ଭୁବନେଶ୍ବର: ଶିଖରଚଣ୍ଡୀ ମନ୍ଦିର ସମେତ ପାର୍ଶ୍ବବର୍ତ୍ତୀ ଅଞ୍ଚଳର ଉନ୍ନୟନ କରାଯାଇ ରାଜ୍ୟର ପ୍ରମୁଖ ପ୍ରର୍ଯ୍ୟଟନସ୍ଥଳୀ ଭାବେ ପରିଣତ କରିବାକୁ ରାଜ୍ୟ ସରକାର ଗୁରୁତ୍ବାରୋପ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗତକାଲି(ବୁଧବାର) ଶିଖରଚଣ୍ଡୀରେ ବିକାଶର ସ୍ଥିତି ସମୀକ୍ଷା କରିଛନ୍ତି । ମୁଖ୍ୟ ଶାସନ ସଚିବ ଶିଖରଚଣ୍ଡୀ ମନ୍ଦିର ପରିଦର୍ଶନ କରି ଏଥିପାଇଁ ହୋଇଥିବା ମାଷ୍ଟରପ୍ଲାନର ନକ୍ସା ଦେଖିଛନ୍ତି । ଖାଲି ସେତିକି ନୁହେଁ ବିଡିଏ ପକ୍ଷରୁ ପ୍ରସ୍ତୁତ ହୋଇଥିବା ନକ୍ସା ଦେଖିବା ସହ ପାହାଡ଼ ଉପରକୁ ଯାଇ କେଉଁଠି କେଉଁ ପ୍ରକଳ୍ପ ହେବ ତାହାର ଅନୁଧ୍ୟାନ କରିଛନ୍ତି ।
ଶିଖରଚଣ୍ଡୀ ମନ୍ଦିର ଓ ଏହାର ପାରିପାର୍ଶ୍ବିକ ଅଞ୍ଚଳର ଉନ୍ନୟନ କରି ଭୁବନେଶ୍ୱର ସହରର ଅନ୍ୟତମ ଆକର୍ଷଣ କେନ୍ଦ୍ର ଭାବେ ଗଢି ତୋଳିବା ପାଇଁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି । ଏଥିପାଇଁ ପୂର୍ବରୁ 5T ସଚିବ ଭି.କେ. ପାଣ୍ଡିଆନ ଶିଖରଚଣ୍ଡି ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ । ପାଣ୍ଡିଆନଙ୍କ ପରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ବିଡିଏ ଉପାଧ୍ୟକ୍ଷ ବଲୱନ୍ତ୍ ସିଂ, ବିଏମ୍ସି କମିସନର ବିଜୟ ଅମୃତ କୁଲାଙ୍ଗେ ଗତକାଲି ଶିଖରଚଣ୍ଡୀ ପାହାଡ଼ ପରିଦର୍ଶନ କରି ସମୀକ୍ଷା କରିଛନ୍ତି ।
ତେବେ ଶିଖରଚଣ୍ଡୀ ପାହାଡ଼ର ବିକାଶ କରିବା ପାଇଁ ଅନେକ ଦିନରୁ ଦାବି ହୋଇଆସୁଥିଲା । ମୁଖ୍ୟମନ୍ତ୍ରୀ ଏହାର ବିକାଶ ପାଇଁ ଅନୁଦାନ ଦେବାପରେ ଏହି ପ୍ରକଳ୍ପ ଲାଗି ଖୁବଶୀଘ୍ର ଟେଣ୍ଡର ଡକାଯିବ ବୋଲି ବୈଠକରୁ ସୂଚନା ମିଳିଛି । ମୁଖ୍ୟ ଶାସନ ସଚିବ ସ୍ଥିତି ଅନୁଧ୍ୟାନ କରିବା ସମୟରେ ମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ । ଏନେଇ ସ୍ଥାନୀୟ କର୍ପୋରେଟର ମିହିର କୁମାର ରାଉତ ସୂଚନା ଦେଇଛନ୍ତି ।
ଶିଖରଚଣ୍ଡୀ ଭୁବନେଶ୍ୱରର ଏକ ପୁରୁଣା ଐତିହ୍ୟ ପୀଠ । ଏହାର ବିକାଶ ହେଲେ କେବଳ ରାଜ୍ୟର ନୁହେଁ ଦେଶ ବିଦେଶର ପର୍ଯ୍ୟଟକଙ୍କ ଭିଡ ଜମିବ । ରାଜଧାନୀବାସୀଙ୍କ ପାଇଁ ଏହା ଏକ ନୂଆ ଅନୁଭୂତି ଆଣିଦେବ ବୋଲି କୁହାଯାଇପାରିବ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଶିଖରଚଣ୍ଡୀ ମନ୍ଦିର ଓ ଏହାର ଆଖପାଖ ଅଞ୍ଚଳର ୫୩.୬୪ ଏକର ଜମିରେ ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବ । ଏଥିପାଇଁ ୨୫ କୋଟି ଟଙ୍କା ଖର୍ଚ୍ଚ କରାଯିବ । ବିଡିଏ ଏହାର ଉନ୍ନୟନ କାର୍ଯ୍ୟ କରିବା ସହିତ ଏହି ଅଞ୍ଚଳର ପରିଚାଳନା ଦାୟିତ୍ବ ଗ୍ରହଣ କରିବ ।
ଇଟିଭି ଭାରତ, ଭୁବନେଶ୍ବର