ଭୁବନେଶ୍ବର: ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିଜୟ ପରେ ଓଡ଼ିଶାରେ ବି ସରକାର ଗଢ଼ିବା ନେଇ ବିଜେପିର ଦମ୍ଭୋକ୍ତି । ୟୁ-ଟର୍ଣ୍ଣ ନେବ କି ଓଡ଼ିଶା ରାଜନୀତି ? ୨୦୨୪ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ୧୫ଟି ଲୋକସଭା ଆସନରୁ କମ ଜିତିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜାତୀୟ ଗଣମାଧ୍ୟମକୁ କହିବା ପରେ ଓଡ଼ିଶାରେ ମଧ୍ୟ ଦୃଢୋକ୍ତି ଦେଖାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଓଡ଼ିଶାରେ ନିଶ୍ଚିତ ସରକାର ଗଢିବ ବିଜେପି, ୧୫ରୁ ଅଧିକ ଏମପି ସିଟ ଜିତିବୁ ବୋଲି କହିଛନ୍ତି ମନମୋହନ ।
ରାଜ୍ୟ ବିଜେପିର ଭୋଟ ପ୍ରତିଶତ ୪୫ ପ୍ରତିଶତରୁ ଅଧିକ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆକଳନ କରିଛନ୍ତି । ୨୦୨୪ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ୧୫ଟି ଲୋକସଭା ଆସନରୁ କମ ଜିତିବ ନାହିଁ ବୋଲି ସେ କହିଛନ୍ତି । ଏହାପରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, " ଓଡ଼ିଶାରେ ନିଶ୍ଚିତ ଭାବେ ସରକାର ହେବ । ୧୫ରୁ ଅଧିକ ଏମପି ସିଟ ଜିତିବୁ । ୨୦୨୪ ନିର୍ବାଚନ ଆହୁରି ଚାରି ମାସ ବାକି ଅଛି । ଆଗକୁ ରାଜନୀତିରେ ବହୁତ ଘଟଣା ଘଟିବ। ବହୁତ ପରିବର୍ତ୍ତନ ହେବ। ଦଳ ଆହୁରି ଆଗକୁ ଯିବ । ଓଡ଼ିଶାର ଭୋଟର ଯାହାକୁ ଭୋଟ ଦିଅନ୍ତି ଛପର ଫାଡିକି ଦିଅନ୍ତି । ଯାହାକୁ ସଫା କରନ୍ତି ଝାଡୁ ମାରିକି ସଫା କରନ୍ତି । ରାଜନୀତିରେ ସବୁ ସମ୍ଭବ।"
ଏହା ବି ପଢନ୍ତୁ- 2024 Election: ବିଜେପି ନଜରରେ ଯୁବ ଭୋଟର, ମାଷ୍ଟରପ୍ଲାନ ହୋଇଛି କହିଲା ଦଳ
ମନମୋହନ ଆହୁରି କହିଛନ୍ତି, "ତିନି ରାଜ୍ୟରେ ଫଳାଫଳ ଭାରତୀୟ ରାଜନୀତିକୁ ଗୋଟେ ନୂଆ ମୋଡ଼ ନେଇଛି । ଏଥିରୁ ସ୍ପଷ୍ଟ ମୋଦିଙ୍କ ଗ୍ୟାରେଣ୍ଟି ପ୍ରତି ଲୋକଙ୍କ ଭରସା ଓ ବିଶ୍ବାସ ରହିଛି । ପ୍ରତାରଣା, ଦୁର୍ନୀତି ଗ୍ରସ୍ତ, ପ୍ରଚାର ଏବଂ ଘୋଷଣା ସର୍ବସ୍ବ କଲେ ଭୋଟ ଦେବନି ଜନତା । ଲୋକଙ୍କର ମନର ପରିବର୍ତ୍ତନ ହୋଇଛି । ଓଡ଼ିଶାର ସମ୍ପୂର୍ଣ୍ଣ ପରିବର୍ତ୍ତନ ଚାହୁଁଛନ୍ତି । ୨୪ରେ କମ୍ଫଟେବଲ ମାର୍ଜିନରେ ସରକାର କରିବୁ। ଯେଉଁ ଗଣିତ କାମ କରୁନାହିଁ ସେହି ଗଣତିରେ ଆମେ ଜିତିବୁ । ନିର୍ବାଚନ ଫଳାଫଳକୁ ଅପେକ୍ଷା କରନ୍ତୁ ଓଡିଶାବାସୀ ।"
କେନ୍ଦ୍ର ସରକାରଙ୍କ ଅନୁଦାନ ଲୁଟ କରିବାର ଫଳ କଂଗ୍ରେସ ଏବଂ ଅନ୍ୟ ଦଳକୁ ଭୋଗିବାକୁ ପଡ଼ିଛି । ଓଡ଼ିଶାରେ ମଧ୍ୟ ଦୁର୍ନୀତି, ଭ୍ରଷ୍ଟାଚାର, ଭ୍ୟାବିଚାର ସରକାର ଚାଲିଛି । ତେଣୁ ଏ ସରକାରଙ୍କୁ ନେଇ ସାଧାରଣ ଲୋକଙ୍କ ମନରେ କ୍ରୋଧ ଅଛି । ଏହାସହ ଓଡ଼ିଶାରେ ମୋଦିଙ୍କ ଲୋକପ୍ରିୟତା ସବୁଠୁ ଅଧିକ । ତେଣୁ ଆସନ୍ତା ୨୦୨୪ ନିର୍ବାଚନରେ ଜୋରଦାର ଲଢେଇ ହେବ । ଫଳାଫଳ ଏକ ପାଖିଆ ହେବ। ବିଜେପି ସରକାର ଗଢ଼ିବ । ସେପଟେ ବିଜେପିକୁ ଭରସା କରି ଅନ୍ୟ ଦଳ ଛାଡ଼ି ବିଜେପିରେ ଯୋଗ ଦେଉଛନ୍ତି ବୋଲି ମନମୋହନ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର