ଖୋର୍ଦ୍ଧା: ଗୋଟେ ପଟେ ରାଜ୍ୟ ସରକାର ସ୍ବଚ୍ଛତାର କଥା କହି 5 Tକୁ ଅନୁପାଳନ କରିବାକୁ ଜନ ପ୍ରତିନିଧିଙ୍କୁ କହୁଛନ୍ତି ଏବଂ ସରପଞ୍ଚଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ମଧ୍ୟ ଦେଉଛନ୍ତି । ବିଶେଷ କରି ଲୋକ ପ୍ରତିନିଧିଙ୍କୁ ସ୍ବଚ୍ଛତା ଏବଂ ଦକ୍ଷତା ଉପରେ ଫୋକସ କରିବାକୁ ତାଗିଦ ମଧ୍ୟ କରୁଛନ୍ତି ସରକର । ସେହିପରି ଅନିୟମିତତାକୁ କୌଣସି ପ୍ରକାର ବରଦାସ୍ତ କରାଯିବନି ବୋଲି ଫତୱା ମଧ୍ୟ ଜାରି କରିଛନ୍ତି ରାଜ୍ୟ ସରକାର । ମାତ୍ର ସରକାରୀ ପାଣ୍ଠିକୁ ବେନିୟମ ଭାବେ ଖର୍ଚ୍ଚ କରିଛନ୍ତି ସରପଞ୍ଚ । କିନ୍ତୁ ବିଡମ୍ବନାର ବିଷୟ ଯେ, ଏକଥା ଜଣା ପଡିବା ପରେ ଏହି ଘଟଣାକୁ ଦାବି ଦବାପାଇଁ ଏକ ଅସାମ୍ବିଧାନିକ ଚୁକ୍ତିନାମା କରିଛନ୍ତି ବୋଲଗଡ଼ ବ୍ଲକର ସରକାରୀ ବାବୁ ।
କରିତକର୍ମା ବୋଲଗଡ଼ ବ୍ଲକ ସାନପଦର ସରପଞ୍ଚ, ଯିଏ ସରକାର ଦେଇଥିବା ଅର୍ଥକୁ ଆତ୍ମସାତ କରିଥିବା ଜଣାପଡ଼ିଛି । ସେ ପୁଣି ହଜାରେ କି ଦୁଇ ହଜାର ନୁହେଁ, ବରଂ କେନ୍ଦ୍ର ଏବଂ ରାଜ୍ୟ ଅର୍ଥ କମିଶନ ଦେଇଥିବା 13 ଲକ୍ଷ 40 ହଜାର ଟଙ୍କାକୁ ଆତ୍ମସାତ୍ କରିଥିବା ପଞ୍ଚାୟତ ଅଡ଼ିଟ ସମୟରେ ଧରାପଡ଼ିଛି । ସେପଟେ ଏହି ସାଙ୍ଘାତିକ ଦୁର୍ନୀତିକୁ ଚାପିଦେବାକୁ ହୋଇଛି ଚୁକ୍ତିପତ୍ର । ଚୁକ୍ତିପତ୍ରରେ ଦୁଇଟି କିସ୍ତିରେ ମୋଟ 13 ଲକ୍ଷ 40ହାଜର ଟଙ୍କା ଫେରାଇବା ପାଇଁ ସରପଞ୍ଚ ସମ୍ମତି ପ୍ରଦାନ କରିଛନ୍ତି । ଅନ୍ୟପଟେ ଏହି ଘଟଣାର ଭିଜିଲାନ୍ସ ତଦନ୍ତ ଦାବୀ କରିଛନ୍ତି ସାନପଦର ଗ୍ରାମବାସୀ ।
ଘଟଣା ସମ୍ପର୍କରେ ସରପଞ୍ଚଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ । କିନ୍ତୁ ଚୁକ୍ତିନାମାରେ ସାକ୍ଷୀ ରହିଥିବା ପଞ୍ଚାୟତ ଜିଆରଏସ କହିଛନ୍ତି ଯେ, ମୁଁ ନୂତନ ଭାବେ ଯୋଗଦେଇଛି ଏବଂ ଏହା ମୋ ସମୟରେ ହୋଇନାହିଁ । ଗ୍ରାମାଞ୍ଚଳରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଦେଉଥିବା ଅର୍ଥ କିଭଳି ଲୋକଙ୍କ କାମରେ ଲାଗୁନି ତାହା ଏହି ଘଟଣାରୁ ସହଜରେ ଅନୁମେୟ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ