ଭୁବନେଶ୍ବର: ସାଧାରଣ ଲୋକଙ୍କ ପାଇଁ ନ୍ୟାୟ ମାଗୁଥିବାର ନେତା ଏବେ ଜଣେ ମହିଳାଙ୍କ ସହ ଅନ୍ୟାୟ କରି ଗିରଫ ହୋଇଛନ୍ତି । ଜଣେ ମହିଳାଙ୍କ ଅଭିଯୋଗ କ୍ରମେ ବହୁଜନ ସମାଜବାଦୀ ପାର୍ଟିର ବିଧାୟକ ପ୍ରାର୍ଥୀ ଗିରଫ। ବାପୁଜୀ ନଗର କେଦାରପଲ୍ଲୀ ବିରେନ୍ଦ୍ର ନାୟକଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ତାଙ୍କ ନାଁରେ ଅସଦାଚରଣ, ମହିଳାଙ୍କୁ ପିଛା କରି ହଇରାଣ ହରକତ କରିବା ଓ ଆକ୍ରମଣ ସହ ଆଘାତ ପହଞ୍ଚାଇବା ଆଦି ମାମଲା ରହିଥିବା ବେଳେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ ପୋଲିସ ।
![BSPର ବିଧାୟକ ପ୍ରାର୍ଥୀ ବିରେନ୍ଦ୍ର ନାୟକ](https://etvbharatimages.akamaized.net/etvbharat/prod-images/od-bbs-04-mla-candidate-arrested-avo-7203832_18052023183713_1805f_1684415233_1037.jpg)
ମିଳିଥିବା ସୂଚନା ଅନୁସାରେ କିଛି ଦିନ ପୂର୍ବେ ଜଣେ ମହିଳା ସହ ସମ୍ପର୍କରେ ଆସିଥିଲେ ଯୁବ ନେତା ବିରେନ୍ଦ୍ର। ଏପରିକି ତାଙ୍କର କିଛି ସାର୍ଟିଫିକେଟ ଓ ସରକାରୀ ଦପ୍ତରରେ କାର୍ଯ୍ୟ ଯୋଗୁଁ ତାଙ୍କୁ ସହଯୋଗ କରିବେ ବୋଲି କହିଥିଲେ । ଏପରିକି ଯେହେତୁ ବିରେନ୍ଦ୍ର ବିଭିନ୍ନ ସମୟରେ ସାମାଜିକ କାର୍ଯ୍ୟ କରିଥାନ୍ତି, ସେ ନେଇ ବିରେନ୍ଦ୍ରଙ୍କୁ ସେ ଭରସା କରିନେଇଥିଲେ। ପରେ ସେ ଏନେଇ ଏକ ଲିଗାଲ ହାଏର ସାର୍ଟିଫିକେଟ ବାହାର କରିଦେବା ପାଇଁ ୫୦ ହଜାର ଟଙ୍କା ନେଇଥିଲେ। ହେଲେ କିଛି ଦିନ ଧରି ତାଙ୍କ ସହ ଏପରି ସରକାରୀ ଦପ୍ତର ଓ ବିଭିନ୍ନ ସ୍ଥାନ ବୁଲିବା ପରେ ଉଭୟଙ୍କ ମଧ୍ୟରେ କିଛି ପାଟିତୁଣ୍ଡ ହୋଇଥିଲା । ଯାହାକୁ ନେଇ ମହିଳା ଜଣକ ତାଙ୍କ ଘର ବାଲିପାଟଣା ପଳାଇଥିଲେ।
![BSPର ବିଧାୟକ ପ୍ରାର୍ଥୀ ବିରେନ୍ଦ୍ର ନାୟକ](https://etvbharatimages.akamaized.net/etvbharat/prod-images/od-bbs-04-mla-candidate-arrested-avo-7203832_18052023183713_1805f_1684415233_147.jpg)
ଏହା ବି ପଢନ୍ତୁ- IPS Reshuffle; ଅମିତାଭଙ୍କୁ ପରିବହନ ଓ ନରସିଂହଙ୍କୁ ଅବକାରୀ କମିଶନର ଦାୟିତ୍ବ
ହେଲେ ପରେ ବିରେନ୍ଦ୍ର ସେହି ମହିଳାଙ୍କ ନାଁରେ ବାଲିପାଟଣା ଥାନାରେ ୩୦ହଜାର ଟଙ୍କା ନେଇ ଧରାଛୁଆଁ ଦେଉନଥିବା ଅଭିଯୋଗ କରିଥିଲେ। ଏନେଇ ଥାନାକୁ ଆସି ମହିଳା ଜଣକ ୩୦ହଜାର ଟଙ୍କା ଦେଇ ଆପୋଷ ବୁଝାମଣା କରିଥିଲେ। କେହି କାହାକୁ ଫୋନ କରିବେ ନାହିଁ କି ହଇରାଣ ହରକତ କରିବେ ନାହିଁ ବୋଲି କହିଥିଲେ। ହେଲେ ପରେ କିଛି ଦିନ ଧରି ବିରେନ୍ଦ୍ର ପିଛା କରିବା ସହ ତାଙ୍କୁ ମେସେଜ କରି ହଇରାଣ ହରକତ କରିଥିଲେ । ଏପରିକି ତାଙ୍କୁ ଅନେକ ସମୟରେ ମାଡ଼ ମାରିବା ସହ ଅଶୋଭନୀୟ ବ୍ୟବହାର କରିଥିଲେ। ତେବେ ଏନେଇ ମହିଳା ଜଣକ ବାଧ୍ୟ ହୋଇ ମହିଳା ଥାନାରେ ଅଭିଯୋଗ କରିଥିଲେ।
![BSPର ବିଧାୟକ ପ୍ରାର୍ଥୀ ବିରେନ୍ଦ୍ର ନାୟକ](https://etvbharatimages.akamaized.net/etvbharat/prod-images/18537115_obr.jpg)
ଯାହାକୁ ନେଇ ପଚରାଉଚରା ବେଳେ ଏସିଏସଟି କେସ କରି ଫସାଇଦେବେ ଏପରି ଅନେକ ଧମକ ଚମକ ଦେଇଥିଲେ । ଯୁବ ନେତା ସଂଗଠନ ଅଛି । କେହି କିଛି କରିପାରିବେନି ବୋଲି ମଧ୍ୟ ଧମକ ଦେଇଥିବା ମହିଳା ଜଣକ ଅଭିଯୋଗ ଆଣିଥିଲେ। ଯାହାକୁ ନେଇ ପୋଲିସ ଏକ କେସ କରି ଶେଷରେ ଯୁବନେତାଙ୍କୁ ଗିରଫ କରିଛି । କ୍ୟାପିଟାଲ ହସ୍ପିଟାଲରେ ମେଡିକାଲ ଟେଷ୍ଟ ପରେ ଆଇପିସି ଧାରା ୩୫୪, ୨୯୪, ୫୦୬, ୩୮୬ରେ ମାମଲା ରୁଜୁ କରି ଗିରଫ ପରେ କୋର୍ଟ ଚାଲାଣ କରିଛି ପୋଲିସ ।
ତେବେ ବିରେନ୍ଦ୍ର ଜଣେ ଯୁବନେତା ଓ ସମାଜସେବୀ ଭାବେ ପରିଚିତ ଅନେକ ସମୟରେ ବସ୍ତି ବାସିନ୍ଦା, ବାପୁଜୀ ନଗର ଓ କେଦାର ପଲ୍ଲୀ ଅଞ୍ଚଳରେ ରାଜନୀତି କରି ଚର୍ଚ୍ଚାରେ ଥିଲେ । ଗତ ୨୦୧୯ ସାଧାରଣ ନିର୍ବାଚନ ବେଳେ ବିଧାୟକ ଭାବେ ମଧ୍ୟ ନିର୍ବାଚନ ମଣ୍ଡଳୀରୁ ବହୁଜନ ସମାଜବାଦୀ ପାର୍ଟି (BSP)ରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ । ହେଲେ ସେ ନିର୍ବାଚନ ହାରିଥିଲେ । ତେବେ ଗିରଫଦାରୀ ପରେ ଏନେଇ ବିରେନ୍ଦ୍ର ଓ ତାଙ୍କ ପାର୍ଟି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ଇଟିଭି ଭାରତ, ଭୁବନେଶ୍ବର