ଭୁବନେଶ୍ବର: ଆସନ୍ତା ଜୁନ ୯ ତାରିଖରୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ହିରୋ ଇଣ୍ଟର କଣ୍ଟିନେଣ୍ଟାଲ ଫୁଟବଲ ଟୁର୍ଣ୍ଣାମେଣ୍ଟ । ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ ଜୁନ ୧୮ ତାରିଖ ଯାଏଁ ଚାଲିବ । ଏଥିପାଇଁ ଟିକେଟ ବିକ୍ରି ଆରମ୍ଭ ହୋଇଛି । ହିରୋ ଇଣ୍ଟର କଣ୍ଟିନେଣ୍ଟାଲ କପ୍ ୨୦୨୩ର ପ୍ରଥମ ଟିକେଟ କିଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାରତୀୟ ଫୁଟବଲ ଟିମ୍ ପ୍ରଶିକ୍ଷକ ଡଃ ସଜି ପ୍ରଭାକରନଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କୁ ଟିକେଟ ପ୍ରଦାନ କରିଛନ୍ତି ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ ।
ହକି ବିଶ୍ବକପର ସଫଳ ଆୟୋଜନ ପରେ ଓଡ଼ିଶା ଆଉ ଏକ ବିଶ୍ବସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଯାଉଛି । ପ୍ରଥମ ଥର ପାଇଁ ଓଡ଼ିଶାରେ ଅନ୍ତର୍ଜାତୀୟ ପୁରୁଷ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆୟୋଜନ ହେଉଛି । ଏଥିପାଇଁ ବହୁ ସଂଖ୍ୟାରେ ଫୁଟବଲପ୍ରେମୀ କଳିଙ୍ଗ ଷ୍ଟାଡିୟମରେ ପହଞ୍ଚି ଖେଳାଳିମାନଙ୍କୁ ଉତ୍ସାହିତ କରିବା ପାଇଁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ଜୁନ ୯ରୁ ୧୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଏହି ଅନ୍ତର୍ଜାତୀୟ ପୁରୁଷ ଫୁଟବଲ ଟୁର୍ଣ୍ଣାମେଣ୍ଟ ହିରୋ ଇଣ୍ଟର କଣ୍ଟିନେଣ୍ଟାଲ କପ୍ ୨୦୨୩ ଖେଳାଯିବ । ଏହି ୪ ଦଳୀୟ ପ୍ରତିଯୋଗିତାରେ ଭାରତ ସମେତ ଲେବାନନ୍, ମଙ୍ଗୋଲିଆ ଏବଂ ଭନୁତୁଆର ଫୁଟବଲ ଟିମ୍ ଭାଗନେବେ ।
ତେବେ ହିରୋ ଇଣ୍ଟର କଣ୍ଟିନେଣ୍ଟାଲ କପ୍ର ଆୟୋଜକ ଭାରତ ସହିତ ଲେବାନନ୍, ଭନୁତୁଆ ଓ ମଙ୍ଗୋଲିଆ ପ୍ରତିଦ୍ବନ୍ଦ୍ବିତା କରିବେ । ଏଥିରେ ପ୍ରଥମ ପ୍ରତିଦ୍ବନ୍ଦ୍ବୀ ଭାବେ ମଙ୍ଗୋଲିଆକୁ ଭେଟିବ ଭାରତ । ଉଭୟ ଦଳ ଜୁନ ୯ ତାରିଖ ସନ୍ଧ୍ୟା ୭.୩୦ରେ ଦ୍ବିତୀୟ ମ୍ୟାଚ୍ରେ ମୁହାଁମୁହିଁ ହେବେ । ପ୍ରଥମ ଦିନର ପ୍ରଥମ ମୁକାବିଲା ଲେବାନନ୍ ଓ ଭନୁତୁଆ ମଧ୍ୟରେ ଅପରାହ୍ନ ୪.୩୦ରେ ଖେଳାଯିବ । ଏହାପରେ ଜୁନ ୧୨ ତାରିଖ ଅପରାହ୍ନରେ ମଙ୍ଗୋଲିଆ ଓ ଲେବାନନ୍ ଏବଂ ସନ୍ଧ୍ୟାରେ ଭନୁତୁଆ ଓ ଭାରତ ମୁହାଁମୁହିଁ ହେବେ । ସେହିଭଳି ଜୁନ ୧୫ ତାରିଖରେ ଭନୁତୁଆ ଓ ମଙ୍ଗୋଲିଆ ଏବଂ ଭାରତ ଓ ଲେବାନନ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ । ଜୁନ ୧୮ ତାରିଖରେ ଗ୍ରୁପ୍ ପର୍ଯ୍ୟାୟର ବିଜେତା ଓ ଉପବିଜେତା ମଧ୍ୟରେ ଅନ୍ତିମ ତଥା ଫାଇନାଲ୍ ମ୍ୟାଚ୍ ଖେଳାଯିବ । ଏହି ଅନ୍ତର୍ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଅଧିନାୟକ ସୁନୀଲ ଛେତ୍ରୀଙ୍କ ନେତୃତ୍ବରେ ଭାରତୀୟ ଫୁଟବଲ ଦଳ ଓଡ଼ିଶାରେ ପହଞ୍ଚିଛି । ତେବେ ମେ ୧୫ ତାରିଖରୁ ଜୁନ୍ ୨୦ ତାରିଖ ଇଣ୍ଟର କଣ୍ଟିନେଣ୍ଟାଲ କପ୍ ଶେଷ ହେବା ପର୍ଯ୍ୟନ୍ତ ଭାରତୀୟ ଦଳ ଭୁବନେଶ୍ବରରେ ରହିବେ ବୋଲି ଓଡ଼ିଶା ଫୁଟବଲ ଆସୋସିଏସନ ପକ୍ଷରୁ କୁହାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର