ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପ୍ରିଲ ପ୍ରଥମ ସପ୍ତାହରେ ଜାପାନ ଗସ୍ତରେ ଯିବେ । ଜାପାନର ପୁଞ୍ଜିନିବେଶକାରୀଙ୍କ ସହିତ ସିଧାସଳଖ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଜାପାନ ଗସ୍ତରେ ଯିବେ । ପ୍ରତିନିଧି ଦଳରେ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ପ୍ରମୁଖ ରହିବେ । ସେହିପରି 5ଟି ସଚିବ ଭି କେ ପାଣ୍ଡିଆନଙ୍କ ସମେତ ଶିଳ୍ପ ବିଭାଗର ବରିଷ୍ଠ ଅଧିକାରୀ ମଧ୍ୟ ଜାପାନ ଗସ୍ତରେ ଯିବେ ।
ପୁଞ୍ଜିନିବେଶକାରୀଙ୍କ ସହିତ ରାଜ୍ୟ ସରକାରଙ୍କ ଆଲୋଚନା ନେଇ ରାଜନୀତି ଆରମ୍ଭ ହୋଇଛି । ବିଜେଡି ବିଧାୟକ ଦେବୀ ମିଶ୍ର କହିଛନ୍ତି ଯେ, ଏହା ଅତି ଖୁସିର ବିଷୟ । ଜାପାନୀ ଫଣ୍ଡିଂ ଜାଇକା କାର୍ଯ୍ୟକ୍ରମ ଓ ଜଙ୍ଗଲ ବିଭାଗରେ ଲାଗିଛି । ଶିଳ୍ପ ଓ ପୁଞ୍ଜିନିବେଶ କ୍ଷେତ୍ରରେ ଲାଗୁ ହୋଇନାହିଁ । 2010 ଓ 2015ରେ ଟିମ ଓଡ଼ିଶାରୁ ଯାଇଥିଲୁ । ଜାପାନୀ ଟିମକୁ ଆମେରିକାରେ ଭେଟିଥିଲୁ । ଗ୍ଲୋବାଲ କନ୍ଫରେନ୍ସରେ ପୁଞ୍ଜିନିବେଶକାରୀଙ୍କ ସହିତ ଆଲୋଚନା କରିଥିଲୁ । ବୈଷୟିକ କ୍ଷେତ୍ରରେ ଜାପାନ ଅନେକ ଅଗ୍ରଗତି କରିଛି । ଯଦି ଓଡ଼ିଶାକୁ ପୁଞ୍ଜିନିବେଶକାରୀ ଆସିବେ, ତାହାଲେ ନିଯୁକ୍ତି ଓ ରୋଜଗାରର ସୁବିଧା ହେବ ।
ଦେବୀ ଆହୁରି କହିଛନ୍ତି, ସେମାନେ ନ୍ୟୁକ୍ଲିୟସ ଶିଳ୍ପ ଆଣିଲେ, ଏମଏସଏମଇ ଓ କ୍ଷୁଦ୍ର ଶିଳ୍ପ ଉପକୃତ ହେବେ । ଯେହେତୁ ମୁଖ୍ୟମନ୍ତ୍ରୀ ଟିମ ଓଡ଼ିଶାର ନେତୃତ୍ୱ ନେଇ ଯାଉଛନ୍ତି, ଏହା ଖୁସିର କଥା । ବିଦେଶୀ ପୁଞ୍ଜିନିବେଶ ଆକୃଷ୍ଟ କରିବାରେ ଓଡ଼ିଶା ଭାରତବର୍ଷର 3ଟି ପ୍ରମୁଖ ସ୍ଥାନ ମଧ୍ୟରେ ରହିଛି । ଏହି 3 ରାଜ୍ୟ ହେଲେ ଓଡିଶା, ଗୁଜୁରାଟ ଓ କର୍ଣ୍ଣାଟକ । ଅନ୍ୟ ରାଜ୍ୟ ମାନେ ମଧ୍ୟ ପ୍ରତିଯୋଗିତା କରୁଛନ୍ତି । ଏହା ଆସୋଚାମର ରିପୋର୍ଟ କହୁଛି । ଓଡ଼ିଶା 3 ଟି ମେକ ଇନ ଓଡ଼ିଶା କନକ୍ଲେଭ କରିଛି । 2016, 2018 ଓ 2022ରେ କନକ୍ଲେଭ ହୋଇଛି ।
ଗତ କନକ୍ଲେଭରେ ପ୍ରାୟ 10 ଲକ୍ଷ କୋଟି ପୁଞ୍ଜି ପ୍ରସ୍ତାବ ଆସିଛି । ସେଥିରୁ 1 ଲକ୍ଷ କୋଟି ଗ୍ରାଉଣ୍ଡେଡ଼ ହୋଇ ସାରିଛି । ତାହା ପୂର୍ବରୁ 62 ଓ 65 ପ୍ରତିଶତ ପ୍ରସ୍ତାବ ଗ୍ରାଉଣ୍ଡେଡ଼ ହୋଇଛି । ଅନ୍ୟ ରାଜ୍ୟରେ ଗ୍ରାଉଣ୍ଡେଡ଼ 25 ପ୍ରତିଶତ ଥିବାବେଳେ ଓଡ଼ିଶାରେ ଏହା 63 ପ୍ରତିଶତ । ଭଲ କାମରେ ଛିଙ୍କିବା ଠିକ ନୁହେଁ । ବିରୋଧୀ ଜାତୀୟ ଦଳ ଶାସିତ ରାଜ୍ୟରେ କଣ କରୁଛନ୍ତି ଦେଖନ୍ତୁ । ରେଡ଼ କାର୍ପେଟ ବିଛେଇ ସ୍ୱାଗତ କରିବା ସହ ତାଙ୍କ ମୁଖ୍ୟମନ୍ତ୍ରୀ ଯାଉଛନ୍ତି । ଆମ ମୁଖ୍ୟମନ୍ତ୍ରୀ ଗଲେ ଗୁରୁତ୍ୱ ରହିବ । ପୁଞ୍ଜିନିବେଶ ଆସିବ । ଜାପାନ ସହିତ ସାଂସ୍କୃତିକ ସହଯୋଗ ରହିଛି ।
ସେପଟେ ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତକୁ ନେଇ ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । ନରସିଂହ କହିଛନ୍ତି ଯେ, ବିଧାନସଭା ଏପ୍ରିଲ ୬ ଯାଏଁ ଚାଲିବ । ମୁଖ୍ୟମନ୍ତ୍ରୀ ଗୃହକୁ ଆସୁ ନାହାଁନ୍ତି । ସମ୍ବେଦନଶୀଳ ପ୍ରଶ୍ନ ହେଉଛି ମହାନଦୀ । ସେ ଯାଏ କୁଆଡେ ନଯାନ୍ତୁ, ସେ ନିଜେ ଉପସ୍ଥିତ ରୁହନ୍ତୁ, ଉତ୍ତର ରଖନ୍ତୁ । ସେ ତ ଦାବି କରୁଛନ୍ତି ସବୁ ପୁଞ୍ଜିପତି ଆସୁଛନ୍ତି, ପୁଞ୍ଜି ନିବେଶ କରୁଛନ୍ତି । ଓଡ଼ିଶା ବାସୀଙ୍କୁ ସିନା ଏହା ଦିଶୁନି ବୋଲି ସେ କଟାକ୍ଷ କରିଛନ୍ତି । ଦୁର୍ଭାଗ୍ୟ ଯେ ଦିଲ୍ଲୀ ଓ ଭୁବନେଶ୍ୱର ସରକାର ପ୍ରଚାର ସର୍ବସ୍ୱ । ମୁଖ୍ୟମନ୍ତ୍ରୀ କୁହନ୍ତି, କଥା କମ, କାମ ବେଶୀ । କିନ୍ତୁ ତାହା ଠିକ ଓଲଟା । ଘୋଷଣା ଉପରେ ଘୋଷଣା ହୁଏ । ଶିଳ୍ପ, କୃଷି କି ଅର୍ଥନୀତି ବିକାଶ ହୁଏନି ।
ଇଟିଭି ଭାରତ, ଭୁବନେଶ୍ବର