ଭୁବନେଶ୍ବର: ବିଲଡିଂ ପ୍ଲାନ୍ ଅନୁମୋଦନ ଓ ଉଲ୍ଲଙ୍ଘନ ନେଇ କଡା ଆଭିମୁଖ୍ୟ ନେଇଛି ବିଏମସି । ୨୦ ହଜାର ବର୍ଗମିଟର ବା ତଦୁର୍ଦ୍ଧ ଅଞ୍ଚଳରେ ନିର୍ମାଣ ପାଇଁ ରହିବ ନିଜସ୍ୱ ସ୍ୱରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ୍ । ବିଏମସି ସୀମା ମଧ୍ୟରେ ବାସଗୃହ, ଆପାର୍ଟମେଣ୍ଟ ଶିକ୍ଷାନୁଷ୍ଠାନ, ବାଣିଜ୍ୟିକ ସଂସ୍ଥା ଏବଂ ଶିଳ୍ପାନୁଷ୍ଠାନ ଇତ୍ୟାଦିର ପୂର୍ବ ଅନୁମୋଦିତ ପ୍ଲାନିଂର କୌଣସି ଉଲ୍ଲଘଂନ କରିଥିଲେ ଓଡ଼ିଶା ଡେଭଲପ୍ମେଣ୍ଟ ଅଥରିଟି ଆକ୍ଟ ୧୯୮୨ ଆଧାରରେ ଉଲ୍ଲଘଂନକାରୀଙ୍କ ବିରୋଧରେ ପଦକ୍ଷେପ ନିଆଯିବ। ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ଲାନିଂ ଉପବିଭାଗର ଏକ ବୈଠକରେ ଏଭଳି ନିଷ୍ପତି ନେଇଛି ବିଏମସି ।
ବୈଠକରେ ଉପସ୍ଥିତ ଥିବା ଆସିଷ୍ଟାଣ୍ଟ୍ ଟାଉନ ପ୍ଲାନର ବିପୁଲ ନାୟକ, ସୌରଭ ମହାପାତ୍ର ଏବଂ ସସ୍ମିତା ଗୁରୁଙ୍କ ସହିତ ଆଲୋଚନା କରି କମିଶନର କହିଛନ୍ତି, "BMC ସୀମା ମଧ୍ୟରେ ଥିବା କୌଣସି ଘର ବା ଅନୁଷ୍ଠାନ ଅନୁମୋଦିତ ଯୋଜନାକୁ ଉଲ୍ଲଘଂନ କରି ଯଦି ନିର୍ମାଣ କରିଛନ୍ତି ଆଉ ନିୟମ ଅନୁସାରେ ଜାଗା ଛାଡ଼ିନଥିଲେ ଏବଂ ପାର୍କିଂ ପାଇଁ ଆବଶ୍ୟକୀୟ ସ୍ଥାନ ରଖି ନଥିଲେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିପାଇଁ ପ୍ରତ୍ୟେକ ୱାର୍ଡରୁ ରାଣ୍ଡମ୍ ବା କ୍ରମାଗତ ଭାବେ ତନଖି ହେବ ।"
ବିଶେଷଭାବେ ପରିମଳକୁ ସ୍ୱତନ୍ତ୍ର ଗୁରୁତ୍ୱ ଦେଇଛି BMC । ଓଡ଼ିଶା ଡେଭଲପମେଣ୍ଟ୍ ଅଥରିଟି (ପ୍ଲାନିଂ ଆଣ୍ଡ୍ ବିଲଡିଂ ଷ୍ଟାଣ୍ଡାର୍ଡସ) ନର୍ମ- ୨୦୨୦ ଆଧାରରେ ୩୦୦ ବର୍ଗ ମିଟର ପ୍ଲଟ୍ ଏରିଆ ବିଶିଷ୍ଟ ଘରେ ଜଳ ଅମଳ ପ୍ରକଳ୍ପ ବାଧ୍ୟତାମୂଳକ । ଟିମ୍ BMC ଏହାର ତନଖି କରିବ ବୋଲି ଆଲୋଚନା କରାଯାଇଛି । ଅନ୍ୟପକ୍ଷରେ ଯେଉଁଠି ୨୦ ହଜାର ବର୍ଗମିଟର କିମ୍ବା ତାଠାରୁ ଅଧିକ ଅଞ୍ଚଳରେ ନିର୍ମାଣ ପାଇଁ ସେହି ସ୍ଥାନରେ ନିଜସ୍ୱ ସ୍ୱରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ରହିବା ଆବଶ୍ୟକ । ତେଣୁ ପରିବେଶ ସୁରକ୍ଷା ଦୃଷ୍ଟିରୁ ଏଗୁଡିକ ସଠିକ ଭାବେ କରାଯାଇଛି କି ନାହିଁ ବା ବିଜ୍ଞାନ ସମ୍ମତ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ ତାହାକୁ କଡାକଡ଼ି ଯାଞ୍ଚ କରିବ BMC । ଏହା ସହିତ ଉଲ୍ଲଘଂନକାରୀଙ୍କୁ ନିର୍ଦିଷ୍ଟ ସମୟସୀମା ଭିତରେ ତାହା କାର୍ଯ୍ୟକାରୀ କରିବା ପାଇଁ ନୋଟିସ ଦିଆଯିବ ।
ଏହା ବି ପଢନ୍ତୁ...ଟିକସ ଫାଙ୍କିଲେ ହୋଇଯାଆନ୍ତୁ ସାବଧାନ, କାର୍ଯ୍ୟାନୁଷ୍ଠାନ ନେବ BMC
ସୂଚନାଯୋଗ୍ୟ କି, ଡ୍ରେନ ଏବଂ ରାସ୍ତା ପାଇଁ ସ୍ୱତନ୍ତ୍ର ସ୍ଥାନ ନଥିଲେ କୌଣସି ଗୃହ ଯୋଜନା ଅନୁମୋଦନ କରାଯିବନାହିଁ । ଏପରିକି BMC କମିଶନର କହିଛନ୍ତି, "ଘରଟି ଯେଉଁ ଉଦ୍ଦେଶ୍ୟରେ ହୋଇଛି ଏହା ବ୍ୟତୀତ ଅନ୍ୟ ପ୍ରକାରେ ବ୍ୟବହୃତ ହୋଇଥିବାର ଦୃଷ୍ଟିକୁ ଆସିଲେ ଗୃହକର୍ତ୍ତାଙ୍କ ବିରୋଧରେ ଓଡିଏ କୋର୍ଟ ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବର୍ତ୍ତମାନ ସରକାର ସହରର ବିକାଶ ପାଇଁ ପରିବେଶ ଓ ପରିମଳକୁ ଗୁରୁତ୍ୱ ଦେଉଥିବାବେଳେ ବିଏମସି ସୀମା ମଧ୍ୟରେ ଯୋଜନାବଦ୍ଧ ନିର୍ମାଣର ଖୁବ ଆବଶ୍ୟକତା ରହିଛି । ଏହା ସହରର ବାସୋପଯୋଗିତା ସୂଚକାଙ୍କକୁ ଆଗେଇ ନେବ ।" ତେଣୁ ଏଭଳି କଡ଼ା ପଦକ୍ଷେପ ନେଇଛି BMC ।
ଇଟିଭି ଭାରତ, ଭୁବନେଶ୍ବର