ଭୁବନେଶ୍ବର: ଆର୍ଥିକ କ୍ଷେତ୍ରରେ ବର୍ତ୍ତମାନ ଓଡିଶା ଏକ ସ୍ବତନ୍ତ୍ର ପରିଚୟ ହାସଲ କରିଛି । ରାଜସ୍ବ ସଂଗ୍ରହ ବୃଦ୍ଧି ପାଇଥିବା ବେଳେ ଏହା ଆମ ନିଜସ୍ବ ରାଜସ୍ବ । ଅର୍ଥ ବ୍ୟବସ୍ଥାରେ ଓଡିଶା ଉଦାହରଣ ପାଲଟିଛି । ଲୋକ ବିକାଶ ଧାରାରେ ସାମିଲ ହୋଇଛନ୍ତି । ନୂଆ ଓଡ଼ିଶା ଗଠନ କରିବା ପାଇଁ ନିଷ୍ଠାର ସହ କାମ କର । ୩୨ତମ ଅର୍ଥ ସେବା ସଂଘ ସାଧାରଣ ବୈଠକକୁ ସମ୍ବୋଧିତ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ବୈଠକରେ ଯୋଗ ଦେଇ ରାଜ୍ୟର ଅର୍ଥନୀତିକୁ ବିକାଶ ଦିଗରେ ତ୍ଵରାନିତ୍ଵ କରୁଥିବା ଅର୍ଥ ବିଭାଗର ଅଧିକାରୀଙ୍କୁ ଗୁରୁ ମନ୍ତ୍ର ଦେଇଛନ୍ତି ନବୀନ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ''ଆର୍ଥିକ ସେବା ସଂଘ ଓଡ଼ିଶାର ସଫଳତାର ରାସ୍ତାରେ ସବୁ କ୍ଷେତ୍ରରେ ନୂଆ ଉଦାହରଣ ସୃଷ୍ଟି କରିଛି । 5T ଓ ମୋ ସରକାର ରାଜ୍ୟ ଶାସନ ଓ ଜନସାଧାରଣଙ୍କୁ ଗୁଣାତ୍ମକ ସେବା ଦେବାରେ ଗୁଣାତ୍ମକ ବିପ୍ଳବ ଆଣିଛି । ସବୁ କ୍ଷେତ୍ରରେ ଆମେ ରୂପାନ୍ତର ମାଇଲ ଖୁଣ୍ଟ ଛିଡା କରିଛୁ । ଏହା ସହ ବିକାଶ ପ୍ରକ୍ରିୟାରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ସୁନିଶ୍ଚିତ କରିଛି । ଲଗାତାର ଦୁଇଥର ବିଶ୍ବକପ ହକିର ଆୟୋଜନ, ମହାମାରୀର ପ୍ରଭାବଶାଳୀ ପରିଚାଳନା, ମେକ ଇନ ଓଡିଶା କନକ୍ଲେଭର ତୃତୀୟ ସଂସ୍କରଣର ବିଶାଳ ସଫଳତା ଏବଂ ଅନ୍ୟାନ୍ୟ ସଫଳତା ନୂତନ ଓଡ଼ିଶାର ଉତ୍ଥାନକୁ ସୂଚିତ କରିଛି । ଆମ ରାଜ୍ୟର ସମସ୍ତ ସଫଳତାର କାହାଣୀ ହେଉଛି ଆମର ଆର୍ଥିକ ଅନୁଶାସନ, ଉତ୍ସଗୁଡ଼ିକର ପ୍ରଭାବଶାଳୀ ସଂଗ୍ରହ ଏବଂ ଉତ୍ସଗୁଡ଼ିକର ସଠିକ ଏବଂ ଯଥାର୍ଥ ବ୍ୟବହାରକୁ ସୁନିଶ୍ଚିତ କରିବା ପାଇଁ ଜନସାଧାରଣ ନୀତି ପ୍ରସ୍ତୁତ କରିବା ।''
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ,'' ଓଡ଼ିଶା ଅର୍ଥ ସେବାର ଅବଦାନ କୌଣସି ବିସ୍ତାରର ଆବଶ୍ୟକତା ନାହିଁ । ଆମର ନିଜସ୍ବ ଟିକସ ରାଜସ୍ବ ସଂଗ୍ରହ ଯଥେଷ୍ଟ ବୃଦ୍ଧି ପାଇଛି । ନିଜସ୍ବ ରାଜସ୍ବ ମୋଟ ୬୦ ପ୍ରତିଶତ । ଲୋକ ବିକାଶଧାରାରେ ଯୋଡି ହୋଇଛନ୍ତି । ବିତ୍ତୀୟ କାର୍ଯ୍ୟଧାରାରେ ଓଡିଶା ଅନ୍ୟ ରାଜ୍ୟ ତୁଳନାରେ ଶୀର୍ଷରେ ରହିଛି । ଏକ ସମୃଦ୍ଧ ରାଜ୍ୟର ସ୍ବପ୍ନ ପୂରଣ ପାଇଁ ବଜେଟ, ଜିଏସଟି ଦକ୍ଷ ପ୍ରଶାସନ ଓ ନିଷ୍ଠାର ସହ କାମ କରିବାକୁ ହେବ ।''
ଏହି ଅଧିବେଶନରେ ୫୦୦ରୁ ଊର୍ଦ୍ଧ୍ବ ଅର୍ଥ ସେବାର ଅଧିକାରୀମାନେ ଯୋଗ ଦେଇଥିଲେ । ରାଜ୍ୟର ଆର୍ଥିକ ସ୍ଥିତି ସୁଧାରିବାରେ କଣ ସବୁ କାର୍ଯ୍ୟଶୈଳୀ ରହିଛି, କଣ କରି ହେବ ଅର୍ଥନୈତିକ ବିକାଶ ପାଇଁ ଓ ନୂଆ କଥା ନୂଆ ପ୍ରଯୁକ୍ତିବିଦ୍ୟା କଣ ରହିଛି ସେନେଇ ଅଧିବେସନରେ ଆଲୋଚନା କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ମୁଖ୍ୟଶାସନ ସଚିବ ପ୍ରଦୀପ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଥିଲେ ଆର ଵାଲ କ୍ରିଷନ । ଏହାସହ ସିଟି ଆଣ୍ଡ ଜିଏସଟି କମିଶନର ସଞ୍ଜୟ ସିଂ ଅର୍ଥବିଭାଗର ବିଭାଗୀୟ ପ୍ରିନିସିପାଲ ସେକ୍ରେଟାରୀ ବିଶାଳ କେ ଦେବ ଯୋଗ ଦେଇଥିଲେ ।
ଇଟିିଭି ଭାରତ, ଭୁବନେଶ୍ବର