ଖୋର୍ଦ୍ଧା: ଶେଷ ହେଲା କାଳୀ ପୂଜା । ଖୋର୍ଦ୍ଧା ଧଉଳିମୁହଁ ଗ୍ରାମରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ବେଶ ଧୁମଧାମର ସହିତ ଗ୍ରାମବାସୀ ମାନେ ପାଳନ କରିଛନ୍ତି ମାଆ କାଳୀଙ୍କ ପୂଜା । ଗ୍ରାମରେ ଥିବା ମାଆ କାଳୀଙ୍କ ମନ୍ଦିରରେ ଦୀର୍ଘ ବର୍ଷ ତଳେ ଗ୍ରାମବାସୀଙ୍କ ସହାୟତାରେ ଆରମ୍ଭ ହୋଇଥିଲା ଏହି କାର୍ଯ୍ୟକ୍ରମ । ତେବେ ଏନେଇ ପ୍ରତିବର୍ଷ ଗ୍ରାମବାସୀଙ୍କ ସହଯୋଗରେ ଏହି ପୂଜା ପାଳନ କରାଯାଉଛି ।
ମାଆଙ୍କ ମନ୍ଦିରରେ ଯଜ୍ଞ ହେବା ସହିତ ମାଙ୍କ ନୀତିକାନ୍ତି କରାଯାଇଥାଏ । ଚଳିତବର୍ଷ କୋରୋନା କଟକଣା ନ ଥିବାରୁ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମାଆ କାଳୀଙ୍କ ପୂଜା ପାଇଁ ଧଉଳିମୁଁହ ଗ୍ରାମ ବେଶ ଚଳଚଞ୍ଚଳ ହୋଇଛି । ଦୀପାବଳୀ ଠାରୁ ଆରମ୍ଭ ହୋଇଥିବା ଏହି ପୂଜା ଶେଷ ହୋଇଛି । ପ୍ରତିଦିନ ଏଠାକୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ଦେଖିବାକୁ ମିଳିଥିଲା । ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ, ରାମ ନାଟକ, ଭଜନ ସମାରୋହ ଓ ମିନା ବଜାରକୁ ଦର୍ଶକ ମାନେ ବେଶ ଉପଭୋଗ କରୁଥିବା ଦେଖିବାକୁ ମିଳିଛି । ଏହାକୁ ଦେଖିବାକୁ ଆଖ ପାଖ ଅଞ୍ଚଳର ହଜାର ହଜାର ଲୋକଙ୍କ ସମାଗମ ହୋଇଥାଏ । ପାଞ୍ଚଦିନ ଧରି ଆୟୋଜନ ହୋଇଥିବା ଏହି କାର୍ଯ୍ୟକ୍ରମ ଉଦଯାପିତ ହୋଇଛି ।
ଇଟିଭି ଭାରତ , ଖୋର୍ଦ୍ଧା