ଭୁବନେଶ୍ବର: ବିଏସଏଫର ୫୮ ତମ ସ୍ଥାପନା ଦିବସ (Formation Day of BSF) । ରାଇଜିଙ୍ଗ ଡେ ପାଳନ କରିଛି ସୀମା ସୁରକ୍ଷା ବଳ (Border Security Force) । ଏହି ଦିବସରେ ରାଜ୍ୟର ସୁରକ୍ଷା ଦିଗରେ ଶହୀଦ ହୋଇଥିବା ଯବାନଙ୍କୁ ସେମାନଙ୍କ ବଳିଦାନ ପାଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।
ଦେଶର ସୁରକ୍ଷାକୁ ନେଇ ପ୍ରଥମ ସଶସ୍ତ୍ର ବାହିନୀ ରୂପେ ୧୯୬୫ ମସିହା ଡ଼ିସେମ୍ବର ୧ ତାରିଖରେ ଆରମ୍ଭ ହୋଇଥିଲା ବିଏସଏଫ । ଏହା ସୀମାର ସୁରକ୍ଷା ଦିଗରେ ସର୍ବଦା ପ୍ରେରୀତ ଥିବା ବେଳେ ୨୫ ଗୋଟି ବାଟାଲିଅନରେ ଗଠିତ ବିଏସଏଫ ବର୍ତ୍ତମାନ ୧୯୩ ବାଟାଲିଅନରେ ପହଞ୍ଚିଛି । ରାଜ୍ୟ ହେଉ ଅବା ଦେଶ ସୀମାର ସୁରକ୍ଷା ପାଇଁ ଏମାନେ ଅହୋରାତ୍ର ପାହାଡ ଝରଣା ହ୍ରଦ ପାରି ହୋଇ ବରଫ ସହ ପ୍ରତିଦିନ ବନ୍ଧୁ ସାଜି ଦେଶର ସୁରକ୍ଷା ପାଇଁ ଜାଗ୍ରତ ପ୍ରହରୀ ହୋଇ କାମ କରିଥାନ୍ତି । ସୀମାବର୍ତ୍ତୀ ଅପରାଧ ରୋକିବା ସହ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କ ଉଦ୍ଧାର ଓ ନକ୍ସଲଙ୍କୁ କାବୁ କରିବା ଭଳି ଅନେକ ଜଟିଳ ଅପରାଧର ସମାଧାନ କରିଥାନ୍ତି । ଏହାସହ ନିର୍ବାଚନ ସମୟରେ ଶୃଙ୍ଖଳିତ ନିର୍ବାଚନ ପରିଚାଳନାରେ ମଧ୍ୟ ନିୟୋଜିତ ହୋଇଥାନ୍ତି ।
ହେବାକୁ ଥିବା ପଦ୍ମପୁର ନିର୍ବାଚନରେ ମଧ୍ୟ ଏମାନଙ୍କର ଯୋଗଦାନ ରହିଛି । ଏହି ଅଞ୍ଚଳ ମାଓ ଅଧ୍ୟୁସିତ ଅଞ୍ଚଳ ହୋଇଥିବାବେଳେ ଶୃଙ୍ଖଳିତ ନିର୍ବାଚନ ପରିଚାନନା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନୁମତି କ୍ରମେ ୩ କମ୍ପାନୀ ଯବାନ ଏଠାରେ ବିଏସଏଫ ପକ୍ଷରୁ ନିୟୋଜିତ ହୋଇଛନ୍ତି । କାରଣ ସର୍ବଦା ଏହି ଶସ୍ତ୍ରଧାରୀ ଯବାନଙ୍କୁ ମାଓବାଦୀଙ୍କର ଡର ରହିଥାଏ । ଖାଲି ସେତିକି ନୁହେଁ ଏମାନଙ୍କ ପ୍ରୟାସରେ ଗୁରୁପ୍ରିୟା ସେତୁ ବି ନିର୍ମାଣ ହୋଇପାରିଛି । ଯାହା ଦ୍ବାରା ବିଛିନ୍ନାଞ୍ଚଳର ୧୫୧ ଗ୍ରାମର ୩୦ ହଜାର ଲୋକ ଉପକୃତ ହୋଇଛନ୍ତି । ଆଉ ଏହି ବାଟାଲିଅନ ପାଇଁ ୨୦୨୦ ପରଠୁ ଆମ ରାଜ୍ୟ ଓଡ଼ିଶାରେ ଧୀରେ ଧୀରେ ମାଓବାଦୀଙ୍କ ପ୍ରକୋପ କମିଛି । ବିଶେଷ ଭାବେ ମାଲକାନଗିରି, କୋରାପୁଟ ସମେତ ରାୟଗଡା ନବରଙ୍ଗପୁରରେ ଏହି ବାଟାଲିଅନର ଯବାନ ନିୟୋଜିତ ରହିଥାନ୍ତି ।
ତେବେ ଖାଲି ଅପରାଧ ରୋକିବା ନୁହେଁ, ନାଗରିକଙ୍କ ସୁରକ୍ଷା ସହ ସ୍ବାସ୍ଥ୍ୟ ଓ ଶିକ୍ଷା ଦିଗରେ ମଧ୍ୟ ଏମାନଙ୍କର ଅବଦାନ ରହିଛି । ଏହି ସବୁ ମାଓ ଅଞ୍ଚଳରେ ବିଏସଏଫ ନିୟୋଜିତ ହେବାପରେ ଲୋକଙ୍କ ସୁବିଧାକୁ ନଜରରେ ରଖି ୧୦୬ଟି ସ୍କୁଲ, ୩୩ଟି ହସ୍ପିଟାଲ, ୨୪୭ଟି ଅଙ୍ଗନବାଡି କେନ୍ଦ୍ର, ୧୨ଟି ପଞ୍ଚାୟତ, ୩୪ଟି କମ୍ୟୁନିଟି ହଲ, ଛୋଟ ବଡ ୧୮୩ଟି ପୋଲ ଓ ୧୫୫ ରାସ୍ତାଘାଟର କାର୍ଯ୍ୟ ହୋଇଛି ।
ଏନେଇ ସାମ୍ବାଦିକ ସମ୍ମିଳନୀରେ ବିଏସଏଫ ଆଇଜି ଡିକେ ଶର୍ମା କହିଛନ୍ତି, "ବିଏସଏଫ ଯବାନ ଜୀବନ ଥିବା ପର୍ଯ୍ୟନ୍ତ କର୍ତ୍ତବ୍ୟର ଲକ୍ଷ୍ୟ ନେଇ ଲୋକଙ୍କ ସୁରକ୍ଷା ସହିତ ସେମାନଙ୍କର ଅବଶ୍ୟକତା ପୂରଣ ଦିଗରେ ସର୍ବଦା କାର୍ଯ୍ୟ କରିବା ପାଇଁ ସଂକଳ୍ପବଦ୍ଧ ।"
ଅନ୍ୟପଟେ ବନ୍ଧୁକ ଛାଡି ବିକାଶରେ ସାମିଲ ହେବା ପାଇଁ ବିଏସଏଫ ଆଇଜି ମାଓବାଦୀ ମାନଙ୍କୁ ଆହ୍ବାନ ଦେଇଛନ୍ତି । ଚଳିତ ବର୍ଷ ୬୪ ଜଣ ମାଓଦାଦୀ ପୋଲିସ ଗୁଳିରେ ନିହତ ହୋଇଛନ୍ତି । ୬୨୯ ଜଣ ମାଓବାଦୀ ଆତ୍ମସମପର୍ଣ କରିଛନ୍ତି । ସେପଟେ ସ୍ଥାନୀୟ ଲୋକଙ୍କ ନିକଟତର ଓ ବିଶ୍ବାସଭାଜନ ହେବା ପାଇଁ ବିଭିନ୍ନ ସମୟରେ କାର୍ଯ୍ୟକ୍ରମ କରାଯାଉଛି । ଆଗାମୀ ଦିନରେ ଗ୍ରାମାଞ୍ଚଳର ପିଲାଙ୍କୁ ନିଯୁକ୍ତି ଲାଗି ତାଲିମ କାର୍ଯ୍ୟକ୍ରମ, ଆଦିବାସୀ ଯୁବବର୍ଗଙ୍କୁ ଦକ୍ଷତା ବିକାଶ କରାଇବା ଲାଗି ବିଏସଏଫ ଅନେକ କାର୍ଯ୍ୟକ୍ରମ ହାତକୁ ନେବ ବୋଲି ବିଏସଏଫ ଆଇଜି କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର