ଭୁବନେଶ୍ବର: ନିଶାମୁକ୍ତ ଭାରତ ଅଭିଯାନ ଜୋରଦାର । ଜିଲ୍ଲା ସ୍ତରୀୟ କମିଟି କ୍ରମେ ଚାଲିଛି ଜୋରସୋର ଚଢାଉ । ଭୁବନେଶ୍ବର ସ୍ଥିତ ମଞ୍ଚେଶ୍ବର ଅଞ୍ଚଳରୁ ବିପୁଳ ପରିମାଣରେ ଗଞ୍ଜେଇ ଓ ସିଗାରେଟ ଜବତ । ମଞ୍ଚେଶ୍ବରର ଏକ ଘରୋଇ ଓ ସରକାରୀ ଶିକ୍ଷାନୁଷ୍ଠାନ ପାଖରେ ଥିବା ପାନ ଦୋକାନରେ ଅବକାରୀ ବିଭାଗର ଚଢାଉ ବେଳେ ଗଞ୍ଜେଇ ଓ ସିଗାରେଟ ଜବତ ହୋଇଥିବା ଜଣାପଡିଛି। ଏନେଇ ଅବକାରୀ ବିଭାଗ ଜଣଙ୍କୁ ଗିରଫ କରିଥିବା ବେଳେ ତାଙ୍କ ଠାରୁ ୮ କେଜି ୨୦୦ ଗ୍ରାମର ଗଞ୍ଜେଇ, ବିପୁଳ ପରିମାଣର ସିଗାରେଟ ସହ ୩୬ ହଜାର ଟଙ୍କା ଜବତ କରିଛି।
ସୂଚନା ଅନୁସାରେ, ବିଭିନ୍ନ ଶିକ୍ଷାନୁଷ୍ଠାନ କଡରେ ଗଞ୍ଜେଇ ବିକ୍ରି ହେଉଥିବାର ଖବର ପାଇଥିଲା ଅବକାରୀ ଟିମ। ଏନେଇ ମଞ୍ଚେଶ୍ବର ଥାନା ଅଧିନ ଭିଏସ ଏସ ନଗର ଓଭରବ୍ରିଜ ତଳେ ଏକ ପାନ ଦୋକାନରେ ବିକ୍ରି ହେଉଥିବାର ସୂଚନା ପାଇ ସାଧାରଣ ବେଶରେ ରେଡ କରିଥିଲେ ଅବକାରୀ ଟିମ । ଚଢାଉ ବେଳେ ସୁବାଶ ଦାସ ନାମକ ଜଣେ ଗଞ୍ଜେଇ ବେପାରୀ ଠାରୁ ୮ କେଜି ୨୦୦ ଗ୍ରାମର ଗଞ୍ଜେଇ ଜବତ କରିବା ସହ ପୋଲିସ ତାଙ୍କୁ ଗିରଫ କରିଛି ।
ତେବେ ତେବେ ରାଜ୍ୟକୁ ନିଶାମୁକ୍ତ କରିବା ପାଇଁ ପୋଲିସ ପକ୍ଷରୁ ଜୋରଦାର ଅପରେସନ କରାଯାଉଛି । ୧୩ ତାରିଖ ଦିନ 28 ଜଣ ଅଧିକାରୀଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ନିଶା କାରବାରକୁ ରୋକିବା ନେଇ କିଭଳି ପଦକ୍ଷେପ ନିଆଯିବ ସେନେଇ ଆଲୋଚନା ହୋଇଥିଲା । ଏଥିରେ ଅନଲାଇନରେ ଡ୍ରଗସ କାରବାର ଠୁ ଆରମ୍ଭ କରି ଯୁବପିଢିଙ୍କୁ ନିଶାଠୁ କିପରି ଦୁରେଇ ରଖିହେବ ସେ ନେଇ ପ୍ରସ୍ତୁତ ହୋଇଥିଲା ଉଚ୍ଚସ୍ତରୀୟ ରୋଡ ମ୍ୟାପ୍। ଏନେଇ ସ୍କୁଲ, କଲେଜ ଓ ବୈଷୟିକ ଶିକ୍ଷାନୁଷ୍ଠାନ ସ୍ତରରେ କିଭଳି ଅଧିକ ଧ୍ୟାନ ଦେଇ ଏହାର ପାଖାପାଖି ବିକ୍ରି ହେଉଥିବା ନିଶା କାରବାର ଉପରେ ଫୋକସ ଦିଆଯାଇଥିଲା ବୈଠକରେ।
ଏହା ମଧ୍ୟ ପଢନ୍ତୁ- ନିଶାମୁକ୍ତ ଭାରତ ଅଭିଯାନ ଜୋରଦାର: ଗଞ୍ଜେଇ ଜବତ 4 ଗିରଫ, ମହିଳାଙ୍କୁ ମୋହରା କରି ହେଉଥିଲା ଚାଲାଣ
ତେଣୁ ଜିଲ୍ଲା ସ୍ତରରେ ବ୍ଲକ ଏଜୁକେସନ ଅଫିସର ,ଡିଷ୍ଟ୍ରିକ୍ଟ ଏଜୁକେସନ ଅଫିସର ସେମାନଙ୍କ ଅଞ୍ଚଳର ସ୍କୁଲ କଲେଜ ପାଖରେ ନିଶା ବିକ୍ରି ଓ ପାନ ସିଗାରେଟ ବିକ୍ରି ଆଦି ଉପରେ ସୂଚନା ଥିଲେ ଦେବା ପାଇ ମଧ୍ୟ କମିଟି ମେମ୍ବରମାନେ ନିଷ୍ପତି ନେଇଥିଲେ। ଏନେଇ ତୁରନ୍ତ ପୋଲିସ ଓ ବିଏମସି ଓ ସ୍ବାସ୍ଥ୍ୟ ବିଭାଗ ସହ ଅବକାରୀ ଅଧିକାରୀଙ୍କ ଜରିଆରେ ଆକ୍ସନ ନେବାକୁ ଫୋକସ ଦିଆଯାଇଥିଲା। ଯାହାର କ୍ରମରେ ଧିରେ ଧିରେ ଏହି ଆଧାରରେ ମିଳିତ ଭାବେ କାମ କରୁଛନ୍ତି ପୋଲିସ ,ଅବକାରୀ ଏନସିବି ଭଳି ଏନଫୋର୍ସମେଣ୍ଟ ଏଜେନ୍ସି।
ଇଟିଭି ଭାରତ, ଭୁବନେଶ୍ବର