ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି । ସେ ଦୁଇ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ନିର୍ମାଣାଧୀନ ଦେଓ ଡ୍ୟାମ କାର୍ଯ୍ୟର ଅଗ୍ରଗତି ବାବଦରେ ମୁଖ୍ୟ ଶାସନ ସଚିବ ସମୀକ୍ଷା କରିଛନ୍ତି । ଏହାସହ କେନ୍ଦୁଝରର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

ଦୁଇ ଜିଲ୍ଲା ଗସ୍ତ କରି ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ''ଦେଓ ଡ୍ୟାମ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି । ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା କେନାଲ କାର୍ଯ୍ୟ ଶେଷ କରାଯାଇ ଖରିଫ ଋତୁରେ ଜଳସେଚନ ବ୍ୟବସ୍ଥା କରାଯିବ । ଏଥିସହ ଏହି ଡ୍ୟାମ ଉପରେ ଇକୋ ଟୁରିଜିମ ନିମନ୍ତେ ୧୦ଟି କଟେଜ ନିର୍ମାଣ କରାଯିବ । ପର୍ଯ୍ୟଟକମାନଙ୍କ ନିମନ୍ତେ ବୋଟିଂ ବ୍ୟବସ୍ଥା ମଧ୍ୟ କରାଯିବ । ଏହାଦ୍ବାରା ଉକ୍ତ ପ୍ରକଳ୍ପକୁ ନେଇ ବିସ୍ଥାପିତ ପରିବାରର ସଦସ୍ୟ ରୋଜଗାରକ୍ଷମ ହେବା ସହ ପର୍ଯ୍ୟଟନ ଶିଳ୍ପର ବିକାଶ ହୋଇପାରିବ । ଏତଦ୍ବ୍ୟତୀତ ରାଇରଙ୍ଗପୁର ଖଡଖାଇ ଡ୍ୟାମ, ଶିମିଳିପାଳ ଅଞ୍ଚଳର ନଅଣାରେ ମଧ୍ୟ କଟେଜ ନିର୍ମାଣ କରାଯାଇ ଇକୋ ଟୁରିଜିମ ବ୍ୟବସ୍ଥା କରାଯିବ ।''

ପୂର୍ବରୁ ମୁଖ୍ୟ ଶାସନ ସଚିବ କରଞ୍ଜିଆରେ ଜିଲ୍ଲାରେ ଜାରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଜିଲ୍ଲାରେ ବହୁ ଦିନରୁ ବାକିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ ୧୧ଟି ମେଗା ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ୧୭ ହଜାର ଏବଂ ସୁବର୍ଣ୍ଣରେଖା ନିକଟସ୍ଥ ଅଞ୍ଚଳରେ ନୂତନ ଭାବେ ୧୦ ହଜାର ଜମିକୁ ଜଳସେଚନ କରାଯାଇପାରିବ । ମୁଖ୍ୟ ଶାସନ ସଚିବ ମୟୂରଭଞ୍ଜ ଯିବା ବାଟରେ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ବ୍ୟାରେଜ କ୍ଷେତ୍ରୀୟ ପରିଦର୍ଶନ କରିଥିଲେ । ଏହାସହ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯାହଦ୍ବାରା ଆସନ୍ତା ଖରିଫ ଋତୁରେ ଅର୍ଥାତ ଚଳିତ ବର୍ଷ ଜୁନ ମାସ ସୁଦ୍ଧା ବ୍ୟାରେଜରେ ପାଣି ଛାଡିବାକୁ ସେ ପରାମର୍ଶ ଦେଇଛନ୍ତି । ମୁଖ୍ୟ କେନାଲ ସଂଯୋଗୀକରଣ ନେଇ ଥିବା ଜମିଜମା ସମସ୍ୟା ସମାଧାନ ହୋଇଥିବା ଉକ୍ତ ଗସ୍ତ ସମୟରେ ଉପସ୍ଥିତ ଅଧିକାରୀମାନେ ସୂଚନା ଦେଇଛନ୍ତି ।

ମୁଖ୍ୟ ଶାସନ ସଚିବଙ୍କ ଆନନ୍ଦପୁର ଗସ୍ତ ସମୟରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ଉପଜିଲ୍ଲାପାଳ ଅନିଲ କୁମାର ସେଠୀ, ଆନନ୍ଦପୁର ବ୍ୟାରେଜ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଅବିନାଶ ରାଉଳଙ୍କ ସମେତ ଅନ୍ୟାନ ଅଧିକାରୀ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର