର. ମେହେତା ଏବଂ ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସତୀସ ମେହ୍ତା ଉପସ୍ଥିତ ରହି ଦିବ୍ୟାଙ୍ଗଙ୍କ ଉଦ୍ଦେଶ୍ୟରେ ଏକ ମୋବାଇଲ ଭ୍ୟାନ, ଶ୍ରବଣ ଯନ୍ତ୍ର, ଟ୍ରାଇସାଇକେଲ୍, ହ୍ୱିଲ୍ଚେୟାର ଆଦି ବଣ୍ଟନ କରିଛନ୍ତି । ମୁଖ୍ଯମନ୍ତ୍ରୀଙ୍କ ଗସ୍ତ ସମୟରେ ସୁରକ୍ଷାକୁ ଦୃଷ୍ଟିରେ ରଖି 10 ପ୍ଲାଟୁନ ପୋଲିସ ଫୋର୍ସ , 50 ହୋମଗାର୍ଡ, 6 ଡିଏସ୍ପି ,10 ଇନ୍ସପେକ୍ଟର ମୁତୟନ ହୋଇଥିଲେ ।
ଇଟିଭି ଭାରତ, ଖୋର୍ଦ୍ଧା