ଭୁବନେଶ୍ବର: ଯୁବ ପ୍ରଶାସନିକ ଅଧିକାରୀମାନେ ନିରନ୍ତର ଭାବେ ଜ୍ଞାନ ଅର୍ଜନ, ରାଜ୍ୟ ସରକାରଙ୍କ ୫-ଟି ଆଭିମୁଖ୍ୟକୁ କାର୍ଯ୍ୟ କ୍ଷେତ୍ରରେ ପ୍ରୟୋଗ କରିବେ । ଅଭିନବ ଚିନ୍ତାଧାରା ବ୍ୟବହାର ପୂର୍ବକ ଦକ୍ଷ ସେବା ପ୍ରଦାନ ଓ ସାମର୍ଥ୍ୟକୁ ସର୍ବାଧିକ ଉପଯୋଗ କରିବେ । ସେବାରେ ଗୁଣବତ୍ତା ସୁନିଶ୍ଚିତ କରିବେ । ଓଡ଼ିଶା ସରକାରୀ ସେବା ଆଚରଣ ନିୟମକୁ କଡ଼ାକଡ଼ି ଭାବେ ପାଳନ କରି ରାଜ୍ୟର ରୂପାନ୍ତରଣକୁ ଆହୁରି ଆଗେଇ ନେବେ । ୨୦୨୦ ବ୍ୟାଚ ଓଡ଼ିଶା ପ୍ରଶାସନିକ ସେବା ଶିକ୍ଷାନବିଶମାନଙ୍କର ନିଯୁକ୍ତି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦଘାଟନ ଅବସରରେ ଏହା କହିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ।
ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ଅଧୀନରେ ପ୍ରଶିକ୍ଷଣ ନେବା ପାଇଁ ଯୋଗ ଦେଇଛନ୍ତି ୧୨୯ ଜଣ ଓଏଏସ ପ୍ରୋବେସନର । ସେମାନେଙ୍କ ମଧ୍ୟରୁ ୧୨୮ ଜଣ ଓଏଏସ-୨୦୨୦ ବ୍ୟାଚ ଏବଂ ଜଣେ ଓଏଏସ - ୨୦୧୮ ବ୍ୟାଚର ଅଟନ୍ତି । ଏହି ବ୍ୟାଚରେ ୫୬ ଜଣ ମହିଳା ଓ ୭୩ ଜଣ ପୁରୁଷ ପ୍ରଶିକ୍ଷାର୍ଥୀ ରହିଛନ୍ତି । ୨୨ ସପ୍ତାହ ବ୍ୟାପୀ ଏହି ନିଯୁକ୍ତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜୁନ ୨୬ରୁ ନଭେମ୍ବର ୨୪ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି । ଓଏଏସ ପ୍ରୋବେସନରଙ୍କୁ ଶୃଙ୍ଖଳା ଅନୁସରଣ ପୂର୍ବକ ସଠିକ ମାର୍ଗରେ ପରିଚାଳିତ ହେବା ଓ ନିଷ୍ଠାର ସହିତ କାର୍ଯ୍ୟ କରିବାକୁ ପ୍ରଶିକ୍ଷଣ ଦିବସର ପ୍ରାରମ୍ଭରେ ପରାମର୍ଶ ଦିଆଯାଇଛି । ମୁଖ୍ୟ ଶାସନ ସଚିବ ପ୍ରଶିକ୍ଷାର୍ଥୀମାନଙ୍କ ଉଦ୍ଦେଶ୍ୟରେ ପ୍ରେରଣାଦାୟୀ ବକ୍ତବ୍ୟ ପ୍ରଦାନ କରିଛନ୍ତି ।
ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ନବ ନିଯୁକ୍ତ ଅଧିକାରୀ ପ୍ରାୟ ୩୦ରୁ ୩୫ ବର୍ଷ ଧରି ସରକାରଙ୍କ ସେବା କରିବାକୁ ଯାଉଛନ୍ତି । ପ୍ରୋବେସନରମାନେ ନିରନ୍ତର ଜ୍ଞାନ ଅର୍ଜନ, ରାଜ୍ୟ ସରକାରଙ୍କ ୫-ଟି ଆଭିମୁଖ୍ୟକୁ କାର୍ଯ୍ୟ କ୍ଷେତ୍ରରେ ପ୍ରୟୋଗ କରିବେ । ଅଭିନବ ଚିନ୍ତାଧାରା ବ୍ୟବହାର ପୂର୍ବକ ଦକ୍ଷ ସେବା ପ୍ରଦାନ, ସାମର୍ଥ୍ୟକୁ ସର୍ବାଧିକ ଉପଯୋଗ କରିବେ । ସେବାରେ ଗୁଣବତ୍ତା ସୁନିଶ୍ଚିତ କରିବେ ଏବଂ ଓଡ଼ିଶା ସରକାରୀ ସେବା ଆଚରଣ ନିୟମକୁ କଡ଼ାକଡ଼ି ଭାବେ ପାଳନ କରି ରାଜ୍ୟର ରୂପାନ୍ତରଣକୁ ଆହୁରି ଆଗେଇ ନେବେ ।
ଜୀବନ ଚକ୍ର ପଦ୍ଧତିରେ ଶିକ୍ଷଣ ହେଉଛି ଏକ ନିରନ୍ତର ପ୍ରକ୍ରିୟା । ଯାହା ପ୍ରାରମ୍ଭିକ ପର୍ଯ୍ୟାୟରେ ସଠିକ ପୋଷଣ ଏବଂ ପରାମର୍ଶ ସହିତ ଆରମ୍ଭ ହୁଏ । ସରକାରୀ ସେବା କାର୍ଯ୍ୟ କାଳ ମଧ୍ୟରେ ସଚ୍ଚୋଟତା ରକ୍ଷା ସହିତ ଆତ୍ମଶିକ୍ଷା, ଅଭିନବତ୍ବ ଏବଂ ମୂଲ୍ୟାଙ୍କନ ମାଧ୍ୟମରେ ଏହା ଜାରି ରହିଥାଏ । ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ, ପ୍ରଶିକ୍ଷଣ ମାଧ୍ୟମରେ ଏହା ଶିକ୍ଷା ଲାଭ କରିବା ପାଇଁ ସୁଯୋଗ ପ୍ରଦାନ କରିବା ସହ ଯୁବ ପ୍ରଶାସନିକ ଅଧିକାରୀମାନଙ୍କୁ ଏହି ଅଭ୍ୟାସ ଜାରି ରହିବା ଓ ଶୃଙ୍ଖଳାର ସହ କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ କରିଥାଏ ବୋଲି ସିଏସ କହିଛନ୍ତି । ପ୍ରଶିକ୍ଷଣ ନିମନ୍ତେ କେତେକ ଆନୁଷଙ୍ଗିକ ଆବଶ୍ୟକତା ରହିଥିବା ସତ୍ତ୍ବ ଶିକ୍ଷାଦାନ ଏବଂ ଶିକ୍ଷଣ ଅଭିଜ୍ଞତାର ଗୁଣବତ୍ତା ବୃଦ୍ଧି ଦିଗରେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀଙ୍କର ମହାନିର୍ଦ୍ଦେଶକଙ୍କ ଅଭିନବ ପଦକ୍ଷେପକୁ ସେ ପ୍ରଶଂସା କରିଛନ୍ତି ।
ଏହି ଟ୍ରେନିଂ ମୋଡ୍ୟୁଲରେ ଆଭ୍ୟନ୍ତରୀଣ ଏବଂ ବାହ୍ୟ ସମ୍ବଳ ଦ୍ବାରା ଜ୍ଞାନ ଆଦାନ ପ୍ରଦାନରେ ପ୍ରଶିକ୍ଷଣ ଅବଧିକୁ ୧୮ ସପ୍ତାହରୁ ୨୨ ସପ୍ତାହକୁ ବୃଦ୍ଧି କରାଯାଇଛି । ଏହି ପର୍ଯ୍ୟାୟ ପ୍ରଶିକ୍ଷଣ ପ୍ରୋବେସନରମାନଙ୍କୁ ଉଚ୍ଚମାନର ସଚ୍ଚୋଟତା, ଏକାଗ୍ରତା ଓ ମୂଲ୍ୟବୋଧର ସହ ପୂର୍ଣ୍ଣାଙ୍ଗ ଅଧିକାରୀ ଭାବେ ଗଢ଼ି ତୋଳିବାରେ ସହାୟକ ହେବ ବୋଲି ମୁଖ୍ୟ ଶାସନ ସଚିବ ଆଶାବ୍ୟକ୍ତ କରିଛନ୍ତି । ବିଭିନ୍ନ ଉଦାହରଣ ଦେଇ ଓଡ଼ିଶା ବିପର୍ଯ୍ୟୟ ମୁକାବିଲାଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ହାସଲ କରିଥିବା ଉଲ୍ଲେଖନୀୟ ମାଇଲଖୁଣ୍ଟକୁ ପ୍ରଶଂସା କରି ଯୁବ ପ୍ରୋବେସନରମାନେ ଅମଲାତନ୍ତ୍ରରେ ନେତୃତ୍ବ ନେଇ ଏହି ଦୃଷ୍ଟିକୋଣକୁ ବାସ୍ତବରେ ପରିଣତ କରିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।
ଗୋପବନ୍ଧୁ ପ୍ରଶାସନ ଏକାଡେମୀର ମହାନିର୍ଦ୍ଦେଶକ ତଥା ଓଡ଼ିଶା ରାଜସ୍ବ ପରିଷଦର ସଦସ୍ୟ ରାଜ କୁମାର ଶର୍ମା ଯୁବ ପ୍ରୋବେସନରମାନଙ୍କୁ କର୍ମବୀର ବୋଲି ଅଭିହିତ କରିଛନ୍ତି । ରୂପାନ୍ତରଣ ଜାରି ରହିଥିବା ଓଡିଶାରେ ଶାସନର ପ୍ରମୁଖ ମାଧ୍ୟମ ଭାବେ ସେମାନେ କାର୍ଯ୍ୟ କରିବେ ବୋଲି ସେ ପ୍ରକାଶ କରିଛନ୍ତି । ଏହାସହ ଲୋକ ସେବାର ପ୍ରତୀକ ହୋଇ ରାଜ୍ୟ ତଥା ଦେଶକୁ ଗୌରବାନ୍ବିତ କରିବେ ବୋଲି କହିବା ସହ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ତିନୋଟି ମୂଳଦୁଆ ଉପରେ ଗୁରୁତ୍ବାରୋପ କରିଛନ୍ତି । ପ୍ରଶିକ୍ଷାର୍ଥୀମାନେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତାବିଜର ମହତ୍ବକୁ ଉପଲବ୍ଧ କରି କାର୍ଯ୍ୟ କ୍ଷେତ୍ରରେ ଲଗାଇବା, ୧୯୪୭ ମସିହା ଏପ୍ରିଲ ୨୧ ତାରିଖରେ ଆଇଏଏସ ପ୍ରୋବେସନରମାନଙ୍କୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ବକ୍ତୃତାରେ ରହିଥିବା ଜାତୀୟ ସଂହତିର ମାର୍ଗ ଏବଂ ଏକ ସଫଳ ଜନସେବା ବୃତ୍ତି ଆପଣେଇବା ଏବଂ ୫-ଟିର ଦର୍ଶନକୁ ବୁଝି କାର୍ଯ୍ୟ କ୍ଷେତ୍ରରେ ଉପଯୋଗ କରିବା ସଂପର୍କରେ ସେ ପରାମର୍ଶ ଦେଇଛନ୍ତି ।
ପ୍ରାରମ୍ଭରେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଅତିରିକ୍ତ ମହାନିର୍ଦ୍ଦେଶକ ମନୀଷ ଅଗ୍ରଓ୍ଵାଲ ୨୦୨୦ ବ୍ୟାଚର ପ୍ରଶିକ୍ଷଣ ପ୍ରଣାଳୀର ପ୍ରସ୍ତୁତି, ଅବଧି ଏବଂ ନକ୍ସା ସମ୍ପର୍କରେ ବିଶଦ ସୂଚନା ଦେଇଛନ୍ତି । ପାଠ୍ୟକ୍ରମ ଢାଞ୍ଚା ମଧ୍ୟରେ ଇଣ୍ଡୋର ଏକାଡେମିକ ଅଧିବେଶନ ଏବଂ ଆଉଟଡୋର କାର୍ଯ୍ୟକଳାପର ସନ୍ତୁଳିତ ମିଶ୍ରଣ ସୁନିଶ୍ଚିତ କରିବା ପାଇଁ ଜିଏଏ ପର୍ଯ୍ୟାପ୍ତ ପଦକ୍ଷେପ ଗ୍ରହଣ କରିଛି ବୋଲି ସେ କହିଛନ୍ତି । ପାଠ୍ୟକ୍ରମ ମଡ୍ୟୁଲ ଗୁଡ଼ିକ ଆଭ୍ୟନ୍ତରୀଣ ଏବଂ ବାହ୍ୟ ମଡ୍ୟୁଲ ସଂଯୋଜକଙ୍କ ଦ୍ବାରା ପରିଚାଳିତ ହେବ ।
ସେହିପରି ଜାଭିୟର ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ, ସେଞ୍ଚୁରିଆନ ୟୁନିଭରସିଟି ଅଫ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ, ଓଡିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର, ରାଜସ୍ବ ଅଧିକାରୀ ପ୍ରଶିକ୍ଷଣ ପ୍ରତିଷ୍ଠାନ ଭଳି ସମ୍ବଳ ଏଜେନ୍ସି ମାନଙ୍କ ସହ ବୈଷୟିକ ସହଯୋଗ କରାଯାଇଛି । ପ୍ରଶିକ୍ଷାର୍ଥୀମାନେ ସ୍ବତଃପ୍ରବୃତ୍ତ ଭାବେ ଆଗ୍ରହର ସହ ପ୍ରଶିକ୍ଷଣରେ ସାମିଲ ହେବା, ଶିକ୍ଷା ଗ୍ରହଣକୁ ଭଲ ଭାବେ ବୁଝିବା, କ୍ଷେତ୍ର ପରିଦର୍ଶନରୁ ଜ୍ଞାନ ଆହରଣ କରିବା ଉପରେ ଗୁରୁତ୍ବ ଦିଆଯାଉଥିବା ସେ ପ୍ରକାଶ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର